ୱାଶିଂଟନ୍‌: ହ୍ବାଇଟ ହାଉସରେ ଟ୍ରମ୍ପ ଓ ଜେଲେନସ୍କିଙ୍କ ମଧ୍ୟରେ ଘଟିଥିବା ତୁ ତୁ ମେଁ ମେଁ ସାରା ବିଶ୍ବରେ ଚର୍ଚ୍ଚିତ ଖବର ପାଲଟିଥିଲା  । ଆଉ ଏହି ଆଶଙ୍କା ମଧ୍ୟ କରାଯାଉଥିଲା କି ହୁଏତ କିଛି ବଡ ପଦକ୍ଷେପ ଗ୍ରହଣ କରିପାରନ୍ତି ଆମେରିକା ରାଷ୍ଟ୍ରପତି  ।

Advertisment

୪୮ ଘଣ୍ଟା ନ ପୁରୁଣୁ ଟ୍ରମ୍ପ ପ୍ରଶାସନର ଘୋଷଣା ୟୁକ୍ରେନକୁ ଚିନ୍ତାରେ ପକାଇଛି ।   ୟୁକ୍ରେନ ପ୍ରତି ଆମେରିକାର  ସରକାରଙ୍କ ଆଭିମୁଖ୍ୟକୁ ନେଇ ସବୁଠି ଚର୍ଚ୍ଚା ।  ତତକାଳୀନ ବାଇଡେନ ସରକାର ରୁଷକୁ ବିରୋଧ ଓ ୟୁକ୍ରେନକୁ ପୂର୍ଣ୍ଣ ସମର୍ଥନ ଜଣାଇ ଆସୁଥିବାବେଳେ ଏବେ କ୍ରମଶଃ ଚିତ୍ର ବଦଳୁଛି ।

ଯୁଦ୍ଧ ପାଇଁ ବାଇଡେନ ସରକାର ଯେଉଁ ସାମରିକ ସହାୟତା କରିଆସୁଥିଲେ ତାକୁ ରୋକିଛନ୍ତି ଟ୍ରମ୍ପ ସରକାର । ସୋମବାର ଏନେଇ ପେଣ୍ଟାଗନ ପକ୍ଷରୁ ସୂଚନା ଦିଆଯାଇଛି  ।  ଆମେରିକା କହିଛି ଦୁନିଆ ଆଉ ଯୁଦ୍ଧ ଚାହୁଁନି  । ଏହା ବନ୍ଦ ହେବା ଜରୁରୀ ।  ଯେଉଁ ପର୍ଯ୍ୟନ୍ତ  ୟୁକ୍ରେନ ରୁଷ ସହ ଶାନ୍ତି ଆଲୋଚନା ପାଇଁ ରାଜି ହେବନି ସେ ପର୍ଯ୍ୟନ୍ତ କୌଣସି ସହାୟତା କରିବନି ଆମେରିକା  ।

ଗୋଟେ ପଟେ ୟୁକ୍ରେନକୁ ଝଟକା ଅନ୍ୟପଟେ ରୁଷ ପାଇଁ ଆଶ୍ବସ୍ତି ଆଣିଛନ୍ତି । ତତକାଳୀନ ବାଇଡେନ ସରକାର ରୁଷ ଉପରେ ଯେଉଁ ସବୁ ପ୍ରତିବନ୍ଧକ ଲଗାଥିଲେ ତାକୁ ହଟାଇବାକୁ ନିଷ୍ପତ୍ତି ନେଇଛି ଆମେରିକା । ୟୁକ୍ରେନ ବିରୋଧରେ ଯୁଦ୍ଧକୁ ବିରୋଧ କରି ପୂର୍ବ ଆମେରିକା ସରକାର ରୁଷର ଅନେକ କମ୍ପାନୀ ଉପରେ କଟକଣା ଲଗାଇବା ସହ କିଛି ବଡ ନିଷ୍ପତ୍ତି ନେଇଥିଲେ। ଯାହାକୁ କୋହଳ କରିବାକୁ ଯାଉଛନ୍ତି ଟ୍ରମ୍ପ ।

ନିକଟରେ ଓଭାଲ ଅଫିସରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବାକୁ ଯାଇଥିଲେ  ୟୁକ୍ରେନ ରାଷ୍ଟ୍ରପତି । ଆଶା କରାଯାଉଥିଲା ଉଭୟ ରାଷ୍ଟ୍ରନେତାଙ୍କ ମଧ୍ୟରେ ସଫଳ ବୈଠକ ହେବ ଓ ଯୁଦ୍ଧ ବନ୍ଦ ପାଇଁ ନୂଆ ବାଟ ଫିଟିବ ।

କିନ୍ତୁ ଘଟିଲା କିଛି ଅଲଗା । ଟ୍ରମ୍ପ ଓ ଜେଲେନସ୍କିଙ୍କ ମଧ୍ୟରେ କଥାକଟାକଟି ଉଭୟ ଦେଶର କୁଟନୀତି ସମ୍ପର୍କକୁ ନୂଆ ମୋଡ଼ ଦେଇଛି। ଯାହାର ପରିଣାମ ସୂରୁପ ଏବେ ରୁଷର ନିକଟତର ହେବା ସହ ୟୁକ୍ରେନଠୁ ଦୂରେଇବାରେ ଲାଗିଛି ଆମେରିକା ।