ନୂଆଦିଲ୍ଲୀ : ବିହାର ସରକାରକୁ ଆଜି ପାଟନା ହାଇକୋର୍ଟରେ ଶକ୍ତ ଝଟକା ଲାଗିଛି। ବିହାରରେ ସରକାରୀ ଚାକିରି ଏବଂ ଶିକ୍ଷାନୁଷ୍ଠାନରେ ଜାତି ଆଧାରିତ ସଂରକ୍ଷଣ ୫୦ରୁ ୬୫ ପ୍ରତିଶତକୁ ବୃଦ୍ଧି କରିବା ପାଇଁ ସରକାର ଯେଉଁ ନିଷ୍ପତ୍ତି ନେଇଥିଲେ ତାହାକୁ ପାଟନା ହାଇକୋର୍ଟ ରଦ୍ଦ କରିଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଜାତିଭିତ୍ତିକ ଜନଗଣନା ପରେ ବିହାରରେ ନୀତୀଶ କୁମାର ସରକାର ଗତବର୍ଷ ନଭେମ୍ବରରେ ସରକାରୀ ଚାକିରି ଏବଂ ଶିକ୍ଷାନୁଷ୍ଠାନରେ ପଛୁଆ ଶ୍ରେଣୀ ପାଇଁ କୋଟା ୫୦ରୁ ୬୫ ପ୍ରତିଶତକୁ ବୃଦ୍ଧି କରିଥିଲେ। ଆଜି ପାଟନା ହାଇକୋର୍ଟରେ ମୁଖ୍ୟ ବିଚାରପତି କେ ବିନୋଦ ଚନ୍ଦ୍ରନଙ୍କ ଖଣ୍ଡପୀଠ ଏହି କୋଟାକୁ ରଦ୍ଦ କରିଦେଇଛନ୍ତି। ତେବେ ଏହି ପ୍ରସଙ୍ଗରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନିରବତା ନେଇ ଆରଜେଡି ନେତା ତେଜସ୍ବୀ ଯାଦବ ପ୍ରଶ୍ନ ଉଠାଇଛନ୍ତି। ତେଜସ୍ବୀ କହିଛନ୍ତି, ନୀତୀଶ କୁମାର ସଂରକ୍ଷଣକୁ ସମ୍ବିଧାନର ନବମ ଅନୁଚ୍ଛେଦରେ ରଖିବାପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହୁଅନ୍ତୁ। ଉଲ୍ଲେଖଯୋଗ୍ୟ, ନବମ ଅନୁଚ୍ଛେଦରେ କିଛି କେନ୍ଦ୍ରୀୟ ଏବଂ ରାଜ୍ୟ ଆଇନ ରହିଛି ଯାହାକୁ କୋର୍ଟରେ ଚ୍ୟାଲେଞ୍ଜ କରିହେବନାହିଁ। ଅନ୍ୟପକ୍ଷେ ବିଜେପି ସଂରକ୍ଷଣ ବିରୋଧୀ ବୋଲି ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଅଭିଯୋଗ କରିଛନ୍ତି। ତେବେ ହାଇକୋର୍ଟଙ୍କ ରାୟ ବିରୋଧରେ ଆରଜେଡି ସୁପ୍ରିମକୋର୍ଟ ଯିବ ବୋଲି ଜଣାପଡ଼ିଛି।
ନୀତୀଶ ସରକାରକୁ ବଡ଼ ଝଟ୍କା: ୬୫% ସଂରକ୍ଷଣ ରଦ୍ଦ କଲେ ହାଇକୋର୍ଟ
/sambad/media/post_attachments/wp-content/uploads/2023/08/nitish.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)