ବଡ଼ ଧରଣର ଆକ୍ରମଣ ଉଦ୍ୟମ ପଣ୍ଡ, କିସ୍ତୱାଡ଼ାରୁ ୩ ହିଜବୁଲ୍‌ ଆତଙ୍କବାଦୀ ଗିରଫ

୪୦ କେଜି ବିସ୍ଫୋରକ ଜବତ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରର କଠୁଆ ଅଞ୍ଚଳ‌ରେ ଆଜି ସୁରକ୍ଷାବାହିନୀ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଉଦ୍ୟମ ପଣ୍ଡ କରିଦେଇଛି। କଠୁଆର ଦିଲାୱାଲ୍‌ ଅଞ୍ଚଳ ସ୍ଥିତ ଦେୱଲ୍‌ରେ ଆଜି ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ୍‌ କରି ୪୦ କେଜି ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି। ରିପୋର୍ଟ ଅନୁଯାୟୀ ଜଣେ ବ୍ୟକ୍ତି ମଧ୍ୟ ଏହି ମାମଲାରେ ଗିରଫ ହୋଇଛି ଏବଂ ତାକୁ ଜେରା କରାଯାଉଛି। ସେନାର ଗୁଇନ୍ଦା ବିଭାଗ ସୂଚନା କ୍ରମେ ଜମ୍ମୁ କଶ୍ମୀର ପୁଲିସ ଏକ ମିଳିତ ଅପରେସନ୍‌ ଆରମ୍ଭ କରିଥିଲା। ସନ୍ଦିଗ୍ଧ ସ୍ଥାନରେ ସର୍ଚ୍ଚ ଅପରେସନ୍ କରି ବିପୁଳ ପରିମାଣରେ ବିସ୍ଫୋରକ ଜବତ କରିଛି। ସୂଚନାନୁଯାୟୀ ଆତଙ୍କବାଦୀମାନେ ଜମ୍ମୁ କଶ୍ମୀରରେ ବଡ଼ ଧରଣର ଆକ୍ରମଣ ଷଡ଼ଯନ୍ତ୍ର କରିଛନ୍ତି। ଏବେ ପ୍ରାୟ ୨୭୦ରୁ ଊର୍ଦ୍ଧ୍ବ ଆତଙ୍କବାଦୀ ଜମ୍ମୁ କଶ୍ମୀରରେ ସକ୍ରିୟ ଥିବା ଜଣାପଡ଼ିଛି।

ଅନ୍ୟପ‌କ୍ଷେ ଜମ୍ମୁ କଶ୍ମୀରର କିସ୍ତୱାଡ଼ା ଅଞ୍ଚଳରୁ ଆଜି ୩ ଜଣ ହିଜବୁଲ୍‌ ମୁଜାହିଦ୍ଦିନ୍‌ ଆତଙ୍କବାଦୀ ଗିରଫ ହୋଇଛନ୍ତି। ଏହି ୩ ଆତଙ୍କବାଦୀଙ୍କର ଜଣେ ବରିଷ୍ଠ ବିଜେପି ନେତା ଏବଂ ଆରଏସ୍‌ଏସ୍ କାର୍ଯ୍ୟକର୍ତ୍ତା ନେତାଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତି ଥିଲା। ବିଜେପି ରାଜ୍ୟ ସଚିବ ଅନିଲ ପଡ଼ିହାରଙ୍କୁ ୨୦୧୮ରେ ହତ୍ୟା କରାଯାଇଥିଲା ଏବଂ ବରିଷ୍ଠ ଆରଏସଏସ୍‌ କାର୍ଯ୍ୟକର୍ତ୍ତା ଚନ୍ଦ୍ରକାନ୍ତ ଶର୍ମାଙ୍କୁ ଚଳିତ ବର୍ଷ ଏପ୍ରିଲ୍‌ରେ ହତ୍ୟା କରାଯାଇଥିଲା। ଦୁଇ ନେତାଙ୍କ ହତ୍ୟାକୁ ବିରୋଧ କରି କିସ୍ତୱାଡ଼ାରେ ବଡ଼ ଧରଣର ଆନ୍ଦୋଳନ ମଧ୍ୟ ହୋଇଥିଲା। ତେବେ ଏହି ମାମଲାରେ ସମ୍ପୃକ୍ତ ଥିବା ୩ ହିଜବୁଲ୍‌ ଆତଙ୍କବାଦୀଙ୍କୁ ପୁଲିସ ଗିରଫ କରିବାପରେ ଏ ସମ୍ପର୍କରେ ଅଧିକ ତଥ୍ୟ ପଦାକୁ ଆସିବ ବୋଲି ଆଶା କରାଯାଉଛି। ଗିରଫ ୩ ଆତଙ୍କବାଦୀଙ୍କୁ ନିସାର ଅହମଦ୍‌ ଶେଖ୍‌, ନିଶାଦ ଅହମଦ ଏବଂ ଆଜାଦ ହୁସେନ୍‌ ବୋଲି ଚିହ୍ନଟ କରାଯାଇଛି। ମାମଲାରେ ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ ଗିରଫ ହୋଇଥିବା ପୁଲିସ କହିଛି।

ସମ୍ବନ୍ଧିତ ଖବର