ଡୁଡାଙ୍କ ସହିତ ୟୁକ୍ରେନ୍‌ ସଙ୍କଟ ଆଲୋଚନା କରିବାକୁ ପୋଲାଣ୍ଡ୍‌ ଯିବେ ବାଇଡେନ୍‌

ୱାସିଂଟନ୍‌: ରୁଷ୍‌ର ୟୁକ୍ରେନ୍‌ ଆକ୍ରମଣ ଯୋଗୁଁ ସଷ୍ଟି ହୋଇଥିବା ‘ମାନବୀୟ ଏବଂ ମାନବ ଅଧିକାର ସଙ୍କଟ’ର ଅନ୍ତର୍ଜାତୀୟ ମୁକାବିଲା ସମ୍ପର୍କରେ ଆଲୋଚନା କରିବା ଲାଗି ଶୁକ୍ରବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋସେଫ୍‌ ବାଇଡେନ୍‌ ପୋଲାଣ୍ଡ୍‌ ଯାତ୍ରା କରିବେ‌ ବୋଲି ରବିବାର ରାତିରେ ହ୍ବାଇଟ୍‌ ହାଉସ୍‌ ମୁଖପାତ୍ରୀ ଜେନ୍‌ ସାକି କହିଛନ୍ତି।

ଶୁକ୍ରବାର ଦିନ ବାଇଡେନ୍‌ ୱାର୍‌ସ ଯାଇ ସେଠାରେ ରାଷ୍ଟ୍ରପତି ଅଣ୍ଡ୍ରେ ଡୁଡାଙ୍କ ସହିତ ଦ୍ବିପାକ୍ଷିକ ଆଲୋଚନା କରିବେ।

ରବିବାର ଦିନ ବେଳା ସାକି କହିଥିଲେ ଯେ, ଚଳିତ ସପ୍ତାହରେ ୟୁରୋପ୍‌ ଗସ୍ତରେ ଯାଉଥିବା ବାଇଡେନ୍‌ଙ୍କର ୟୁକ୍ରେନ୍‌ ଗସ୍ତ ଯୋଜନା ନାହିଁ।

Image Courtesy of Khaleej Times

ସୂଚନାଯୋଗ୍ୟ, ଫ୍ରେୁଆରି ୨୪ ତାରିଖରେ ରୁଷୀୟ ଆକ୍ରମଣ ପରଠାରୁ ୟୁକ୍ରେନ୍‌ରୁ ୨ ନିୟୁତରୁ ଊର୍ଦ୍ଧ୍ବ ଶରଣାର୍ଥୀ ପୋଲାଣ୍ଡ୍‌ରେ ପ୍ରବେଶ କରିଥିବା କଥା ‘ପୋଲିଶ୍‌ ବର୍ଡର୍‌ ଗାର୍ଡ’ ଶୁକ୍ରବାର ଦିନ କହିଥିଲା।

ବ୍ରସେଲ୍‌ଜ୍‌ରେ ‘ନାଟୋ ରାଷ୍ଟ୍ରଗୋଷ୍ଠୀ’, ‘ଜି୭ ନେତୃବୃନ୍ଦ’ ଏବଂ ‘ୟ‌ୁରୋପୀୟ ସଂଘର ନେତୃବୃନ୍ଦ’ଙ୍କୁ ସାକ୍ଷାତ୍‌ କରିବାର ଦିନକ ପରେ ରୁଷୀୟ ଆକ୍ରମଣରେ ବିକ୍ଷତ ୟୁକ୍ରେନ୍‌କୁ ସମର୍ଥନ କରିବା ପାଇଁ ଆନ୍ତର୍ଜାତିକ ଉଦ୍ୟମ ସଂକ୍ରାନ୍ତରେ ଆଲୋଚନା କରିବାକୁ ପୋଲାଣ୍ଡ ଗସ୍ତ କରିବେ ବୋଲି ହ୍ବାଇଟ୍‌ ହାଉସ୍‌ କହିଛି।

ହ୍ବାଇଟ୍‌ ହାଉସ୍‌ ଆହୁରି ମଧ୍ୟ ସୂଚନା ଦେଇଛି ଯେ, ରୁଷ୍‌ର ୟୁକ୍ରେନ୍‌ ଆକ୍ରମଣ ବିରୋଧରେ ସେମାନଙ୍କର ସମ୍ମିଳିତ ମୁକାବିଲା କଥା ଆଲୋଚନା କରିବାକୁ ଆଜି ପୂର୍ବାହ୍ନ ୧୧ଟା ବେଳେ ବାଇଡେନ୍‌ ଫ୍ରାନ୍‌ସ୍‌ର ରାଷ୍ଟ୍ରପତି ଇମ୍ମାନୁଏଲ୍‌ ମ୍ୟାକ୍ରୋନ୍‌, ଜର୍ମାନି ଚାନ୍‌ସେଲର୍‌ ଓଲାଫ୍‌ ସୋଲ୍‌ଜ୍‌, ଇଟାଲିର ପ୍ରଧାନମନ୍ତ୍ରୀ ମାରିଓ ଦ୍ରାଘି ଏବଂ ଇଂଲଣ୍ଡ୍‌ର ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ଙ୍କୁ ଟେଲିଫୋନ୍‌ କରିବେ।

ସମ୍ବନ୍ଧିତ ଖବର