ୱାସିଂଟନ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଗାଜାରେ ଲଢ଼େଇ ଶେଷ କରିବା ପାଇଁ ଆଜି ନୂତନ ପ୍ରସ୍ତାବ ରଖିଛନ୍ତି। ଇସ୍ରାଏଲର ଲଗାତାର ଆକ୍ରମଣରେ ଆତଙ୍କବାଦୀ ସଂଗଠନ ହମାସ ଏବେ ଦୁର୍ବଳ ହୋଇଯାଇଛି ଏବଂ ପାଲଟା ଆକ୍ରମଣ କରିବା ସ୍ଥିତିରେ ନାହିଁ ବୋଲି ବାଇଡେନ କହିଛନ୍ତି। ଇସ୍ରାଏଲ ନିମନ୍ତେ ଏକ ନୂତନ ପ୍ରସ୍ତାବର ରୂପରେଖ ପ୍ରସ୍ତୁତ କରି ସେ କହିଛନ୍ତି ଯେ ‘ଏହି ଯୁଦ୍ଧ ଶେଷ ହେବାର ସମୟ ଆସିଥିବାରୁ ଯଥୋଚିତ ନିଷ୍ପତ୍ତି ନବୋକୁ ପଡ଼ିବ।’ ବାଇଡେନ ତାଙ୍କ ପ୍ରସ୍ତାବରେ କହିଛନ୍ତି, ପ୍ରଥମେ ୬ ସପ୍ତାହର ଅସ୍ତ୍ରବିରତି ହେବ ଏବଂ ପରେ ଏହା ସ୍ଥାୟୀ ହେବ ।

Advertisment

ଏହାର ସୁଫଳ ଆଧାରରେ ଅନ୍ତର୍ଜାତୀୟ ସହାୟତାରେ ଗାଜାର ପୁନଃନିର୍ମାଣ ଆରମ୍ଭ କରାଯିବ। ତେବେ ହମାସ ଓ ଇସ୍ରାଏଲକୁ ନେଇ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ଆଲୋଚନା କଷ୍ଟକର ହେବ ବୋଲି ବାଇଡେନ ସ୍ୱୀକାର କରିଛନ୍ତି। ହମାସ ଏବଂ ଇସ୍ରାଏଲକୁ ପ୍ରଥମେ ୬ ସପ୍ତାହର ଅସ୍ତ୍ର ବିରତି ପାଇଁ ମନାଇବା ଦିଗରେ କ୍ଷେତ୍ର ପ୍ରସ୍ତୁତ କରିବାକୁ ସେ ଗୁରୁତ୍ବାରୋପ କରିଛନ୍ତି। ବାଇଡେନ ତାଙ୍କ ପ୍ରସ୍ତାବରେ କହିଛନ୍ତି ଯେ ହମାସକୁ ପୁନର୍ବାର ଅସ୍ତ୍ରଶସ୍ତ୍ର ଠୁଳ କରିବାକୁ ସୁଯୋଗ ଯେଭଳି ମିଳିବ ନାହିଁ ତାହା ସୁନିଶ୍ଚିତ ହେବା ଆବଶ୍ୟକ। ପାଲେଷ୍ଟାଇନ ଏବଂ ଇସ୍ରାଏଲ ନେତାମାନେ ଏକାଠି ହୋଇ ଗାଜାର ପୁନଃନିର୍ମାଣ ପାଇଁ ନିଷ୍ପତ୍ତି ନେଲେ ଅନେକ ଜଟିଳ ସ୍ଥିତିର ସମାଧାନ ସମ୍ଭବ ହୋଇପାରିବ ବୋଲି ସେ କହିଛନ୍ତି।