ପାଟନା: ସପ୍ତାହବ୍ୟାପୀ ବିବାଦ ଓ ମାରାଥନ୍ ଆଲୋଚନା ପରେ ଆର୍ଜେଡି (ରାଷ୍ଟ୍ରୀୟ ଜନତା ଦଳ) ନେତା ତେଜସ୍ବୀ ଯାଦବଙ୍କୁ ଆଜି ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରାଯାଇଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ମେଣ୍ଟ ନେତାମାନେ ଏହି ଘୋଷଣା କରି ଏନ୍ଡିଏର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ବୋଲି ପ୍ରଶ୍ନ କରିଛନ୍ତି। ଆସନ ବୁଝାମଣା କଥାବାର୍ତ୍ତା ସମୟରେ ଅତି କଡ଼ା ସର୍ତ୍ତ ରଖିଥିବା ବିକାଶଶୀଳ ଇନ୍ସାନ୍ ପାର୍ଟି (ଭିଆଇପି) ମୁଖ୍ୟ ମୁକେଶ ସାହାଣୀଙ୍କୁ ମହାମେଣ୍ଟର ଉପମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରାଯାଇଛି। ବରିଷ୍ଠ କଂଗ୍ରେସ ନେତା ଅଶୋକ ଗେହଲଟ କହିଛନ୍ତି, ସମସ୍ତ ବରିଷ୍ଠ ନେତାମାନଙ୍କ ସହ ଆଲୋଚନା ପରେ ଆମେ ଏହି ନିଷ୍ପତ୍ତି ନେଇଛୁ ଯେ ତେଜସ୍ବୀ ଯାଦବ ଆଗାମୀ ବିହାର ବିଧାନସଭା ନିର୍ବାଚନରେ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ଏବଂ ତାଙ୍କ ନେତୃତ୍ବରେ ମେଣ୍ଟ ଚଳିତ ନିର୍ବାଚନ ଲଢ଼ିବ।
ଉଲ୍ଲେଖଯୋଗ୍ୟ, ମହାମେଣ୍ଟରେ ଆସନ ବୁଝାମଣାକୁ ନେଇ ବିବାଦ ଦେଖାଦେବାପରେ ଅଶୋକ ଗେହଲଟ ସଙ୍କଟମୋଚକ ଭାବେ ପହଞ୍ଚି ବିବାଦର ସମାଧାନ କରିଛନ୍ତି। ଗେହଲଟ କହିଛନ୍ତି, ଇଣ୍ଡି ମେଣ୍ଟ କ୍ଷମତା ଆସିଲେ ସାହାଣୀଙ୍କ ସହିତ ପଛୁଆ ଶ୍ରେଣୀର ଅନ୍ୟ ଜଣେ ନେତା ବି ଉପମୁଖ୍ୟମନ୍ତ୍ରୀ ହୋଇପାରନ୍ତି। ଉଲ୍ଲେଖଯୋଗ୍ୟ, ବିହାର ବିଧାନସଭା ନିର୍ବାଚନ ପାଇଁ ଆଉ ୨ ସପ୍ତାହ ଥିବାବେଳେ ଆଜି ମହାମେଣ୍ଟର ଉପମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରାଯାଇଛି। ତେବେ ଆଜି ମହାମେଣ୍ଟର ସାମ୍ବାଦିକ ସମ୍ମିଳନୀକୁ ନେଇ ଏକ ବିବାଦ ହୋଇଛି। ସାମ୍ବାଦିକ ସମ୍ମିଳନୀରେ ଲାଗିଥିବା ପୋଷ୍ଟରରେ ରାହୁଲ ଗାନ୍ଧୀଙ୍କ ଫଟୋ ନଥିବାରୁ ଏଥିପାଇଁ ବିଜେପି କଂଗ୍ରେସକୁ କଟାକ୍ଷ କରିଛି ଏବଂ ମହାମେଣ୍ଟର ନେତୃତ୍ବ ବିବାଦ ନେଇ ପ୍ରଶ୍ନ ଉଠାଇଛି। ତେଜସ୍ବୀ ଯାଦବଙ୍କୁ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରାଯିବା ପରେ ସେ ସୋନିଆ ଏବଂ ରାହୁଲ ଗାନ୍ଧୀଙ୍କୁ ଏଥିପାଇଁ ଧନ୍ୟବାଦ ଜଣାଇଛନ୍ତି। ତେଜସ୍ବୀ କହିଛନ୍ତି, ଏଥର ବିହାରରୁ ଡବଲ୍ ଇଂଜିନ ସରକାର ହଟିବା ନିଶ୍ଚିତ।
ମୁକେଶ ସାହାଣୀ ଉପମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବା ପଛର ରହସ୍ୟ, ପାଟନା ହୋଟେଲରେ ହାଇଡ୍ରାମା
ପାଟନା: ବିକାଶଶୀଳ ଇନ୍ସାନ୍ ପାର୍ଟି ମୁଖ୍ୟ ମୁକେଶ ସାହାଣୀଙ୍କୁ ଆଜି ମହାମେଣ୍ଟ ପକ୍ଷରୁ ଉପମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରାଯିବା ପୂର୍ବରୁ ନାଟକୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ସାମ୍ବାଦିକ ସମ୍ମିଳନୀ ଆରମ୍ଭ ହେବାର କିଛି ଘଣ୍ଟା ପୂର୍ବରୁ ଏହି ଡ୍ରାମା ଆରମ୍ଭ ହୋଇଥିଲା। ସୁତ୍ର ଅନୁଯାୟୀ ସାହାଣୀ ପାଟନାର ହୋଟେଲ ମୌର୍ଯ୍ୟରେ ରହୁଥିଲେ। କଂଗ୍ରେସର ବରିଷ୍ଠ ନେତା ଅଶୋକ ଗେହଲଟଙ୍କ ସମେତ ଅନ୍ୟ ନେତାମାନେ ମଧ୍ୟ ସେଠାରେ ଥିଲେ। ମହାମେଣ୍ଟର ସାମ୍ବାଦିକ ସମ୍ମିଳନୀ ଆରମ୍ଭ ହେବା ପୂର୍ବରୁ ସମସ୍ତ ନେତାମାନେ ଗେହଲଟ ରହୁଥିବା ସୁଟ୍ରେ ରୁଣ୍ଡ ହୋଇଥିଲେ। ତେଜସ୍ବୀ ମଧ୍ୟ ସେଠାରେ ପହଞ୍ଚିଥିଲେ। କିନ୍ତୁ ମୁକେଶ ସେଠାକୁ ଯାଇନଥିଲେ। ତାଙ୍କ ବାର୍ତ୍ତା ସ୍ପଷ୍ଟ ଥିଲା ଯେ ଯଦି ତେଜସ୍ବୀ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ଚେହେରା ହେବେ ତେବେ ତାଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯାଉ।
ସାହାଣୀ ଘୋଷଣା କରିଥିଲେ ଯେ ମୁଁ ୨୫ରୁ କମ୍ ଆସନରେ ରାଜି ହେଲି ଏବଂ ଦିଆଯାଇଥିବା ୧୫ ଆସନ ଗ୍ରହଣ କଲି। କାରଣ ମୁଁ ଭାବିଲି ଯେ ମୋତେ ଉପମୁଖ୍ୟମନ୍ତ୍ରୀ ପଦ ମିଳିବ। କିନ୍ତୁ ଯଦି ଏହା ନହୁଏ ତେବେ ମୁଁ ମୋ ସମର୍ଥକମାନଙ୍କୁ ସାମ୍ନା କିଭଳି କରିବି। ସାହାଣୀଙ୍କ ଏହି ଘୋଷଣା ପରେ ଆର୍ଜେଡି ମୁଖ୍ୟ ତେଜସ୍ବୀ ଏଥିରେ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରି କହିଥିଲେ, ଯଦି ବିରୋଧୀ ମହାମେଣ୍ଟ ନିର୍ବାଚନ ଜିତି ସରକାର ଗଠନ କରେ ତେବେ ପ୍ରତି ଦଳ ସରକାରର ଏକ ଅଂଶବିଶେଷ ରହିବେ। ଏହାପରେ ମୁକେଶ ବାର୍ତ୍ତା ପଠାଇଥିଲେ ଯେ ଏହି ପ୍ରତିଶ୍ରୁତି ଯଥେଷ୍ଟ ହେଲାନାହିଁ। ଗେହଲଟ ଏହାପରେ ଦିଲ୍ଲୀରେ କଂଗ୍ରେସ ମୁଖ୍ୟାଳୟ ସହ ଯୋଗାଯୋଗ କରିଥିଲେ। ସାହାଣୀଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯାଇପାରିବ କି ବୋଲି ସେ ପ୍ରଶ୍ନ କରିଥିଲେ। ଦଳ ସମ୍ମତି ପ୍ରକାଶ କରିବା ପରେ ମୁକେଶଙ୍କୁ ଏହି ଖବର ଦିଆଯାଇଥିଲା। ଏହାପରେ ସେ ନିଜ ସୁଟ୍ରୁ ବାହାରି ସାମ୍ବାଦିକ ସମ୍ମିଳନୀରେ ପହଞ୍ଚିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/24/sfssfxcxcxc-2025-10-24-04-48-37.jpg)