ରୋମ୍: ଜି-୭ ଶିଖର ସମ୍ମିଳନୀ ପାଇଁ ଇଟାଲି ଗସ୍ତରେ ଥିବା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ‘ମତିଭ୍ରମ’ କାରଣରୁ ଜି-୭ ନେତାଙ୍କ ସମାବେଶରୁ ଦୂରେଇ ଇତସ୍ତତଃ ପଦଚାରଣା କରିବାକୁ ବାହାରିବା ଭିଡିଓକୁ ନେଇ ଇଣ୍ଟରନେଟ୍‌ରେ ନାନା ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଭାଇରାଲ ଭିଡିଓରେ ବାଇଡେନ୍ ନିଜ ଡାହାଣ ଆଡ଼କୁ ମୁହାଁଇ ସାଙ୍ଗରେ ଥିବା ଅନ୍ୟ ଜି-୭ ନେତାଙ୍କ ପାଖରୁ ଦୂରେଇ ଯାଉଥିବା ବେଳେ ଇଟାଲି ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ତାଙ୍କୁ ଫେରାଇ ଆଣିଥିଲେ। ଏହି ଭିଡିଓରେ ମେଲୋନିଙ୍କ ସମେତ ବ୍ରିଟିସ ପ୍ରଧାନମନ୍ତ୍ରୀ ଋଷି ସୁନକ, କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍, ଜର୍ମାନ ଚାନସେଲର ଓଲାଫ୍ ସ୍କଲ୍ଜ, ୟୁରୋପୀୟ କମିସନ ଅଧ୍ୟକ୍ଷା ଉର୍ସୁଲା ଭନ୍ ଡେର୍ ଲେୟେନଙ୍କ ଭଳି ପ୍ରମୁଖ ଜି-୭ ନେତା ଦୃଶ୍ୟମାନ ହେଉଛନ୍ତି। ବାଇଡେନଙ୍କ ଆଚରଣକୁ ନେଇ ସୋସିଆଲ ମିଡିଆରେ ଅନେକେ ଚିନ୍ତା ପ୍ରକଟ କରିଛନ୍ତି।

Advertisment

ଏକ୍ସର ଜଣେ ୟୁଜର ଏହି କ୍ଲିପ୍‌କୁ ସେୟାର କରି କମେଣ୍ଟରେ ଲେଖିଛନ୍ତି, ରାଷ୍ଟ୍ରପତି ବାଇଡେନ ଜି-୭ ଶିଖର ସମ୍ମିଳନୀରେ ପଦଚାରଣା କରିବାକୁ ଆରମ୍ଭ କରିଥିବା ଜଣାପଡ଼ୁଛି। ତାଙ୍କୁ ପୁଣି ଥରେ ସମ୍ଭାଳିବାକୁ ପଡ଼ିବ। ଯାହାହେଉ, ଇଟାଲି ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ତାଙ୍କୁ ଫେରାଇ ଆଣିଛନ୍ତି। ଆଉ ଜଣେ ଲେଖିଛନ୍ତି- ଏତିକି କ୍ୟାମେରାରେ ରେକର୍ଡ ହୋଇଛି। ଆପଣ କଳ୍ପନା କରିପାରିବେ କି ସେ ବିଶ୍ୱ ନେତାଙ୍କ ସମ୍ମୁଖରେ ଆଉ କ’ଣସବୁ କରିଥିଲେ? ଏହା ଲଜ୍ଜାଜନକ। ‘ହେ ପ୍ରଭୁ, ଦୟାକରି ଆମେରିକାକୁ ସାହାଯ୍ୟ କରନ୍ତୁ। ଆମେ ସୂତାଖିଅରେ ଝୁଲୁଛୁ। ଆଉ କେତେ ଦିନ ସେମାନେ ତାଙ୍କୁ ଆମକୁ ଲଜ୍ଜିତ କରିବାକୁ ଦେବେ?’- ଆଉ ଜଣେ ୟୁଜର ପ୍ରକାଶ କରିଛନ୍ତି। ଏଭଳି ଲୋକ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଦ୍ବିତୀୟ ପାଳି ପାଇଁ ଭାଗ ନେବାକୁ ଯାଉଥିବାରୁ ଅନେକ ନେଟିଜେନ୍ ଡେମୋକ୍ରାଟ୍‌ମାନଙ୍କୁ ଦୋଷ ଦେଇଛନ୍ତି। ଏହି ଘଟଣା ଅନେକ ଉଦାହରଣ ମଧ୍ୟରୁ ଅନ୍ୟତମ, ଯେଉଁଥିରେ ୮୧ ବର୍ଷୀୟ ଆମେରିକା ରାଷ୍ଟ୍ରପତିଙ୍କ ସ୍ୱାସ୍ଥ୍ୟ ଉପରେ ସୋସିଆଲ ମିଡିଆରେ ପ୍ରଶ୍ନ ଉଠିଛି। ଏହାପୂର୍ବରୁ ଗୁରୁବାର ଜି-୭ ଶିଖର ସମ୍ମିଳନୀ ପାଇଁ ଇଟାଲି ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ବାଇଡେନଙ୍କୁ ସ୍ୱାଗତ କରିବା ଅବସରରେ ସେ ତାଙ୍କୁ ସାଲ୍ୟୁଟ୍‌ କରିଥିଲେ। ବାଇଡେନଙ୍କ ଏହି କାର୍ଯ୍ୟ ସୋସିଆଲ ମିଡିଆରେ ବ୍ୟାପକ ଦୃଷ୍ଟି ଆକର୍ଷଣ କରିଥିଲା।