ଜୁନ ପହିଲାରୁ ବଡ଼ ପରିବର୍ତ୍ତନ: ବଦଳିବାକୁ ଯାଉଛି ଏହି ସବୁ ନିୟମ

ନୂଆଦିଲ୍ଲୀ: ଜୁନ ପହିଲାରୁ ବଡ଼ ପରିବର୍ତ୍ତନ । ଗ୍ରାହକଙ୍କ ଉପରେ ପଡ଼ିବ ପ୍ରଭାବ । ଆସନ୍ତା ଜୁନ୍ ମାସରୁ ଆପଣଙ୍କ ଜୀବନଶୈଳୀ ସହ ଜଡିତ କେତେକ ପରିବର୍ତ୍ତନ ହେବାକୁ ଯାଉଛି । ଆଉ ଯାହାର ସିଧାସଳଖ ପ୍ରଭାବ ଆପଣଙ୍କ ଉପରେ ପଡିବ । ଜୁନ ମାସରେ ଇନକମ୍ ଟ୍ୟାକ୍ସଠାରୁ ଆରମ୍ଭ କରି ବ୍ୟାଙ୍କିଂ ଏବଂ ନିବେଶ ସମ୍ପର୍କିତ ଅନେକ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି । ଆସନ୍ତୁ ଜାଣିବା କେଉଁଥିରେ କଣ ପରିବର୍ତ୍ତନ ହେବ ।

ବଦଳିପାରେ ଏଲପିଜି ସିଲିଣ୍ଡରର ଦର :
ଜୁନ୍ ୧ ତାରିଖରୁ ବଦଳିପାରେ ଏଲପିଜି ସିଲିଣ୍ଡରର ଦର । ବର୍ତ୍ତମାନ ଏଲପିଜି ସିଲିଣ୍ଡରର ଦାମ ପାଖାପାଖି ୮୫୦ ଟଙ୍କା ଥିବା ବେଳେ କମ୍ପାନି ପ୍ରତି ମାସ ଆରମ୍ଭରୁ ନୂଆ ଦର ଜାରି କରିଥାଏ । ତେଣୁ ପହିଲାରୁ ଦର କମିବା କିମ୍ବା ବଢିବା ନେଇ ନୂଆ ଦର ଧାର୍ଯ୍ୟ କରିବ କମ୍ପାନି।

ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣର ନୂଆ ୱେବସାଇଟ୍ :
ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣକୁ ନେଇ ହେବାକୁ ଯାଉଛି ବଡ଼ ପରିବର୍ତ୍ତନ । ଜୁନ୍ ୭ ତାରିଖରୁ ଆଇଟିଆରର ନୂଆ ୱେବସାଇଟ୍ ଲଂଚ ହେବ । ତେବେ ଜୁନ୍ ୧ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ଆପଣ ବର୍ତ୍ତମାନର ୱେବସାଇଟର ବ୍ୟବହାର କରିପାରିବେ ନାହିଁ ।

ବଦଳିଯିବ ଆଇଏଫଏସସି କୋଡ୍ :
କାନାରା ବ୍ୟାଙ୍କ ସହ ସିଣ୍ଡିକେଟ୍ ବ୍ୟାଙ୍କର ମିଶ୍ରଣ ପରେ ସିଣ୍ଡିକେଟ୍ ବ୍ୟାଙ୍କର ଗ୍ରାହକଙ୍କୁ ଜୁନ୍ ୩୦ ତାରିଖ ଭିତରେ ଆଇଏଫଏସସି କୋଡ୍ ଅପଡେଟ୍ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । କାରଣ ଜୁଲାଇ ୧ ତାରିଖରୁ ପୁରୁଣା ଆଇଏଫଏସସି କୋଡ୍ ଅମାନ୍ୟ ହୋଇଯିବ । ତେଣୁ ଆପଣ ସିଣ୍ଡିକେଟ୍ ବ୍ୟାଙ୍କର ଗ୍ରାହକ ହୋଇଥିଲେ, ଜୁନ ମାସ ଭିତରେ ଆପଣଙ୍କ ଆଇଏଫଏସସି କୋଡ୍ ଅପଡେଟ୍ କରାଇଦିଅନ୍ତୁ ।

ବଦଳିଯିବ ଚେକ୍ ମାଧ୍ୟମରେ ପେମେଣ୍ଟ କରିବା ତରିକା :
ବ୍ୟାଙ୍କ ଅଫ୍ ବରୋଦା ଗ୍ରାହକଙ୍କ ପାଇଁ ଜୁନ୍ ୧ ତାରିଖରୁ ବଦଳିଯିବ ଚେକ୍ ମାଧ୍ୟମରେ ପେମେଣ୍ଟ କରିବା ତରିକା । ଗ୍ରାହକଙ୍କ ପାଇଁ ବ୍ୟାଙ୍କ ଏବେ ପଜିଟିଭ୍ ପେ କନଫର୍ମମେସନ୍ ଅନିବାର୍ଯ୍ୟ କରିଛି । ଠକିବା ରୋକିବା ପାଇଁ ନୂଆ ପେମେଣ୍ଟ ସିଷ୍ଟମ ଆଣିବାକୁ ଯାଉଛି ବ୍ୟାଙ୍କ । ଯେଉଁଥିରେ ଭଲ ଭାବେ ତଥ୍ୟ ଯାଞ୍ଚ କରାଯିବା ପରେ ହିଁ ଟଙ୍କା କାରବାର କରାଯିବ ।

ଗୁଗୁଲ ଷ୍ଟୋରେଜ୍ ପଲିସିରେ ପରିବର୍ତ୍ତନ :
ଜୁନ୍ ୧ ତାରିଖରୁ ଗୁଗୁଲର ଷ୍ଟୋରେଜ୍ ପଲିସିରେ ପରିବର୍ତ୍ତନ ଲାଗୁ କରାଯିବ । ଏହାପରେ ଆପଣ ଗୁଗୁଲ ଫଟୋସରେ ଅନଲିମିଟେଡ୍ ଫଟୋ ଅପଲୋଡ୍ କରିପାରିବେ ନାହିଁ । ଗୁଗୁଲ ଅନୁଯାୟୀ, ପ୍ରତି ଜିମେଲ୍ ବ୍ୟବହାରକାରୀଙ୍କୁ ୧୫ଜିବିର ସ୍ପେଶ ମିଳିବ । ତେବେ ଯଦି ୧୫ ଜିବିରୁ ଅଧିକ ସ୍ପେଶ ଆପଣ ବ୍ୟବହାର କରିବାକୁ ଚାହୁଁଛନ୍ତି, ଏଥିପାଇଁ ଆପଣଙ୍କୁ ଟଙ୍କା ଦେବାକୁ ପଡିବ ।

ସମ୍ବନ୍ଧିତ ଖବର