ରୋମ୍: କୁହାଯାଏ କୌଣସି ଜିନିଷ କିଣିବା ବେଳେ ମୂଲଚାଲ କରିବାରେ ଭାରତୀୟ ମହିଳା ମାହିର। କିନ୍ତୁ ସମ୍ପ୍ରତି କାଲିଫର୍ଣ୍ଣିଆର ଜଣେ ମହିଳା ଏପରି ଏକ ମୂଲଚାଲ କରିବାରେ ସଫଳ ହୋଇଛନ୍ତି, ଯାହା ସାରା ଦୁନିଆକୁ ଚକିତ କରିଦେଇଛି। ୪୯ ବର୍ଷୀୟା ରୁବିୟା ଡାନିଏଲ ତିନୋଟି ଘର କିଣିଛନ୍ତି, କିନ୍ତୁ ଯେତିକି ଟଙ୍କାରେ ସେ ଏହା କିଣିଛନ୍ତି, ତାହା ଶୁଣିଲେ କେହି ବି ବିଶ୍ବାସ କରିପାରିବେ ନାହିଁ। ଇଟାଲିର ସିସିଲିରେ ରୁବିୟା ତିନୋଟି ଘରକୁ କେବଳ ୩.୩୦ ଡଲାର ବା ପ୍ରାୟ ୨୭୦ ଟଙ୍କାରେ କ୍ରୟ କରିଛନ୍ତି। ଏଥି ସହ ରୁବିୟା ଏଠାକାର ଏକ ଛୋଟ ସହର ମୁସୋମେଲିରେ ରହିବାକୁ ଚାଲି ଆସିଛନ୍ତି, ଯାହାର ଜନସଂଖ୍ୟା ୧୦ ହଜାର। କିଣିଥିବା ତିନୋଟି ଘର ପାଇଁ ତାଙ୍କର ବଡ଼ ଯୋଜନା ଅଛି।

Advertisment

ସେ ଏଠାରେ ପହଞ୍ଚି ଗୋଟିଏ ଘରକୁ ନିଜ ପାଇଁ ସଜାଡ଼ିବେ ଏବଂ ଅନ୍ୟ ଦୁଇଟି ଘରକୁ ଛୋଟ ସହରର ହିତରେ ଲଗାଇବେ। ଗୋଟିଏ ଘରକୁ ସେ ଆର୍ଟ ଗ୍ୟାଲେରିରେ ପରିଣତ କରିବେ। ଅନ୍ୟ ଘରକୁ ସେ କମ୍ୟୁନିଟିର ୱେଲ୍‌ନେସ୍ ସେଣ୍ଟରରେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଘର ତିନୋଟି କିଣିବା ପରେ ସେ ତାଙ୍କର କାମ ଆରମ୍ଭ କରିଦେଇଛନ୍ତି। ସୂଚନାଯୋଗ୍ୟ, ଇଟାଲିର କେତେକ ସହରରେ ଏତେ କମ୍ ମୂଲ୍ୟରେ ଘର ବିକ୍ରି କରାଯାଉଛି। ମହାମାରୀ ପୂର୍ବରୁ ହିଁ ଇଟାଲିରେ ଘରବାଡ଼ିର ବେପାର ମାନ୍ଦା ପଡ଼ିଯାଇଛି। ୨୦୧୯ରେ ସିସିଲି ସହର ଓ ଅଞ୍ଚଳକୁ ପୁନର୍ଜୀବିତ କରିବା ପାଇଁ ୧ ଡଲାରରୁ ବି କମ୍ ମୂଲ୍ୟରେ ଘର ବିକ୍ରି କରାଯାଇଥିଲା। ତେବେ ଘର ଶାସ୍ତାରେ ମିଳିଲେ ମଧ୍ୟ ଏପରି ଭଙ୍ଗାଦଦରା ଘରକୁ ମରାମତି କରିବାରେ ୨୪,୦୦୦ ଡଲାର (ପ୍ରାୟ ୨୦ ଲକ୍ଷ ଟଙ୍କା)ରୁ ଆରମ୍ଭ କରି ୯୦,୦୦୦ ଡଲାର (ପ୍ରାୟ ୭୪ ଲକ୍ଷ ଟଙ୍କା) ପର୍ଯ୍ୟନ୍ତ ଖର୍ଚ୍ଚ ହେଉଥିବା ଜଣାପଡ଼ିଛି।