ୟୁକ୍ରେନ୍‌ ଆକ୍ରମଣର ପରିଣାମ ଭୟାବହ ହେବ: ପୁଟିନ୍‌ଙ୍କୁ ଚେତାବନୀ ଦେଲେ ବାଇଡେନ୍‌

ୱାସିଂଟନ୍‌: ୟୁକ୍ରେନ୍‌ ଆକ୍ରମଣ ବଡ଼ଧରଣର ମାନବୀୟ ଦୁର୍ଦ୍ଦଶାର କାରଣ ହେବ ବୋଲି ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନ୍‌ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ଙ୍କୁ ଶନିବାର ଦିନ କହିଛନ୍ତି। ଏହାଛଡ଼ା, ସେ କହିଛନ୍ତି ଯେ, ଏହି ସଙ୍କଟର ଅବସାନ ନିମନ୍ତେ ପାଶ୍ଚାତ୍ୟ କୂଟନୀତି କରିବା ଲାଗି ପ୍ରତିବଦ୍ଧ କିନ୍ତୁ, ପ୍ରୟୋଜନ ହେଲେ ଅନ୍ୟ ପରିସ୍ଥିତିର ମୁକାବିଲା ପାଇଁ ମଧ୍ୟ ପ୍ରସ୍ତୁତ।

ଗତକାଲି ଦୀର୍ଘ ଏକ ଘଣ୍ଟା ଧରି ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ଏହି ଆଲୋଚନା ୟୁରୋପରେ ଆସନ୍ନ ଯୁଦ୍ଧର ଆଶଙ୍କାକୁ ହ୍ରାସ କରିବା ଲାଗି କୌଣସି ପ୍ରସ୍ତାବ ଦିଆ ଯାଇନାହିଁ। ବାଇଡେନ୍‌ ଆହୁରି ମଧ୍ୟ କହିଛନ୍ତି, କ୍ରେମ୍‌ଲିନ୍‌ ଯଦି ୟୁକ୍ରେନ୍‌ ଆକ୍ରମଣ କରେ ତେବେ, ଯୁକ୍ତରାଷ୍ଟ୍ର ଆମେରିକା ଏବଂ ତା’ର ମିତ୍ର ରାଷ୍ଟ୍ରମାନେ ନିର୍ଣ୍ଣାୟକ ମୁକାବିଲା କରିବା ସହ ତୁରନ୍ତ କଠୋର କଟକଣା ଲାଗୁ କରିବେ।

Image Courtesy of India Today

ଫେବ୍ରୁଆରି ୨୦ ତାରିଖରେ ବେଜିଙ୍ଗ୍‌ରେ ଚାଲିଥିବା ‘ୱିଣ୍ଟର୍‌ ଅଲିମ୍ପିକ୍ସ୍‌’ ଶେଷ ହେବା ପୂର୍ବରୁ ରୁଷ୍ ୟୁକ୍ରେନ୍‌ ଆକ୍ରମଣ କରିପାରେ ବୋଲି ଯୁକ୍ତରାଷ୍ଟ୍ର ଆମେରିକା ଗୁଇନ୍ଦା ସୂଚନା ଦେଇଥିବା କଥା ବାଇଡେନ୍‌ଙ୍କ ଜାତୀୟ ନିରାପତ୍ତା ଉପଦେଷ୍ଟା ଜେକ୍‌ ସୁଲିଭାନ୍‌ ସତର୍କ କରାଇବାର ଦିନକ ପରେ ଦୁଇ ରାଷ୍ଟ୍ରପତି ଟେଲିଫୋନ୍‌ ଯୋଗେ କଥାବାର୍ତ୍ତା ହୋଇଥିଲେ।

ଆକ୍ରମଣ କଥାକୁ ରୁଷ୍‌ ଅସ୍ବୀକାର କରୁଥିଲେ ବି ରୁଷ୍‌ ୟୁକ୍ରେନୀୟ ସୀମାନ୍ତରେ ୧ ଲକ୍ଷ୍ୟ ସୈନିକ ଠୁଳ କରିଛି ଏବଂ ତିନି ପାର୍ଶ୍ବରୁ ୟୁକ୍ରେନ୍‌କୁ ବେଢ଼ି ଥିବା ବେଲାରୁଷ୍‌ରେ ସମରାଭ୍ୟାସ ପାଇଁ ସୈନିକମାନଙ୍କୁ ପଠାଇଛି। କିନ୍ତୁ, ଯୁକ୍ତରାଷ୍ଟ୍ର ଆମେରିକାର ସରକାରୀ ଅଧିକାରୀମାନେ କହୁଛନ୍ତି କି, ଅବିଳମ୍ବେ ୟୁକ୍ରେନ୍‌ ଉପରେ ଆକ୍ରମଣ କରିବା ଭଳି ସ୍ଥାନରେ ରୁଷ୍‌ ଅସ୍ତ୍ରନି‌କ୍ଷେପ ସ୍ଥଳ ପ୍ରସ୍ତୁତ କରିସାରିଛି।

ସମ୍ବନ୍ଧିତ ଖବର