ବାଇଡେନଙ୍କ ତ୍ରୁଟି ବଢ଼ୁଛି : ମାନବିକ ଭୁଲ ନା ମାନସିକ ଭୁଲ ?

ୱାସିଂଟନ : ‌‌ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଞ୍ଚ ଏବଂ ଲୋକଙ୍କ ସାମ୍ନାରେ ଏଭଳି ଆଚରଣ ଓ ଉଚ୍ଚାରଣ କରୁଛନ୍ତି ଯାହା ଅନେକ ସମୟରେ ଦେଶର ନାଗରିକ ଏବଂ ଦଳର ସମର୍ଥକମାନଙ୍କ ପାଇଁ ଅପ୍ରୀତିକର ପରିସ୍ଥିତି ସୃ‌ଷ୍ଟି କରୁଛି। ବାଇଡେନଙ୍କ ଏ ପ୍ରକାର ତ୍ରୁଟି ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ନେଇ ତାଙ୍କ ସମର୍ଥକ ଏବଂ ସମାଲୋଚକମାନେ ସାମାଜିକ ଗଣମାଧ୍ୟମରେ ପରସ୍ପର ବିରୋଧରେ ଟିପ୍ପଣୀମାନ ଦେଉଛନ୍ତି। ତାଙ୍କ ସମର୍ଥକମାନେ ଏଭଳି ତ୍ରୁଟିକୁ ମାନବିକ ଭୁଲ ବୋଲି କହୁଛନ୍ତି। କିନ୍ତୁ ସମାଲୋଚକମାନେ ବାଇଡେନଙ୍କ ଏପ୍ରକାର ତ୍ରୁଟି ପାଇଁ ତାଙ୍କର ମାନସିକ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି। ବାଇଡେନଙ୍କ ଏସବୁ ତ୍ରୁଟିର ଭିଡ଼ିଓକୁ ଆରଏନସି ରିସର୍ଚ୍ଚ (ରିପବ୍ଳିକାନ ନ୍ୟାସନାଲ କମିଟି ଦ୍ବାରା ପରିଚାଳିତ) ଦ୍ବାରା ପ୍ରକାଶ କରାଯାଇଛି।

ନ୍ୟୁୟର୍କରେ ଗ୍ଲୋବାଲ ଫଣ୍ଡ ଦ୍ବାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ମଞ୍ଚରେ ଭାଷଣ ଦେବା ପରେ ସେ ଗୋଟିଏ ପଟକୁ ଚାଲିକରି ଯାଇଥିଲେ। ତାହାପରେ ସେ ଦିଗକୁ ନେଇ ଦ୍ବନ୍ଦ୍ବରେ ପଡ଼ିଥିଲେ। ବିରୋଧୀମାନେ ଏହାକୁ ତାଙ୍କର ମାନସିକ ଦକ୍ଷତାର ଅଭାବ ଏବଂ ତ୍ରୁଟି ବୋଲି କହୁଥିବାବେ‌ଳେ ସମର୍ଥକମାନେ ନୂଆ ଅପରିଚିତ ବ୍ୟବସ୍ଥାରେ ଏଭଳି ଅସୁବିଧାରେ ପଡ଼ିବା ସ୍ବାଭାବିକ ବୋଲି କହିଛନ୍ତି।

ରାଷ୍ଟ୍ରପତି ହେବାପରେ ବାଇଡେନ ମଧ୍ୟପ୍ରାଚ୍ୟକୁ ଯାଇଥିଲେ। ଇସ୍ରାଏଲରେ ଭାଷଣ ଦେବା ସମୟରେ ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ଇହୁଦୀମାନଙ୍କ ଗଣହତ୍ୟା ପ୍ରସଙ୍ଗ ଉଲ୍ଲେଖ କରିଥି‌ଲେ। ‘ଗଣହତ୍ୟାର ସତ୍ୟତା ଏବଂ ସମ୍ମାନ’ ଭୁଲରେ ଉଚ୍ଚାରଣ କରିଥିଲେ। ଇଂରାଜୀ ଶବ୍ଦ ‘ହରର’ ବା ଆତଙ୍କ ବଦଳରେ ‘ଅନର’ ଉଚ୍ଚାରଣ କରିଥିଲେ। ଅବଶ୍ୟ ଏହାକୁ ସେ ତୁରନ୍ତ ସଂଶୋଧନ କରି‌ ଦେଇଥିଲେ।

ସେହିଭଳି ବାଇଡେନଙ୍କ କର୍ମଚାରୀଙ୍କ ଦ୍ବାରା ସଭାର ବିସ୍ତୃତ ତାଲିକା ପ୍ରସ୍ତୁତ କରାଯାଇ ସଭାରେ କାହାପରେ କ’ଣ କରିବେ ତାଙ୍କୁ ଧରାଇ ଦିଆଯାଇଥିଲା। ଏପରିକି ସେଥିରେ ‘ୟୁ ଟେକ୍‌ ଇଓର ସିଟ୍‌’, ‘ୟୁ ଥ୍ୟାଙ୍କ ପାର୍ଟିସିପାଣ୍ଟସ’ ଏବଂ ‘ୟୁ ଡିପାର୍ଟ’ ଆଦି ଲେଖାଯାଇଥିଲା। ଉପସ୍ଥିତ ଜଣେ ଫଟୋଗ୍ରାଫର ସେହି ତାଲିକାର ଫଟୋ ଉଠାଇବା ପରେ ଜଣେ ସାମ୍ବାଦିକ ତାହାକୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ। ଉକ୍ତ ଚିଠାକୁ ଦେଖି ଅନେକ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ।

ଏକ କାର୍ଯ୍ୟକ୍ରମରେ ସିନେଟର ଚୁକ୍‌ ସୁମର ଭାଷଣ ଦେଇଥିଲେ। ତାଙ୍କ ଭାଷଣ ବେଳେ ଦର୍ଶକ ତାଳି ମାରିଥିଲେ। ସେହି ସମୟରେ ସେ ବାଇଡେନଙ୍କ ନିକଟକୁ ଆସି କରମର୍ଦ୍ଦନ କରିଥିଲେ। ଏହାପରେ ପୁଣି ଭାଷଣ ଦେଇ ବାଇଡେନଙ୍କ ନିକଟରେ ଥିବା ଅଧିକାରୀମାନଙ୍କ ନିକଟରେ ଛିଡ଼ା ହୋଇଥିଲେ। ସେହି ସମୟରେ ବାଇଡେନ ସିନେଟର ସୁମରଙ୍କ ସହିତ ପୁଣିଥରେ କରମର୍ଦ୍ଦନ ପାଇଁ ହାତ ‌ଉଠାଇଥିଲେ। କିନ୍ତୁ ତତ୍‌କ୍ଷଣାତ ସେ ତାଙ୍କ ତ୍ରୁଟିକୁ ଅନୁଭବ କରି ହାତକୁ ମୁହଁ ନିକଟକୁ ନେଇଥିଲେ।

ଗତ ବୁଧବାର ୱାସିଂଟନଠାରେ କ୍ଷୁଧା, ପୁଷ୍ଟି ଏବଂ ସ୍ବାସ୍ଥ୍ୟ ଉପରେ ଉଦବୋଧନ ଦେବାବେଳେ ସେ ସେହି କାର୍ଯ୍ୟକ୍ରମର ଆୟୋଜକମାନଙ୍କୁ ଧନ୍ୟବାଦ ଦେଇଥିଲେ। ଏଥିସହିତ ଆୟୋଜକଙ୍କୁ ସହାୟତା କରିଥିବାରୁ ସେ କଂଗ୍ରେସର ଜଣେ ମୃତ ସଦସ୍ୟା ଜ୍ୟାକି ୱାଲୋରସ୍କିଙ୍କୁ ଧନ୍ୟବାଦ ଦେଇଥିଲେ, ଯେପରିକି ସେ ଜୀବିତ ଅଛନ୍ତି। ସେ କହିଥିଲେ ଜ୍ୟାକି, ଆପଣ ଏଠି ଅଛନ୍ତି କି? ଆପଣ କେଉଁଠି? ସୂଚନାଯୋଗ୍ୟ, ଗତ ଅଗଷ୍ଟ ୩ ତାରିଖରେ ଜ୍ୟାକିଙ୍କର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇସାରିଛି।

ସମ୍ବନ୍ଧିତ ଖବର