ଟେଲ୍‌ ଅଭିଭ: ଇସ୍ରାଏଲ-ହମାସ୍ ଯୁଦ୍ଧ ଦିନକୁ ଦିନ ଅଧିକ ଭୟଙ୍କର ହେବାରେ ଲାଗିଛି। ଗତକାଲି ଗାଜାରେ ଏକ ପ୍ରମୁଖ ହସ୍ପିଟାଲ ଉପରେ ହୋଇଥିବା ବିସ୍ଫୋରଣରେ ୫୦୦ ଲୋକଙ୍କ ମୃତ୍ୟୁ ହେବା ଘଟଣା ସାରା ବିଶ୍ବକୁ ସ୍ତବ୍ଧ କରିଦେଇଛି। ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ସମୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଆଜି ଇସ୍ରାଏଲ ଗସ୍ତ କରିଛନ୍ତି। ବାଇଡେନ୍‌ ଆଜି ଟେଲ୍‌ ଅଭିଭରେ ପହଞ୍ଚିବାପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜା‌ମିନ ନେତାନ୍ୟାହୁଙ୍କୁ ଭେଟିଛନ୍ତି ଏବଂ ଯୁଦ୍ଧ ସ୍ଥିତି ନେଇ ନେତାନ୍ୟାହୁଙ୍କ ସହ ଆଲୋଚନା କରିଛନ୍ତି। ଯୁଦ୍ଧ ପ୍ରସଙ୍ଗରେ ନେତାନ୍ୟାହୁଙ୍କୁ ପରାମର୍ଶ ଦେଇ ବାଇଡେନ କହିଛନ୍ତି, ‘୯/୧୧ ପରେ ଆମେରିକା ଭୀଷଣ କ୍ରୋଧରେ ଯେଉଁସବୁ ଭୁଲ୍‌ କରିଥିଲା ତାହାକୁ ଇସ୍ରାଏଲ ଦୋହରାଇବା ଠିକ୍‌ ହେବନାହିଁ। ଇସ୍ରାଏଲ ଉପରେ ୭ ଅକ୍ଟୋବରରେ ହୋଇଥିବା ଆକ୍ରମଣ ୯/୧୧ଠାରୁ ମଧ୍ୟ ବହୁତ ବଡ଼। ଇସ୍ରାଏଲ ଏକ ଛୋଟ ରାଷ୍ଟ୍ର ହୋଇଥିବାରୁ ଗୋଟିଏ ଆକ୍ରମଣରେ ହିଁ ହଜାରେରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲା। କିନ୍ତୁ ଇସ୍ରାଏଲକୁ ଧୈର୍ଯ୍ୟର ସବୁକିଛିର ମୁକାବିଲା କରିବାକୁ ହେବ। ଏହା ମନେ ରଖିବାକୁ ହେବ ଯେ ପାଇଲେଷ୍ଟାଇନର ସଂଖ୍ୟାଧିକ ନାଗରିକ ହମାସ୍‌ ନୁହନ୍ତି ଏବଂ ହମାସ୍‌ ପାଲେଷ୍ଟାଇନ ନାଗରିକଙ୍କୁ ପ୍ରତିନିଧିତ୍ବ କରେନାହିଁ।’

Advertisment

ନେତାନ୍ୟାହୁଙ୍କ ସହ ମିଳିତ ଉଦ୍‌ବୋଧନ ଦେଇ ବାଇଡେନ ହମାସ୍‌ ବିରୋଧରେ ଇସ୍ରାଏଲକୁ ଆମେରିକାର ପୂର୍ଣ୍ଣ ସମର୍ଥନ ଘୋଷଣା କରିଛନ୍ତି। ବାଇଡେନ ଇସ୍ରାଏଲର ହମାସ୍‌ ବିରୋଧୀ ରଣନୀତି ଏବଂ ଏ ସଂକ୍ରାନ୍ତ ସାମରିକ ଅଭିଯାନକୁ ଦୃଢ଼ ସମର୍ଥନ କରିଛନ୍ତି । ହମାସ୍‌ ବର୍ବରତାକୁ କଡ଼ା ନିନ୍ଦା‌ କରି କୌଣସି ସଭ୍ୟ ରାଷ୍ଟ୍ର ଏହାକୁ ବରଦାସ୍ତ କରିବ ନାହିଁ ବୋଲି କହିଛନ୍ତି। ଗାଜାରେ ହସ୍ପିଟାଲ୍‌ ଆକ୍ରମଣକୁ ନେଇ ହମାସ୍‌ ଇସ୍ରାଏଲକୁ ଦାୟୀ କରିଥିବାବେ‌ଳେ ଇସ୍ରାଏଲ ଏଭଳି ଅଭିଯୋଗକୁ ଖଣ୍ଡନ କରିବା ସହ ଆକ୍ରମଣ ପଛରେ ଇସ୍‌ଲାମିକ ଜିହାଦ୍‌ ସଂଗଠନ ରହିଥିବା ନେଇ ପ୍ରମାଣ ଜାରି କରିଛି। ହସ୍ପିଟାଲ ଆକ୍ରମଣ ପାଇଁ ପାଲେଷ୍ଟିନୀୟ ଆତଙ୍କବାଦୀ ଗୋଷ୍ଠୀ ଇସ୍‌ଲାମିକ ଜିହାଦ୍‌ କିଭଳି ଯୋଜନା କରିଥିଲା ତାହାର ଅଡିଓ ଓ ଭିଡିଓ ପ୍ରମାଣ ଉପସ୍ଥାପନ କରାଯାଇଛି । ବାଇଡେନ ମଧ୍ୟ ଇସ୍ରାଏଲର ଦାବିକୁ ସମର୍ଥନ କରିବା ସହ ଏହି ଆକ୍ରମଣ ଇସ୍ରାଏଲ ସେନା ଦ୍ବାରା ହୋଇନାହିଁ ବୋଲି କହିଛନ୍ତି। ବାଇଡେନ ନେତାନ୍ୟାହୁଙ୍କୁ କହିଛନ୍ତି, ଗାଜା ହସ୍ପିଟାଲ୍‌ ବିସ୍ଫୋରଣ ଘଟଣାରେ ମୁଁ ଗଭୀର ଭାବେ ମର୍ମାହତ ଏବଂ ମୁଁ ଯାହା ଦେଖୁଛି ଏହି ଆକ୍ରମଣ ‘ଅନ୍ୟ ଟିମ୍‌’ ଦ୍ବାରା ହୋଇଛି।

ବାଇଡେନ କହିଛନ୍ତି, ଉଭୟ ଆମେରିକା ଏବଂ ଇସ୍ରାଏଲ ଦ୍ବାରା ଆତଙ୍କବାଦୀ ସଂଗଠନ ବିବେଚିତ ହମାସ୍‌ ୩୧ ଆମେରିକୀୟଙ୍କ ସମେତ ୧୩୦୦ରୁ ଅଧିକ ଲୋକଙ୍କୁ ହତ୍ୟା କରିଛି। ସେମାନେ ଶିଶୁଙ୍କ ସମେତ ଅନେକ ଲୋକଙ୍କୁ ପଣବନ୍ଦୀ ରଖିଛନ୍ତି। ହମାସ ପାଲେଷ୍ଟିନୀୟ ଲୋକଙ୍କୁ ପ୍ରତିନିଧିତ୍ବ କରୁନାହିଁ ବରଂ ପାଲେଷ୍ଟାଇନ ନାଗରିକଙ୍କ ପାଇଁ ଏ‌ହା କେବଳ ଯନ୍ତ୍ରଣା ଆ‌ଣି ଦେଇଛି। ବାଇଡେନଙ୍କ ସମର୍ଥନ ପାଇଁ ନେତାନ୍ୟାହୁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ନେତାନ୍ୟାହୁ କହିଛନ୍ତି, ସଭ୍ୟ ବିଶ୍ବ ଯେଭଳି ନାଜି ଏବଂ ଇସ୍‌ଲାମିକ ଷ୍ଟେଟ୍‌କୁ ହରାଇବାପାଇଁ ଏକାଠି ହୋଇଛନ୍ତି ଠିକ୍‌ ସେହିପରି ବିଶ୍ବରେ ଶାନ୍ତି ଏବଂ ସୁରକ୍ଷା ପାଇଁ ହମାସକୁ ହରାଇବାପାଇଁ ଏକାଠି ହେବା ଉଚିତ। ନେତାନ୍ୟାହୁ କହିଛନ୍ତି, ବାଇଡେନ ପ୍ରଥମ ଆମେରିକା ରାଷ୍ଟ୍ରପତି ଭାବ‌େ ଯୁଦ୍ଧ ସମୟରେ ଇସ୍ରାଏଲ ଗସ୍ତ କରିଛନ୍ତି।