ଆଫ୍‌ଗାନ ସଙ୍କଟ ନେଇ ବାଇଡେନ୍‌ଙ୍କ ଉଦ୍‌ବୋଧନ, ସେନା ପ୍ରତ୍ୟାହାର ସଠିକ୍‌ ନିଷ୍ପତ୍ତି ଥିଲା

ଆମେ ରାଷ୍ଟ୍ର ନିର୍ମାଣ ଲକ୍ଷ୍ୟ ନେଇ ଆଫ୍‌ଗାନିସ୍ତାନ ଯାଇନଥିଲୁ

ୱାସିଂଟନ: ଆଫାଗାନିସ୍ତାନକୁ ତାଲିବାନ ଦଖଲ କରିନେବା ପରେ ଗତରାତିରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଏହି ପ୍ରସଙ୍ଗରେ ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇଛନ୍ତି। ଆଫଗାନିସ୍ତାନରୁ ସେନା ପ୍ରତ୍ୟାହାର କରିବା ପାଇଁ ନିଆଯାଇଥିବା ନିଷ୍ପତ୍ତି ସଂପୂର୍ଣ୍ଣ ଠିକ୍‌ ଓ ଯୁକ୍ତିଯୁକ୍ତ ଥିଲା ବୋଲି ବାଇଡେନ୍‌ କହିଛନ୍ତି। ଆମେରିକା ଉପରେ ଆକ୍ରମଣ ପରେ ୨୦ ବର୍ଷ ତଳେ ଆମେରିକା ଯେଉଁ ଅଭିଯାନ କରିଥିଲା ସେଥିରେ ସଫଳତା ମିଳିଛି ଏବଂ ସେନା ପ୍ରତ୍ୟାହାର ନିଷ୍ପତ୍ତି ନେଇ କୌଣସି ଦ୍ବନ୍ଦ୍ବ ନଥିଲା ବୋଲି ସେ କହିଛନ୍ତି। ଆମେ ଅଲ୍‌ କାଏଦା ଓ ଏହାର ମୁଖିଆ ଓସାମା ବିନ୍‌ ଲାଦେନକୁ ନିପାତ କରିଛୁ। ଆଫଗାନିସ୍ତାନର ବର୍ତ୍ତମାନ ସଙ୍କଟ ପାଇଁ ପୂର୍ବ ରାଷ୍ଟ୍ରପତି ଅସରଫ୍‌ ଘନି ହିଁ ଦାୟୀ ବୋଲି ବାଇଡେନ୍‌ କହିଛନ୍ତି।

ଆଫଗାନିସ୍ତାନରେ ଆମେରିକା ସେନା ପ୍ରତିକୂଳ ପରିସ୍ଥିତିରେ ଦୁଇ ଦଶନ୍ଧି ଧରି ସେଠାରେ ଥିଲା ଏବଂ ଅଧିକ କାଳ ସେମାନଙ୍କୁ ସେଠାରେ ରଖିବା ସମ୍ଭବ ନଥିଲା ବୋଲି ବାଇଡେନ କହିଛନ୍ତି। ଆମେରିକା ନିଜର ସୁରକ୍ଷା ପାଇଁ ଆଫଗାନିସ୍ତାନରେ ଆତଙ୍କବାଦୀଙ୍କୁ ନିପାତ କରୁଥିଲା ଏବଂ ଆମେ କୌଣସି ରାଷ୍ଟ୍ର ନିର୍ମାଣ ଲକ୍ଷ୍ୟ ନେଇ ସେଠାକୁ ଯାଇନଥିଲୁ ବୋଲି ବାଇଡେନ୍‌ ସ୍ପଷ୍ଟ କରିଛନ୍ତି। ଆଫଗାନ ସେନାକୁ ଆମେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଏବଂ ପ୍ରଶିକ୍ଷଣ ଦେଇଥିଲୁ କିନ୍ତୁ ସେମାନେ ତାଲିବାନ ସହ ଲଢ଼େଇ ନକରି ଆତ୍ମସମର୍ପଣ କଲେ। ଆଫଗାନିସ୍ତାନ ନିଜର ସୁରକ୍ଷା ଓ ଗଣତନ୍ତ୍ରକୁ ନିଜେ ହିଁ ବିପନ୍ନ କରିଛି ବୋଲି ବାଇଡେନ୍‌ କହିଛନ୍ତି।

ସମ୍ବନ୍ଧିତ ଖବର