ଭେଣ୍ଟିଲେଟରରେ ଜେଟ୍‌ଲି, ଭେଟିଲେ ପ୍ରମୁଖ ରାଜନେତା

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସରେ ଭତ୍ତି ହୋଇଥିବା ପୂର୍ବ ଅର୍ଥମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅରୁଣ ଜେଟ୍‌ଲିଙ୍କ ସ୍ବାସ୍ଥ୍ୟାବସ୍ଥା ଜାଣିବା ପାଇଁ ଆଜି ବିଭିନ୍ନ ଦଳର ନେତାମାନେ ପହଞ୍ଚିଥିଲେ। ଏମ୍ସରେ କେନ୍ଦ୍ର ମନ୍ତ୍ରୀମାନଙ୍କ ବ୍ୟତୀତ ବିରୋଧୀ ଦଳର ନେତାମାନଙ୍କ ଆଗମନ ମଧ୍ୟ ଦେଖିବାକୁ ମିଳିଥିଲା। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ବିଏସ୍‌ପି ସୁପ୍ରିମୋ ମାୟାବତୀ ପ୍ରମୁଖ ହସ୍ପିଟାଲ ପହଞ୍ଚି ଜେଟ୍‌ଲିଙ୍କ ସ୍ବାସ୍ଥ୍ୟ ସଂପର୍କରେ ଖବର ନେଇଥିଲେ। ଜେଟ୍‌ଲିଙ୍କ ଅବସ୍ଥା ଏବେ ଗୁରୁତର ରହିଛି ଏବଂ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ଗତରାତିରେ ଅମିତ ଶାହ ଏମ୍ସରେ ପହଞ୍ଚି ଜେଟ୍‌ଲିଙ୍କ ସ୍ବାସ୍ଥ୍ୟ ସ୍ଥିତି ନେଇ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ। ଜେଟ୍‌ଲି ଦୀର୍ଘ ଦିନ ହେଲା ଅସୁସ୍ଥ ଅଛନ୍ତି ଏବଂ ଗତ ୯ ତାରିଖରୁ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି। ଗତକାଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜେଟ୍‌ଲିଙ୍କୁ ଦେଖିବା ପାଇଁ ଏମ୍ସ ପହଞ୍ଚିଥିଲେ। ଏକ ବିଶେଷଜ୍ଞ ଡାକ୍ତରୀ ଦଳ ଜେଟ୍‌ଲିଙ୍କୁ ଚିକିତ୍ସା‌ କରୁଛନ୍ତି। ଗତ ୯ ତାରିଖଠାରୁ ଜେଟ୍‌ଲିଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଏମ୍ସ ପକ୍ଷରୁ‌ କୌଣସି ବୁଲେଟିନ୍‌ ଜାରି ହୋଇନାହିଁ। ତାଙ୍କ ସ୍ବାସ୍ଥ୍ୟାବସ୍ଥା‌ରେ କୌଣସି ଉନ୍ନତି ଘଟୁନଥିବା ଜଣାପଡ଼ିଛି। ଆଜି ରେଳ ମନ୍ତ୍ରୀ ପୀୟୂଷ ଗୋୟଲ, ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ଏବଂ ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ବିନୀ ଚୌବେ ମଧ୍ୟ ଏମ୍ସରେ ଉପସ୍ଥିତ ଥିଲେ। ଗ୍ରେଟର କୈଳାସ ସ୍ଥିତ ଜେଟ୍‌ଲିଙ୍କ ବାସଭବନ ନିକଟରେ ଗତରାତିରୁ ସୁରକ୍ଷା ବଢ଼ାଇ ଦିଆଯାଇଛି।

ସମ୍ବନ୍ଧିତ ଖବର