ନୂଆଦିଲ୍ଲୀ: ଭାରତର ପରବର୍ତ୍ତୀ ଜାତୀୟ ଜନଗଣନାରେ ଜାତିଗତ ଜନଗଣନାକୁ ଅନ୍ତର୍ଭୁକ୍ତ କରାଯିବ ବୋଲି ବୁଧବାର କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ ଜାତିଗତ ଜନଗଣନାକୁ ସଂପୂର୍ଣ୍ଣ ସ୍ୱଚ୍ଛ ପ୍ରକ୍ରିୟାରେ ଅନ୍ତର୍ଭୁକ୍ତ କରାଯିବ ବୋଲି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ସରକାରଙ୍କ ଏହି ପଦକ୍ଷେପ ଭାରତୀୟ ସମାଜକୁ ଅର୍ଥନୈତିକ ଓ ସାମାଜିକ ଭାବେ ସଶକ୍ତ କରିବା ସହ ଦେଶର ପ୍ରଗତି ମଧ୍ୟ ସୁନିଶ୍ଚିତ କରିବ ବୋଲି ବୈଷ୍ଣବ କହିଛନ୍ତି।
ସୂଚନାଯୋଗ୍ୟ, ଜନଗଣନା ପ୍ରକ୍ରିୟା ୨୦୨୦ ଏପ୍ରିଲରେ ଆରମ୍ଭ ହେବାର ଥିଲା। କିନ୍ତୁ କୋଭିଡ୍ କାରଣରୁ ଏହା ବିଳମ୍ବିତ ହୋଇଥିଲା। ଆଜି ମନ୍ତ୍ରୀ ଶ୍ରୀ ବୈଷ୍ଣବ କଂଗ୍ରେସକୁ ଟାର୍ଗେଟ୍ କରି କହିଛନ୍ତି ଯେ ଏହି ଦଳ ସର୍ବଦା ଜାତିଗତ ଜନଗଣନାକୁ ବିରୋଧ କରିଥାଏ। ଅନ୍ୟ ଦଳକୁ ସମାଲୋଚନା କରି ସେ ଆହୁରି କହିଛନ୍ତି ଯେ ଜାତିଭିତ୍ତିକ ଜନଗଣନାକୁ ସେମାନେ ରାଜନୈତିକ ଫାଇଦା ଉଠାଇବା ପାଇଁ ବ୍ୟବହାର କରୁଥିଲେ। ୨୦୧୦ ମସିହାରେ ସ୍ୱର୍ଗତ ଡ. ମନମୋହନ ସିଂହ ସଂସଦରେ କହିଥିଲେ ଯେ ଜାତିଗତ ଜନଗଣନା ପ୍ରସଙ୍ଗକୁ କ୍ୟାବିନେଟ୍ରେ ବିଚାର କରାଯିବା ଉଚିତ। ସେବେ ଏକ ମନ୍ତ୍ରୀ ଗୋଷ୍ଠୀ ଗଠନ କରାଯାଇଥିଲା। ଅଧିକାଂଶ ରାଜନୈତିକ ଦଳ ଜାତିଗତ ଜନଗଣନା ପାଇଁ ସୁପାରିସ କରିଥିଲେ। ହେଲେ କଂଗ୍ରେସ ସରକାର ଏସ୍ଇସିସି ନାମରେ ଏକ ସୀମିତ ସର୍ଭେ କରିବା ଉଚିତ ମନେ କରିଥିଲା ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।
ବିହାର ନିର୍ବାଚନ ପୂର୍ବରୁ ମୋଦୀଙ୍କ ଗୋଟିଚାଳନା
ଜନଗଣନା ସମୟରେ ଏକାଠି ହେବ ସର୍ଭେ
ଜନଗଣନା ବିଷୟ ସମ୍ବିଧାନର ଧାରା ୨୪୬ର କେନ୍ଦ୍ରୀୟ ତାଲିକାର ୬୯ରେ ଉଲ୍ଲେଖ କରାଯାଇଛି ଏବଂ ଏହା କେନ୍ଦ୍ରର ବିଷୟ ଅଟେ। କେତେକ ରାଜ୍ୟ ଜାତି ଗଣନା ପାଇଁ ସର୍ଭେ କରିଛନ୍ତି। କେତେକ ରାଜ୍ୟ ପାରଦର୍ଶିତାର ସହ ଏହି କାର୍ଯ୍ୟ ସଂପାଦନ କରିଥିବା ବେଳେ ଆଉ କେତେକ ରାଜ୍ୟ ଅସ୍ବଚ୍ଛ ପ୍ରକ୍ରିୟାରେ କେବଳ ରାଜନୈତିକ ଦୃଷ୍ଟିକୋଣରୁ ଏଭଳି ସର୍ଭେ କରିଛନ୍ତି। ରେଳମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଏଭଳି ସର୍ଭେ ସମାଜରେ ସନ୍ଦେହ ସୃଷ୍ଟି କରିଛି ଏବଂ ରାଜନୀତି ଦ୍ୱାରା ସାମାଜିକ ଢାଞ୍ଚା ଯେପରି ବ୍ୟାହତ ନ ହୁଏ ସେଥିପାଇଁ ସର୍ବେକ୍ଷଣ ପରିବର୍ତ୍ତେ ଜନଗଣନାରେ ଜାତିଗତ ଗଣନାକୁ ଅନ୍ତର୍ଭୁକ୍ତ କରାଯିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ଜାତିଗତ ଜନଗଣନା ଘୋଷଣାକୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସ୍ବାଗତ କରିଛନ୍ତି। ସମାଜର ବିଭିନ୍ନ ଶ୍ରେଣୀର ଲୋକଙ୍କ ବିକାଶ ଓ ଉତ୍ଥାନ କ୍ଷେତ୍ରରେ ଏହା ନିର୍ଣ୍ଣାୟକ ହେବ ବୋଲି ନୀତୀଶ କହିଛନ୍ତି। ବିହାର ବିଜେପି ଶାଖା ପକ୍ଷରୁ ମଧ୍ୟ ସରକାରଙ୍କ ଏହି ଘୋଷଣାକୁ ଜୋର୍ଦାର ସ୍ବାଗତ କରାଯିବା ସହ ଦଳ ଏ ବାବଦରେ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି।