ଅନୁସୂଚିତ ଜାତିର ଶିକ୍ଷାର୍ଥୀଙ୍କ ପାଇଁ ମୋଦୀ କ୍ୟାବିନେଟର ବଡ ଘୋଷଣା: ଲାଭବାନ ହେବେ ୪ କୋଟି ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ଆଜି ମୋଦି କ୍ୟାବିନେଟରେ ଅନୁସୂଚିତ ଜାତିର ଶିକ୍ଷାର୍ଥୀମାନଙ୍କ ପାଇଁ ଏକ ବଡ଼ ନିଷ୍ପତ୍ତି କରାଯାଇଛି । ଉକ୍ତ ନିଷ୍ପତ୍ତି ମୁତାବକ ଅନୁସୂଚିତ ଜାତିର ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ପାଇଁ କ୍ୟାବିନେଟରେ ୫୯ ହଜାର କୋଟିର ବଜେଟ୍ ବି ପାରିତ ହୋଇଛି । ଅନୁସୂଚିତ ଶିକ୍ଷାର୍ଥୀମାନେ ମାଟ୍ରିକ୍ ପାସ କରିବା ପରେ ସେମାନଙ୍କ ଉଚ୍ଚଶିକ୍ଷା ପାଇଁ କେନ୍ଦ୍ରସରକାର ୬୦ ପ୍ରତିଶତ ଓ ରାଜ୍ୟ ସରକାର ୪୦ ପ୍ରତିଶତ ଖର୍ଚ୍ଚ ବହନ କରିବେ ।

କ୍ୟାବିନେଟ ପରେ ଏହି ସୂଚନା କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଦେକର ଦେଇଛନ୍ତି । ଆଜିର ଏହି କ୍ୟାବିନେଟରେ ବି ଡିଟିଏଚ୍ ସେବାକୁ ନେଇ କିଛି ଆଇନର ସଂଶୋଧନ କରାଯାଇଛି । ସଂଶୋଧିତ ଆଇନ ମୁତାବକ ଡିଟିଏଚ୍ ଲାଇସେନ୍ସ ୨୦ ବର୍ଷ ପାଇଁ ଜାରି କରାଯିବ । ଏହାସହ ଡିଟିଏଚ୍ ସେବା କ୍ଷେତ୍ରରେ ଶତ ପ୍ରତିଶତ ବିଦେଶୀ ପୁଞ୍ଜି ନିବେଶକୁ ଅନୁମତି ମିଳିଛି । ଏହା ପୂର୍ବରୁ କ୍ୟାବିନେଟରେ ଏହି ଆଇନ ପାରିତ ହୋଇଥିଲେ ବି ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ଗାଇଡଲାଇନ ପାଇଁ ଏହା ଅଟକି ରହିଥିଲା । ଏବେ ଏହାକୁ ଲାଗୁ କରିବାର ବାଟ କ୍ୟାବିନେଟ୍ ତରଫରୁ ପରିଷ୍କାର କରାଯାଇଛି ।

ଆଜିର କ୍ୟାବିନେଟରେ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ବି ନିଷ୍ପତ୍ତି ନିଆଯାଇଛି । ଦିଲ୍ଲୀରେ ଅନିୟମିତ ଭାବେ କଲୋନିରେ ରହୁଥିବା ଲୋକଙ୍କୁ ଆଇନଗତ ଭାବେ ସଂରକ୍ଷଣ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ପୂର୍ବରୁ ଏ ନେଇ ପ୍ରଚଳିତ ଥିବା ଆଇନ ୩୧ ଡିସେମ୍ବର ୨୦୨୦ରେ ଶେଷ ହେବାକୁ ଯାଉଥିବା ବେଳେ ଏବେ ଏହାର ଅବଧିକୁ ୩ ବର୍ଷ ଅର୍ଥାତ ୩୧ ଡିସେମ୍ବର ୨୦୨୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

ସମ୍ବନ୍ଧିତ ଖବର