ବିସ୍ତାରବାଦୀ ନୀତି ପାଇଁ ଚୀନ୍‌କୁ ସତର୍କ କରାଇଲେ ବାଇଡେନ୍‌

ଵାସିଂଟନ: ଆମେରିକାର ଶାସନ କ୍ଷମତା ହାସଲ କରିବାର ମାତ୍ର ସପ୍ତାହେ ନପୂରୁଣୁ ନୂତନ ରାଷ୍ଟ୍ରପତି ଜୋ ବାଇଡେନ୍‌ ଚୀନ୍‌କୁ ତାହାର ବିସ୍ତାରବାଦୀ ଆଭିମୁଖ୍ୟ ସମ୍ପର୍କରେ କଡ଼ା ଚେତାବନୀ ଦେଇଛନ୍ତି। ଏକାଧିକ ଫୋନ୍‌ କଲ୍‌ ଓ ବକ୍ତବ୍ୟ ମାଧ୍ୟମରେ ବାଇଡେନ୍‌ ଓ ତାଙ୍କର ଶୀର୍ଷ ପ୍ରତିରକ୍ଷା ଅଧିକାରୀମାନେ ଜାପାନ, ଦକ୍ଷିଣକୋରିଆ ଓ ତାଇଵାନ ପରି ମିତ୍ରରାଷ୍ଟ୍ରଙ୍କ ପ୍ରତି ସମର୍ଥନକୁ ପ୍ରାଧାନ୍ୟ ଦେଇଛନ୍ତି। ପରୋକ୍ଷରେ ସେସବୁ ଦେଶରେ ଚୀନ୍‌ର ବିବାଦୀୟ ସୀମା ଦାବିକୁ ବାଇଡେନ୍‌ ପ୍ରଶାସନ ପ୍ରତ୍ୟାଖ୍ୟାନ କରୁଛି ବୋଲି ସ୍ପଷ୍ଟ ହୋଇଛି। ଚୀନ୍‌ ଓ ଜାପାନ ଉଭୟ ନିଜର ବୋଲି ଦାବି କରୁଥିବା ସେଙ୍କାକୁ ଦୀପପୁଞ୍ଜ ସମେତ ଜାପାନ ପ୍ରତି ସମର୍ଥନ ଯୋଗାଇବାକୁ ଵାସିଂଟନ ଅଙ୍ଗୀକାରବଦ୍ଧ ବୋଲି ବୁଧବାର ବାଇଡେନ୍‌ ଜାପାନୀ ପ୍ରଧାନମନ୍ତ୍ରୀ ୟୋସିହିଦେ ସୁଗାଙ୍କୁ କହିଥିଲେ।

ବାଇଡେନ୍‌ଙ୍କ ଏପରି ଆଭିମୁଖ୍ୟକୁ ମଧ୍ୟ ଆମେରିକାର ପ୍ରତିରକ୍ଷା ସଚିବ ଲୟଡ୍‌ ଅଷ୍ଟିନ୍‌ ଦୋହରାଇଛନ୍ତି। ସଂପୃକ୍ତ ଦୀପପୁଞ୍ଜକୁ ସୁରକ୍ଷା ଯୋଗାଇବା ଜାପାନ-ଆମେରିକା ପ୍ରତିରକ୍ଷା ଚୁକ୍ତିର ଅଂଶବିଶେଷ ବୋଲି ଅଷ୍ଟିନ୍‌ ଗତ ଶନିବାର ତାଙ୍କ ଜାପାନୀ ପ୍ରତିପକ୍ଷ ନୋବ୍ୟୁ କିସିଙ୍କୁ ଭରସା ଦେଇଛନ୍ତି। ସେହିପରି ପୂର୍ବ ଚୀନ୍‌ ସାଗରର ସ୍ଥିତାବସ୍ଥାରେ ପରିବର୍ତ୍ତନ ପାଇଁ କୌଣସି ପ୍ରକାର ଏକପାଖିଆ ଉଦ୍ୟମକୁ ଆମେରିକା ପ୍ରଶ୍ରୟ ଦେବନାହିଁ ବୋଲି ଅଷ୍ଟିନ୍‌ କହିଛନ୍ତି। ସେହିପରି ତାଇଵାନ ଆକାଶରେ ବାରମ୍ବାର ଯୁଦ୍ଧ ବିମାନ ଉଡ଼ାଇ ଭୟଭୀତ କରୁଥିବା ଚୀନ୍‌କୁ ମଧ୍ୟ ଆମେରିକାର ପରରାଷ୍ଟ୍ର ମୁଖପାତ୍ର ନେଡ୍‌ ପ୍ରାଇସ୍‌ ବାଇଡେନ୍‌ ପ୍ରଶାସନର ତୃତୀୟ ଦିନ ହିଁ ସତର୍କ କରାଇ ଦେଇଛନ୍ତି। ତାଇଵାନକୁ ସୁରକ୍ଷିତ ରଖିବା ଲାଗି ତାହା ସହ ଆମେରିକାର ସମ୍ପର୍କ ପଥର ପରି କଠିନ ବୋଲି ପ୍ରାଇସ୍‌ ଟିପ୍ପଣୀ କରିଛନ୍ତି।

ସମ୍ବନ୍ଧିତ ଖବର