ସମୁଦ୍ରରେ ମିଶିଯିବ ବ୍ୟାଙ୍କକ୍‌! ୧୨-୧୩ ବର୍ଷରେ ଆସିବ ବଡ଼ ବିପଦ

୨୦୩୦ ସୁଦ୍ଧା ୪୦% ଡୁବିବ, ବର୍ଷକୁ ୨ ସେମି ସମୁଦ୍ରକୁ ଚାଲିଯାଉଛି

ବ୍ୟାଙ୍କକ୍‌: ସଂପ୍ରତି ଜଳବାୟୁ ପରିବର୍ତ୍ତନକୁ ନେଇ ସାରା ବିଶ୍ୱ ଚିନ୍ତାରେ। ଦିନକୁ ଦିନ ଏହା ଭୟଙ୍କର ସ୍ଥିତି ଆଡ଼କୁ ଗତି କରୁଛି। ଏହାର ପ୍ରଭାବରେ କିଛି ନା କିଛି ବଡ଼ ଅଘଟଣ ଘଟିବାରେ ଲାଗିଛି। ଜଳବାୟୁ ପରିବର୍ତ୍ତନ ଯୋଗୁ ଥାଇଲାଣ୍ଡର ରାଜଧାନୀ ତଥା ପର୍ଯ୍ୟଟକଙ୍କ ପ୍ରିୟ ଗନ୍ତବ୍ୟସ୍ଥଳ ବ୍ୟାଙ୍କକ୍‌ ପାଇଁ ଏକ ବଡ଼ ବିପଦ ମାଡ଼ିଆସୁଛି। ସମୁଦ୍ର ଜଳସ୍ତର କ୍ରମାଗତ ଭାବେ ବଢୁଥିବାରୁ ବ୍ୟାଙ୍କକ୍‌ର ଏକ ବଡ଼ ଅଂଶ ଆଗାମୀ ୧୨-୧୩ ବର୍ଷ ମଧ୍ୟରେ ସମୁଦ୍ର ଗର୍ଭକୁ ଚାଲିଯିବ ବୋଲି ଆଶଙ୍କା କରାଯାଉଛି। ଜଳବାୟୁ ପରିବର୍ତ୍ତନ ଯୋଗୁ ଏହି ରାଜଧାନୀ ସହରରେ ନାହିଁ ନଥିବା ବର୍ଷା ଲାଗିରହୁଛି। ଫଳରେ ବନ୍ୟା ପରିସ୍ଥିତି ଉପୁଜୁଛି। ଦିନ ଆସିବ ବ୍ୟାଙ୍କକ୍‌ ସମୁଦ୍ରରେ ବୁଡ଼ିଯିବ ବୋଲି ବିଶେଷଜ୍ଞମାନେ ଆଶଙ୍କା କରିଛନ୍ତି। ଏଭଳି ଆଶଙ୍କାକୁ ନେଇ ଏବେ ଥାଇଲାଣ୍ଡ ସରକାର ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି। ଏ ପ୍ରସଙ୍ଗ ଅନ୍ତର୍ଜାତୀୟ ସ୍ତରରେ ଉଠାଇ କୌଣସି ସମାଧାନର ପନ୍ଥା ବାହାର କରିବା ପାଇଁ ସରକାର ଯୋଜନା କରୁଛନ୍ତି। ଚଳିତବର୍ଷ ଶେଷଭାଗରେ ପୋଲାଣ୍ଡ୍‌ରେ ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗକୁ ନେଇ ଜାତିସଂଘର ଏକ ବୈଠକ ବସିବାକୁ ଯାଉଛି। ଏହି ବୈଠକରେ ଥାଇଲାଣ୍ଡ୍‌ ସାମିଲ ହୋଇ ବ୍ୟାଙ୍କକ୍‌ ପ୍ରସଙ୍ଗ ଉଠାଇବ ବୋଲି ଜଣାଯାଇଛି। ଜଳବାୟୁ ପରିବର୍ତ୍ତନ ଯୋଗୁ ତାପମାତ୍ରା ବୃଦ୍ଧି ପାଉଥିବା ବେଳେ ପାଣିପାଗରେ ଅହେତୁକ ପରିବର୍ତ୍ତନ ଦେଖିବାକୁ ମିଳୁଛି। ଅଧିକାଂଶ ସମୟରେ ମହାବାତ୍ୟା, ଅନିୟମିତ ବର୍ଷା, ମରୁଡ଼ି ଓ ବନ୍ୟା ସ୍ଥିତି ଉତ୍କଟ ହେବାରେ ଲାଗିଛି। ଆଗାମୀ ଦିନଗୁଡ଼ିକରେ ଜଳବାୟୁରେ ଆହୁରି ବଡ଼ ପରିବର୍ତ୍ତନ ଆସିବାକୁ ଥିବାରୁ ଏଭଳି ସମସ୍ୟା ସାଂଘାତିକ ରୂପ ନେବ ବୋଲି ଆଶଙ୍କା ରହିଛି।

ବ୍ୟାଙ୍କକ୍‌ ଏବେ ସମୁଦ୍ର ଉପରିଭାଗ ତୁଳନାରେ ମାତ୍ର ୧.୫ ମିଟର ଉଚ୍ଚତାରେ ରହିଛି। ତେଣୁ ସମୁଦ୍ର ଅଶାନ୍ତ ଯୋଗୁ କୌଣସି ଅଘଟଣ ଘଟିଲେ ବ୍ୟାଙ୍କକ୍‌ ପାଣିରେ ଉବୁଟୁବୁ ହୋଇଯିବ। ଭବିଷ୍ୟତରେ ଏଭଳି ଆଶଙ୍କାକୁ ଏଡ଼ାଇ ଦେଇହେବ ନାହିଁ ବୋଲି କୁହାଯାଉଛି। ବ୍ୟାଙ୍କକ୍‌ ସମେତ ଜାକର୍ତ୍ତା ଓ ମାନିଲାରେ ମଧ୍ୟ ସମାନ ପ୍ରକାର ବିପଦ ରହିଛି ବୋଲି ଜଣାଯାଇଛି। ବିଶ୍ୱ ବ୍ୟାଙ୍କ ରିପୋର୍ଟ ମୁତାବକ, ଆଗାମୀ ୨୦୩୦ ସୁଦ୍ଧା ବ୍ୟାଙ୍କକ୍‌ର ୪୦ ପ୍ରତିଶତ ସମୁଦ୍ରରେ ବୁଡ଼ିଯିବ। ଗ୍ରୀନ୍‌ପିସ୍‌ ସହିତ ସଂଶ୍ଳିଷ୍ଟ ଥିବା କାର୍ଯ୍ୟକର୍ତ୍ତାଙ୍କ କହିବାନୁଯାୟୀ, ବ୍ୟାଙ୍କକ୍‌ ପ୍ରତିବର୍ଷ ପ୍ରାୟ ୨ ସେଣ୍ଟିମିଟର ବୁଡ଼ିଯାଉଛି ଏବଂ ନିକଟ ଭବିଷ୍ୟତରେ ଏହି ସମସ୍ୟା ଜଟିଳତର ହୋଇପଡ଼ିବ। ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ପୂର୍ବାପେକ୍ଷା ବ୍ୟାଙ୍କକ୍‌ର ଅଧିକ ଅଂଶ ସମୁଦ୍ରର ନିକଟତର ହୋଇଯାଇଛି। ୨୦୧୧ରେ ମୌସୁମୀ ବର୍ଷା ଯୋଗୁ ବ୍ୟାଙ୍କକ୍‌ରେ ଜଳବାୟୁ ପରିବର୍ତ୍ତନର ବିପଜ୍ଜନକ ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହି ବର୍ଷ ପ୍ରବଳ ବର୍ଷା ଯୋଗୁ ସହରର ଏକପଞ୍ଚମାଂଶ ବୁଡ଼ିଯାଇଥିଲା। ଦ୍ରୁତ ସହରୀକରଣ ଏବଂ ତଟବର୍ତ୍ତୀ ଅଞ୍ଚଳ ପରିମାଣ କମିବା କାରଣରୁ ଆଗକୁ ବଡ଼ ସମସ୍ୟା ଛିଡ଼ାହେବ। ତଟବର୍ତ୍ତୀ ଅଞ୍ଚଳରେ ଅନେକ କେନାଲ ଥିଲା ବେଳେ ତାହାକୁ ପୋତି ରାସ୍ତା ତିଆରି କରାଯାଇଛି। ଫଳରେ ସହରରୁ ପାଣି ବାହାରିବା ବାଟ ବନ୍ଦ ହୋଇଯାଇଛି। ଏହାକୁ ଆଖିରେ ରଖି ଥାଇ ସରକାର କେନାଲ୍‌ ନେଟ୍‌ଓ୍ଵର୍କ ୨,୬୦୦ ପର୍ଯ୍ୟନ୍ତ ବଢ଼ାଇବାକୁ ଯୋଜନା ହାତକୁ ନେଇଛନ୍ତି।

ସମ୍ବନ୍ଧିତ ଖବର