ନୂଆଦିଲ୍ଲୀ: ଲକ୍ଡାଉନ୍ ଲାଗୁ ହେବା ପରେ ଅନେକ ଲୋକ ଚାକିରି ହରାଇ ବେରୋଜଗାର ହୋଇଛନ୍ତି। ଅନେକ ପାଠ ପଢୁଆ ଯୋଗ୍ୟ ଫ୍ରେସର୍ ଚାକିରି ନପାଇ ହିନସ୍ତା ବି ହେଉଛନ୍ତି। ଏହା ମଧ୍ୟରେ ୪ଟି ବଡ଼ ଆଇଟି କମ୍ପାନି ପକ୍ଷରୁ ଏକ ଖୁସି ଖବର ଘୋଷଣା କରାଯାଇଛି। ଟିସିଏଏସ୍, ଇନ୍ଫୋସିସ୍, ଏଚ୍ସିଏଲ୍ ଟେକ୍ନୋଲୋଜି ଓ ୱିପ୍ରୋ ଫ୍ରେସର୍ମାନଙ୍କ ପାଇଁ ୯୧ ହଜାର ନିଯୁକ୍ତି ସୁଯୋଗ ଆଣିଛନ୍ତି।
ନିକଟରେ ଗଣମାଧ୍ୟମରେ ଟିସିଏସ୍ କାର୍ଯ୍ୟକାରୀ ଭିପି ଏବଂ ଗ୍ଲୋବାଲ୍ ଏଚ୍ଆର୍ ହେଡ୍ ମିଲିନ୍ଦ ଲକଡ୍ କହିଥିଲେ କି ୨୦୨୧-୨୨ ମସିହାରେ ଟିସିଏସ୍ ଫ୍ରେସରମାନଙ୍କ ପାଇଁ ୪୦ ହଜାର ନିଯୁକ୍ତି ସୁଯୋଗ ଆଣିବ।
ସେହିପରି ଆଗାମୀ ଆର୍ଥିକ ବର୍ଷରେ ୨୪ ହଜାର କଲେଜ୍ ଗ୍ରାଜୁଏଟ୍ଙ୍କ ପାଇଁ ନିଯୁକ୍ତି ସୁଯୋଗ ଆଣିଦେବ ବୋଲି ଘୋଷଣା କରିଥିଲା ଇନ୍ଫୋସିସ୍। ଏଚ୍ସିଏଲ୍ ୧୫ ହଜାର ନିଯୁକ୍ତି ସୁଯୋଗ ପ୍ରଦାନ କରିବ ବୋଲି କମ୍ପାନିର ମୁଖ୍ୟ ଏଚ୍ଆର୍ ଅଧିକାରୀ ଆପରାଓ ଭି ଭି କହିଥିଲେ।
ନିକଟରେ ଜର୍ମାନ ରିଟେଲର ମେଟ୍ରୋ ସହିତ ଏକ ଚୁକ୍ତି କରିଥିଲା ୱିପ୍ରୋ। ଗତ ଦୁଇ ତ୍ରୈମାସରେ କମ୍ପାନି ଆଇଟି କ୍ଷେତ୍ରରେ ଅନେକ ନିଯୁକ୍ତି ଦେଇଥିବା ବେଳେ ଆସନ୍ତା କିଛି ମାସ ମଧ୍ୟରେ ମଧ୍ୟ ଆହୁରି ନିଯୁୁକ୍ତି ସୁଯୋଗ ବୃଦ୍ଧି କରିବ ବୋଲି ଆଶା ରହିଛି। ଏ ନେଇ ୱିପ୍ରୋର ମୁଖ୍ୟ ଏଚ୍ଆର୍ ଅଧିକାରୀ ଗୌରଭ ଗୋଭିଲ୍ କହିଛନ୍ତି, ‘ସବୁ କିଛି ଚାହିଦା ଉପରେ ନିର୍ଭର କରେ। ଯେତେ ଅଧିକ ଚାହିଦା, ସେତେ ଅଧିକ ସୁଯୋଗ।’