ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବୁଲନ୍ଦଶାହ ଜିଲ୍ଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଏଠାରେ ଏକ ବିବାହ ଶୋଭାଯାତ୍ରାରେ ଯାଉଥିବା ଇକୋ କାର ଦୁର୍ଘଟଣାଗ୍ରସ୍ତ ହେବାରୁ ଏଥିରେ ଥିବା ୬ଜଣ ଯାତ୍ରୀ କେନାଲରେ ବୁଡ଼ି ଯାଇଥିଲେ। ଏଥିମଧ୍ୟରୁ ତିନିଜଣଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି। ମୃତକଙ୍କ ନାମ ମନୀଷ, କାନ୍ତା ଓ ଅଞ୍ଜଳି ବୋଲି ଜଣାପଡ଼ିଛି। ଏମାନେ ସମ୍ପର୍କରେ ଭାଇ ଓ ଭଉଣୀ ଥିବା କୁହାଯାଉଛି।
ସୂଚନାନୁସାରେ, କକୋଡର ଶେରପୁର ଗ୍ରାମରୁ ଆଲିଗଡ଼ ଅଭିମୁଖେ ବରଯାତ୍ରୀ ଏକ ଇକୋ କାରରେ ବାହାରିଥିଲେ। ରବିବାର ରାତିରେ କାରଟି କପ୍ନା ଗ୍ରାମରେ ଥିବା କେନାଲ ବ୍ରିଜ ଉପରେ ଅନିୟନ୍ତ୍ରିତ ହୋଇଯାଇଥିଲା। ଫଳରେ କାରଟି ବ୍ରିଜ ତଳକୁ ଖସି ପଡ଼ିଥିଲା। ଏହି କାରରେ ବର ରୋବିନଙ୍କ ଭଣଜା ମନୀଷ, ମନୀଷଙ୍କ ଭଉଣୀ କାନ୍ତା ଓ ଅଞ୍ଜଳିଙ୍କ ସମେତ ପିଉସୀଙ୍କ ପୁଅ ପ୍ରଶାନ୍ତ, ଭାନଜି ଓ କୈଳାଶ ମଧ୍ୟ ଥିଲେ। ଏ ସମସ୍ତେ କେନାଲ ଭିତରକୁ ଖସି ପଡ଼ିଥିଲେ।
ସ୍ଥାନୀୟଲୋକ ଏହି ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି କେନାଲ ଭିତରୁ ଯାତ୍ରୀଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିବା ସହିତ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସାହାଯ୍ୟରେ କେନାଲ ଭିତରୁ ମନୀଷ, କାନ୍ତା ଓ ଅଞ୍ଜଳିଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।
ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଅନ୍ୟ ଯାତ୍ରୀମାନଙ୍କୁ କେନାଲରୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିଥିଲା। ତେବେ ଏଖବର ବର ରୋବିନଙ୍କ ଘର ପହଞ୍ଚିବା ପରେ ହସଖୁସିରେ କମ୍ପି ଉଠୁଥିବା ପରିବାରରେ ଶୋକରଛାୟା ଖେଳି ଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/03/fd3293ba-b9f0-4154-9b4a-b923d547ca92.jpg)