ଆମେରିକୀୟ ସାଂସଦମାନଙ୍କୁ ବାଇଡେନ୍‌ଙ୍କ ଚେତାବନୀ : ସତର୍କ ନରହିଲେ ଚୀନ୍‌ ଦାନା ଛଡ଼େଇନେବ

ୱାସିଂଟନ : ଆମେରିକା ଯଦି ନିଜର ଭିତ୍ତିଭୂମି ବିକାଶ ଖର୍ଚ୍ଚକୁ ନ ବଢ଼ାଏ, ତେବେ ଚୀନ୍‌ ଆମଠାରୁ ଆମ ଦାନା ଛଡ଼େଇନେବ ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ସତର୍କ କରାଇ ଦେଇଛନ୍ତି। ଆମେରିକାରେ ଭିତ୍ତିଭୂମି ବିକାଶର ଆବଶ୍ୟକତା ସମ୍ପର୍କରେ ଗୁରୁବାର ସିନେଟରଙ୍କ ସହ ଆଲୋଚନା ବେଳେ ବାଇଡେନ୍‌ ଏଭଳି ଆଶଙ୍କା ପ୍ରକଟ କରିଛନ୍ତି। ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ଙ୍କ ଆର୍ଥିକ ନୀତି ବିରୋଧରେ ତୀବ୍ର ପ୍ରତରିକ୍ରିୟା ରଖି ବାଇଡେନ୍‌ ଏପରି ସତର୍କ କରାଇବା ଚର୍ଚ୍ଚାର ବିଷୟ ହୋଇଛି।

ସୂଚନା ଥାଉ କି, ଚୀନ୍‌ ବିଶ୍ବ ଅର୍ଥନୀତିରେ ନିଜର ଏକଚାଟିଆ କାରବାର ଜାରି ରଖିବାକୁ ବଡ଼ ଷଡ଼ଯନ୍ତ୍ର କରିଛି ବୋଲି ଆମେରିକୀୟ ବି‌େଶଷଜ୍ଞଙ୍କ ରିପୋର୍ଟ ପରେ ବାଇଡେନ୍‌ ତାଙ୍କ ଆଭିମୁଖ୍ୟ କଠୋର କରିଛନ୍ତି। ଦୁଇ ଦେଶ ମଧ୍ୟରେ କୌଣସି ପ୍ରକାର ମୁକାବିଲା ପରିସ୍ଥିତି ଉଭୟ ଦେଶ ପାଇଁ ବଡ଼ ସଙ୍କଟ ଆଣିବ ବୋଲି କହିଥିଲେ। ତେବେ ଆମେରିକାର ପରିବେଶ ଓ ପୂର୍ତ୍ତ ବିଭାଗର କର୍ମକର୍ତ୍ତାଙ୍କ ସହ ଆଚୋଚନା କରି ବାଇଡେନ୍‌ କହିଥିଲେ ଯେ ଭିତ୍ତିଭୂମି ବିକାଶ ପାଇଁ ଆମେ ଆଗକୁ ନ ବଢ଼ିଲେ ଚୀନ୍‌ ଆମ ଭାଗ ମାଡ଼ିବସିବ। ସେମାନେ ପରିବେଶ, ପରିବହନ ଏବଂ ସାମଗ୍ରିକ ଭାବେ ବିଭିନ୍ନ ପ୍ରକଳ୍ପରେ କୋଟି କୋଟି ଡଲାର ଖର୍ଚ୍ଚ କରୁଛନ୍ତି। ସୁତରାଂ ଆମକୁ ମଧ୍ୟ ଏ ଦିଗରେ ଉପରକୁ ଉଠିବାକୁ ହେବ ବୋଲି ବାଇଡେନ୍‌ ସତର୍କ କରାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର