ବାଇଡେନଙ୍କ ଚେତାବନୀ: ରୁଷ୍‌-ନାଟୋ ଲଢ଼ିଲେ ତୃତୀୟ ବିଶ୍ୱଯୁଦ୍ଧ

ୟୁକ୍ରେନ୍‌ରେ ରାସାୟନିକ ଅସ୍ତ୍ର ବ୍ୟବହାର କଲେ ବହୁମୂଲ୍ୟ ଦେବ ରୁଷ୍‌

ୱାସିଂଟନ : ୟୁକ୍ରେନ ଉପରେ ସାମରିକ ଆକ୍ରମଣ ୧୬ ଦିନରେ ପହଞ୍ଚି ଥିବାବେଳେ ଶୁକ୍ରବାର ଦିନ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ରୁଷ୍‌କୁ କଡ଼ା ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ୟୁକ୍ରେନରେ ରୁଷ୍‌ ଯଦି ‌ରସାୟନିକ ଯୁଦ୍ଧାସ୍ତ୍ର ବ୍ୟବହାର କରେ ସେଥିପାଇଁ ତାହାକୁ ବହୁମୂଲ୍ୟ ଦେବାକୁ ପଡ଼ିବ। ଏହି ଯୁଦ୍ଧରେ ରୁଷ୍‌କୁ ନାଟୋ ମୁକାବିଲା କରୁ ବୋଲି ୟୁକ୍ରେନ ଚାପ ପକାଇ ଆସୁଛି। କିନ୍ତୁ ୟୁକ୍ରେନର ଏହି ଦାବି ସହ ବାଇଡେନ ଏକମତ ହୋଇନାହାନ୍ତି। ଏହାହେଲେ ବିଶ୍ବରେ ତୃତୀୟ ବିଶ୍ବଯୁଦ୍ଧ ହେବାର ଆଶଙ୍କା ରହିଛି ବୋଲି ବାଇଡେନ କହିଛନ୍ତି। ୟୁକ୍ରେନ ଓ ରୁଷ ଜୈବିକ ଏବଂ ରସାୟନିକ ଯୁଦ୍ଧାସ୍ତ୍ରର ବିକାଶ କରୁଛନ୍ତି ବୋଲି ରୁଷିଆ ଅଭିଯୋଗ କରିଛି। ତେବେ ପାଶ୍ଚତ୍ୟ ଦେଶଗୁଡ଼ିକ ପାଲଟା ଅଭିଯୋଗ କରିଛନ୍ତି। ସେମାନେ କହିଛନ୍ତି ଏଭଳି ଅଭିଯୋଗ ଆଣି ରୁଷ୍‌ ଏସବୁ ଅସ୍ତ୍ରର ବ୍ୟବହାର କରିପାରେ। ଏହି ଖବର ପରେ ବାଇଡେନ କହିଛନ୍ତି, ଗୁଇନ୍ଦା ସୂଚନା ସଂପର୍କରେ ସେ କିଛି କହୁନାହାନ୍ତି। କିନ୍ତୁ ରୁଷ୍‌ ଯଦି ରସାୟନିକ ଅସ୍ତ୍ର ବ୍ୟବହାର କରେ ତା’ହେଲେ ଏଥିପାଇଁ ସେହି ଦେଶକୁ ବହୁମୂଲ୍ୟ ଦେବାକୁ ପଡ଼ିବ। ମସ୍କୋ ବିରୋଧରେ ଅଧିକ କଟକଣା ଘୋଷଣା ସମୟରେ ବାଇଡେନ ଏହା କହିଛନ୍ତି।

ରୁଷ୍‌ର ଅନୁରୋଧ କ୍ରମେ ଜାତିସଂଘ ସୁରକ୍ଷା ପରିଷଦର ଏକ ଜରୁରୀ ବୈଠକ ଶୁକ୍ରବାର ଅନୁଷ୍ଠିତ ହେଉଛି। ୟୁକ୍ରେନରେ ଜୈବିସ୍ତ୍ର ଅସ୍ତ୍ର ନିର୍ମାଣ ସଂପର୍କରେ ଅଭିଯୋଗ କରି ଏହି ବୈଠକ ରୁଷ ଡାକିଛି। ବାଇଡେନ ମଧ୍ୟ ରୁଷ୍‌ ସହ ଆମେରିକାର ସ୍ବାଭାବିକ ବାଣିଜ୍ୟ ବନ୍ଦ ପାଇଁ ପଦକ୍ଷେପ ନେଇଛନ୍ତି। ଏହାଦ୍ବାରା ରୁଷ୍‌ ଉପରେ ଅଧିକ ଚାପ ସୃଷ୍ଟି ପାଇଁ ବାଇଡେନ ପ୍ରୟାସ କରିଛନ୍ତି। ଅନ୍ୟ ପାଶ୍ଚାତ୍ୟ ରାଷ୍ଟ୍ରଭଳି ଆମେରିକା ମଧ୍ୟ ୟୁକ୍ରେନକୁ ଆଣ୍ଟି-ଏୟାରକ୍ରାଫ୍ଟ ଏବଂ ଆଣ୍ଟି-ଟ୍ୟାଙ୍କ ମିସାଇଲ ବହୁସଂଖ୍ୟାରେ ପଠାଉଛି। ଏଥିସହିତ ‌‌ଗୁଇନ୍ଦା ତଥ୍ୟର ଆଦାନପ୍ରଦାନ କରୁଛନ୍ତି। ତେବେ ବାଇଡେନ ଏହା ସ୍ପଷ୍ଟ କରିଦେଇଛନ୍ତି ଯେ ଆମେରିକୀୟ ସେନା ୟୁକ୍ରେନରେ ଲଢ଼ିବେ ନାହିଁ। କାରଣ ନାଟୋ ଏବଂ ରୁଷ୍‌ ମଧ୍ୟରେ ସିଧାସଳଖ ଲଢ଼େଇ ଅର୍ଥ ତୃତୀୟ ବିଶ୍ବଯୁଦ୍ଧ। ତେଣୁ ଏଥିରୁ ଆମେ ବିରତ ରହିବା ଆବଶ୍ୟକ ବୋଲି ବାଇଡେନ କହିଛନ୍ତି।

ଅନ୍ୟପକ୍ଷରେ ପଶ୍ଚିମ ୟୁକ୍ରେନରେ ଏବେ ରୁଷ୍‌ର ଆକ୍ରମଣ ଚଳାଇଛି। ପୂର୍ବ ୟୁକ୍ରେନର ଭୋଲନୋଭାକା ସହରକୁ ରୁଷ ସେନା ନିଜ ଦଖଲକୁ ନେଇଛି। କିଭର ଉତ୍ତର ଭାଗରେ ରୁଷ ସେନା ଗତ ୨୪ ଘଣ୍ଟା ଭିତରେ ଆଗକୁ ବଢ଼ିଛନ୍ତି। ଏଥିସହିତ ଅନ୍ୟ ଏକ ସେନାଦଳ ସୁମି ନିକଟବର୍ତ୍ତୀ ହୋଇଛନ୍ତି। ଖାରକିଭର ଉପକଣ୍ଠରେ ରୁଷ ସେନା ଥିଲେ ମଧ୍ୟ ଏହି ସହରକୁ ବର୍ତ୍ତମାନ ସୁଦ୍ଧା ନିଜ ଅକ୍ତିଆରକୁ ନେଇନାହାନ୍ତି।

ସମ୍ବନ୍ଧିତ ଖବର