ବିଳାସପୁର: ହିମାଚଳପ୍ରଦେଶର ବିଳାସପୁର ଜିଲ୍ଲାରେ ଏକ ବଡ଼ ଧରଣର ଭୂସ୍ଖଳନ ହୋଇ ଆବର୍ଜନା ଭିତରେ ବସ୍ ପୋତି ହୋଇଯିବାରୁ ୧୮ ଜଣଙ୍କର ମୃତ୍ୟୁ ଘଟିଛି। ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ଏବଂ ପ୍ରାୟ ୧୨ ଜଣ ଯାତ୍ରୀ ଅତଡ଼ା ତଳେ ଫସି ରହିଥିବା ଜଣାପଡ଼ିଛି। ବିଳାସପୁର ଜିଲ୍ଲାର ବଲ୍ଲୁ ବ୍ରିଜ୍ ନିକଟରେ ଏକ ପର୍ବତରୁ ବିଶାଳକାୟ ଅତଡ଼ା ଧସି ଘରୋଇ ବସ୍ ଉପରେ ପଡ଼ିଥିଲା ଏବଂ ବସ୍ଟି ସମ୍ପୂର୍ଣ୍ଣ ପୋତି ହୋଇଯାଇଥିଲା। ଆଜି ସନ୍ଧ୍ୟା ୬.୩୦ରେ ଏହି ଭୟାବହ ଘଟଣା ଘଟିଛି। ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ଥାନୀୟ ପ୍ରଶାସନ ସ୍ପଷ୍ଟ କରିଥିବା ବେଳେ ୩ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଦୁର୍ଘଟଣା ନେଇ ଶୋକ ବ୍ୟକ୍ତ କରିବା ସହ ମୃତକଙ୍କ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇଛନ୍ତି। ମୃତକଙ୍କ ପରିବାର ପାଇଁ ‘ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠି’ରୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରାଯାଇଛି।
ଦୁର୍ଘଟଣା ସମୟରେ ବସ୍ରେ କେତେ ଯାତ୍ରୀ ଥିଲେ ତାହା ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ପ୍ରାୟ ୩୩ ଜଣ ଏହି ବସ୍ରେ ଥିଲେ ବୋଲି ଅନୁମାନ କରାଯାଉଛି। ଦୁର୍ଘଟଣା ସମୟରେ ବସ୍ଟି ମରୋଟାନ-କଲୌଲ୍ ରୁଟ୍ରେ ଚାଲୁଥିଲା। ଖବର ପାଇ ପୁଲିସ, ଅଗ୍ନିଶମ ବିଭାଗ ଏବଂ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଏବଂ ଆବର୍ଜନା ସଫା କରି ଲୋକଙ୍କୁ ଉଦ୍ଧାର କରିବାପାଇଁ ଉଦ୍ୟମ ଜାରି ରଖିଛନ୍ତି। ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ବସ୍ ଦୁର୍ଘଟଣା ପାଇଁ ଦୁଃଖ ପ୍ରକାଶ କରିଛନ୍ତି ଏବଂ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନ ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି ଏବଂ ରିଲିଫ ଓ ଉଦ୍ଧାର କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।