ମୁମ୍ବାଇ : ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନ ପାନ ମସାଲା ଉତ୍ପାଦନକାରୀ କମଲା ପସନ୍ଦକୁ ଆଇନଗତ ନୋଟିସ ପଠାଇଛନ୍ତି । ଏହି କମ୍ପାନି ସହିତ ତାଙ୍କ ଚୁକ୍ତିକୁ ରଦ୍ଦ କରାଯାଇଥିଲେ ବି ପାନ ମସାଲା ବିଜ୍ଞାପନ ଦେଖାଇଚାଲିଥିବାରୁ ବିଗ ବି ଏହି ପଦକ୍ଷେପ ନେଇଛନ୍ତି ।

Advertisment

ଏହି କମ୍ପାନି ସହ ତାଙ୍କର ହୋଇଥିବା ଚୁକ୍ତିକୁ ଅମିତାଭ ସରୋଗେଟ୍ ବିଜ୍ଞାପନ କହି ରଦ୍ଦ କରିଦେଇଥିଲେ । ସରୋଗେଟ୍ ବିଜ୍ଞାପନର ଅର୍ଥ ହେଉଛି ଏକ ଭିନ୍ନ ଉତ୍ପାଦର ବିଜ୍ଞାପନ ମାଧ୍ୟମରେ ମଦ, ସିଗାରେଟ, ତମ୍ବାଖୁ ଆଦି ସାମଗ୍ରିର ପ୍ରଚାର କରିବା । ଏହି ବିଜ୍ଞାପନ ନ କରିବାକୁ ଜାତୀୟ ତମ୍ବାଖୁ-ନିରୋଧୀ ସଂଗଠନ ଅମିତାଭଙ୍କୁ ନିବେଦନ କରିବା ପରେ ସେ ଏହି ଚୁକ୍ତି ରଦ୍ଦ କରିଦେଇଥିଲେ । ଏହା ସହିତ ବିଜ୍ଞାପନ ବାବଦରେ ପାଇଥିବା ଅର୍ଥକୁ ଫେରସ୍ତ କରିଦେଇଥିଲେ । ଏହା ସତ୍ତ୍ବେ ଉକ୍ତ କମ୍ପାନି କମଲା ପସନ୍ଦର ବିଜ୍ଞାପନ ଦେଖାଇଚାଲିଥିବାରୁ ଅମିତାଭ ଆଇନଗତ ନୋଟିସ ପଠାଇଛନ୍ତି ।

ଅମିତାଭ କମଲା ପସନ୍ଦ କମ୍ପାନିର ସିଲଭର କୋଟେଡ୍ ଅଳେଇଚର ବିଜ୍ଞାପନ କରୁଥିଲେ । କିନ୍ତୁ ପ୍ରକୃତରେ ଏହା ତମ୍ବାଖୁର ପ୍ରଚାର ବୋଲି ସେ ପରେ ଜାଣିବାକୁ ପାଇଥିଲେ । ଏହା ଜାଣିବା ପରେ ସେ ଚୁକ୍ତି ରଦ୍ଦ କରିଦେଇଥିଲେ ।