ବାଇଡେନ୍‌ ବନାମ ଟ୍ରମ୍ପ୍‌: ବାଇଡେନ୍‌ଙ୍କ ହ୍ବାଇଟ୍‌ହାଉସ୍‌ ଦଖଲ ଜଳଜଳ!

ଵାସିଂଟନ: ଆସନ୍ତା ୩ ତାରିଖ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟିକ୍‌ ଦଳର ପ୍ରାର୍ଥୀ ତଥା ପ୍ରାକ୍ତନ ଉପରାଷ୍ଟ୍ରପତି ଜୋ ବାଇଡେନ୍‌ ଖୁବ୍‌ ସହଜରେ ପ୍ରତିଦ୍ବନ୍ଦ୍ବୀ ତଥା ରିପବ୍ଲିକାନ୍‌ ପ୍ରାର୍ଥୀ ତଥା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କୁ ହରାଇବେ ବୋଲି ଆମେରିକା ତମାମ ପ୍ରବାହମାନ ନିର୍ବାଚନ ହାଵାରୁ ଅନୁମାନ କରାଯାଉଛି। ବିଭିନ୍ନ ଜନମତରୁ ମଧ୍ୟ ବାଇଡେନ୍‌ଙ୍କ ଲୋକପ୍ରିୟତା ଶୀର୍ଷରେ ରହିଛି। ନିର୍ବାଚନ ସଂକ୍ରାନ୍ତ ସମସ୍ତ ଭବିଷ୍ୟବାଣୀ ବାଇଡେନ୍‌ଙ୍କୁ ହ୍ବାଇଟ୍‌ହାଉସ୍‌ରେ ଆସୀନ କରୁଥିବା ବେଳେ କିଛି ଅଜଣା ସଂଶୟ ମଧ୍ୟ ରହିଛି। କାରଣ ୨୦୧୬ ରାଷ୍ଟ୍ରପତି ନିର୍ବାଚନ ବେଳେ ଡେମୋକ୍ରାଟ୍‌ ପ୍ରାର୍ଥୀ ହିଲାରି କ୍ଲିଣ୍ଟନ୍‌ଙ୍କ ସପକ୍ଷରେ ମଧ୍ୟ ଏପରି ଅନୁରୂପ ଭବିଷ୍ୟବାଣୀ କରାଯାଇଥିଲା। ମାତ୍ର ସେସବୁକୁ ଟ୍ରମ୍ପ୍‌ ମିଥ୍ୟା ବୋଲି ପ୍ରମାଣିତ କରିଥିଲେ। ଯଦିଓ ହିଲାରିଙ୍କୁ ଟ୍ରମ୍ପ୍‌ଙ୍କ ଅପେକ୍ଷା ୩ କୋଟିରୁ ଅଧିକ ଲୋକପ୍ରିୟ ଭୋଟ ମିଳିଥିଲା, ତେବେ ଏହି ଲୋକପ୍ରିୟ ଭୋଟ ଦ୍ବାରା ତ ରାଷ୍ଟ୍ରପତି ନିର୍ବାଚିତ ହୋଇନଥାନ୍ତି। ଏଥିପାଇଁ ଇଲେକ୍ଟରାଲ କଲେଜର ସଦସ୍ୟମାନଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ। ଗତ ନିର୍ବାଚନରେ କାଲିଫର୍ଣ୍ଣିଆ ଓ ନ୍ୟୁୟର୍କ ପରି ବୃହତ୍‌ ରାଜ୍ୟକୁ ଟ୍ରମ୍ପ୍‌ ବଡ଼ ବ୍ୟବଧାନରେ ହରାଇଥିବା ବେଳେ ଫ୍ଲୋରିଡ଼ା, ମିଚିଗାନ୍‌, ଵିସ୍କନ୍‌ସିନ୍‌, ପେନ୍‌ସିଲଭାନିଆ ଓ ଆରିଜୋନା ପରି ଛୋଟ ଛୋଟ ରାଜ୍ୟ ଟ୍ରମ୍ପ୍‌ଙ୍କୁ ଇଲେକ୍ଟରାଲ କଲେଜରେ ଢେର ଆଗୁଆ କରିଦେଇଥିଲା। ସେହିପରି ୧୮୬୦ ନିର୍ବାଚନରେ ମଧ୍ୟ ମାତ୍ର ୪୦ ପ୍ରତିଶତ ଲୋକପ୍ରିୟତା ହାସଲ କରିଥିବା ଆବ୍ରାହାମ୍‌ ଲିଙ୍କନ୍‌ ବାଜି ମାରିନେଇଥିଲେ। ସୁତରାଂ ୧୮୬୦ ଓ ୨୦୧୬ର ସ୍ମୂତି ଡେମୋକ୍ରାଟ୍‌ମାନଙ୍କୁ ଚିନ୍ତାରେ ପକାଇଛି। ତେଣୁ ବିଜୟ ସମ୍ଭାବନା ନେଇ ନିଜ ଉପରେ ମାତ୍ରାଧିକ ଭରସା ନ ରଖିବାକୁ ଡେମୋକ୍ରାଟ୍‌ମାନେ ନିଜକୁ ସତର୍କ କରାଉଛନ୍ତି। କାରଣ ବାଇଡେନ୍‌ଙ୍କ ସପକ୍ଷରେ ଏସବୁ ଲୋକପ୍ରିୟତା ସତ୍ତ୍ବେ ରିପବ୍ଲିକାନ୍‌ ଦଳ ରଣନୀତି ହିଁ ମୁଖ୍ୟ ପ୍ରସଙ୍ଗ ହୋଇଛି।

ପୋଷ୍ଟାଲ୍‌ ଭୋଟିଂ ପାଇଁ ଅବଧି କମାଇଦେବା ଏବଂ ଆଗୁଆ ଭୋଟି ପାଇଁ ମତଦାନ କେନ୍ଦ୍ର ସଂଖ୍ୟା କମାଇଦେବା ଆଦି ନିଷ୍ପତ୍ତି ଡେମୋକ୍ରାଟ ସମର୍ଥକମାନଙ୍କ ପାଇଁ କାଳ ହୋଇଛି। ଅପରପକ୍ଷେ, ଉଭୟ ଦଳ ପରସ୍ପର ବିରୋଧରେ ରିଗିଂ ଅଭିଯୋଗ ଆଣୁଛନ୍ତି ଯାହାକି ଚୂଡ଼ାନ୍ତ ଫଳାଫଳ ଘୋଷଣାକୁ ମାସ ମାସ ଧରି ଘୁଞ୍ଚାଇ ଦେଇପାରେ। ତେବେ ପରିସଂଖ୍ୟାନ ଅନୁଯାୟୀ, ବାଇଡେନ୍‌ଙ୍କ ସପକ୍ଷରେ ଥିବା ବିଭିନ୍ନ ରାଜ୍ୟର ଇଲେକ୍ଟରାଲ କଲେଜ ଭୋଟ ୨୦୭ ହୋଇଥିବା ବେଳେ ଅନ୍ୟ ରାଜ୍ୟର ୭୨ଟି ଭୋଟ୍‌ ମଧ୍ୟ ତାଙ୍କ ଆଡ଼କୁ ଢଳୁଥିବା ଜନମତରୁ ସ୍ପଷ୍ଟ ହୋଇଛି। ଏପରି ଭାବେ ବାଇଡେନ୍‌ଙ୍କୁ ୨୭୯ ଭୋଟ ମିଳିଯିବ ଯାହା କି ମ୍ୟାଜିକ୍‌ ନମ୍ବର ୨୭୦କୁ ଟପିଯାଉଛି। ଅପରପକ୍ଷେ, ଭୋଟ ବ୍ୟବଧାନରେ ୫% ଫରକ ରହୁଥିବା ପ୍ରତ୍ୟେକ ଟସ୍‌-ଅପ୍‌ ରାଜ୍ୟ ବି ଟ୍ରମ୍ପ୍‌ଙ୍କ ସପକ୍ଷରେ ଗଲେ ତାଙ୍କ ସାମଗ୍ରିକ ଇଲେକ୍ଟରାଲ ଭୋଟ ୧୩୪ ହେବ। କୌଣସି କାରଣରୁ ଏହି ଟସ-ଅପ୍‌ ରାଜ୍ୟଗୁଡ଼ିକରେ ସାମାନ୍ୟ ଭୋଟ ବିଭାଜନ ଘଟିଲେ ବାଇଡେନ୍‌ଙ୍କ ଖାତାରେ ମୋଟ ୩୪୬ ଭୋଟ ପଡ଼ିବାକୁ ଥିବା ବେଳେ ଟ୍ରମ୍ପ୍‌ ୧୯୩ଟି ଇଲେକ୍ଟରାଲ ଭୋଟ ହାତେଇ ଢେର ପଛରେ ରହିଯିବେ। ସେହିପରି ସଂସଦର ଉଭୟ ଗୃହରେ ମଧ୍ୟ ଡେମୋକ୍ରାଟିକ ଦଳର ପଲା ଭାରୀ ରହିଥିବା ଜଣାଯାଇଛି। ତେଣୁ ରିପବ୍ଲିକାନ୍‌ ସମର୍ଥକମାନେ ଯେତେ ଯାହା କଲେ ବି ଡେମୋକ୍ରାଟମାନଙ୍କର ସାବଧାନତା ହିଁ ବାଇଡେନଙ୍କୁ ଏଥର ନିର୍ବାଚିତ କରିବ ବୋଲି ଅଧିକାଂଶ ରାଜନୀତି ବିଶାରଦଙ୍କ ମତ।

ସମ୍ବନ୍ଧିତ ଖବର