ଧରାପଡ଼ିଲା ମହାରାଷ୍ଟ୍ର ପୋଷ୍ଟମ୍ୟାନ୍‌ ନିଯୁକ୍ତିରେ ମହାଦୁର୍ନୀତି

ମୁମ୍ବାଇ: ମହାରାଷ୍ଟ୍ରରେ ଖାଲି ପଡ଼ିଥିବା ୨୪୦୦ ପୋଷ୍ଟ୍‍ମ୍ୟାନ୍‌ ନିଯୁକ୍ତିରେ ହୋଇଥିବା ଏକ ମହାଦୁର୍ନୀତିର ରହସ୍ୟ ଭେଦ କରିଛି ଡାକ ବିଭାଗର ଭିଜିଲାନ୍‌ସ୍‌ ବିଭାଗ। ଡାକ ବିଭାଗରେ ପୋଷ୍ଟ୍‍ମ୍ୟାନ୍‌, ମେଲ୍‌ ଗାର୍ଡସ୍‌ ଏବଂ ଅନ୍ୟାନ୍ୟ କର୍ମଚାରୀ ନିଯୁକ୍ତି ନିମନ୍ତେ ଚୟନ ପ୍ରକ୍ରିୟା ପରିଚାଳନା କରାଇବା ନିମନ୍ତେ ୨୦୧୫ରେ ଠିକା ପାଇଥିବା ମଣିପାଲ୍‌ ଟେକ୍ନୋଲୋଜିସ୍‌ ଲିମିଟେଡ୍‌ ବିରୋଧରେ ମୁମ୍ବାଇ ପୁଲିସ ଗତ ଅଗଷ୍ଟ ମାସରେ ଏଫ୍‌ଆଇଆର୍‌ ରେଜିଷ୍ଟ୍ରି କରିଥିଲା।

ଜଣେ ସହକାରୀ ପୋଷ୍ଟମାଷ୍ଟର୍‌ ଜେନେରାଲ୍‌ଙ୍କ ଅଭିଯୋଗ ଭିତ୍ତିରେ ପଞ୍ଜିକୃତ ହୋଇଥିବା ଏଫ୍‌ଆଇଆର୍‌ରେ ଏମ୍‌ଟିଏଲ୍‌ର ପି ଭି ମାଲ୍ୟା ଏବଂ ଅନ୍ୟ ନିର୍ଦେଶକମାନଙ୍କ ନାମ ଉଲ୍ଲେଖ କରାଯାଇଛି। ଏହାକୁ ଏକ ମହାଦୁର୍ନୀତି ବୋଲି ଅଭିହିତ କରି ବମ୍ବେ ହାଇକୋର୍ଟର ଜଷ୍ଟିସ୍‌ ଏ ଏମ୍‌ ବଦାର ମାଲ୍ୟାଙ୍କୁ ଆଗୁଆ ଜାମିନ ଦେବାକୁ ନଭେମ୍ବର ୩ ତାରିଖ ଦିନ ମନା କରିଦେଇଛନ୍ତି।

ସେ କହିଛନ୍ତି ଯେ ଏ ମାମଲା ଡାକ ବିଭାଗ ନିଯୁକ୍ତିରେ ଏକ ବଡ଼ ଦୁର୍ନୀତି। ସର୍ବସାଧାରଣଙ୍କ କର୍ମସଂସ୍ଥାନ ନିମନ୍ତେ କରାଯାଉଥିବା ଚୟନ ସଚ୍ଚୋଟ ଏବଂ ନିରପେକ୍ଷ ହେବା ସହ ପ୍ରାର୍ଥୀମାନଙ୍କର ଯୋଗ୍ୟତା ଭିତ୍ତିକ ହେବା କଥା। ବିଶ୍ୱାସର ସହ ଡାକ ବିଭାଗ କମ୍ପାନି ଉପରେ ସମର୍ପି ଦେଇଥିବା କାମରେ କମ୍ପାନି ବିଶ୍ୱାସଘାତ କରିଛି। ଏଥିରେ କମ୍ପାନି ସହ ସଂଶ୍ଳିଷ୍ଟ ଆପଣାର ଲୋକଙ୍କୁ ଚୟନ କରିବା ସହ ଅନ୍ୟ କେତେକ ପ୍ରାର୍ଥୀଙ୍କୁ ବିଶେଷ କାରଣରୁ ଚୟନ କରିଛି।

ମହାରାଷ୍ଟ୍ରରେ ସେ ଚୟନ ପ୍ରକ୍ରିୟା ରଦ୍ଦ କରାଯାଇଛି ବୋଲି ଇକୋନୋମିକ୍‌ ଅଫେନ୍‌ସ୍‌ ଉଇଙ୍ଗ୍‌ କହିଛି। ଏ ପର୍ଯ୍ୟନ୍ତ କାହାରିକୁ ଗିରଫ କରାଯାଇ ନାହିଁ। ଚୟନ ପ୍ରକ୍ରିୟା ଦାୟିତ୍ୱରେ ଥିବା କମ୍ପାନିର ପ୍ରୋଜେକ୍ଟ୍‌ ମ୍ୟାନେଜର୍‌ଙ୍କୁ ପୁଲିସ ପଚରା ଉଚୁରା କରୁଛି।

ମାର୍ଚ ୨୦୧୫ରେ ପରୀକ୍ଷା ଅନୁଷ୍ଠିତ ହୋଇ ମାର୍ଚ ୨୦୧୬ରେ ଫଳାଫଳ ପ୍ରକାଶିତ ହୋଇଥିଲା। ୧, ୬୮୦ ପୋଷ୍ଟମ୍ୟାନ୍‌, ୨୧ ମେଲ୍‌ଗାର୍ଡ ଏବଂ ୭୩୩ ମଲ୍ଟିଟାସ୍କ ସର୍ଭାଣ୍ଟ ପଦବୀ ନିମନ୍ତେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା।

ଚୟନ ପ୍ରକ୍ରିୟାରେ ନିଯୁକ୍ତି ପାଇଥିବା ଜଣେ ପୋଷ୍ଟ୍‍ମ୍ୟାନ୍‌ଙ୍କର ଅନ୍‌ଲାଇନ୍‌ ଆପ୍ଲିକେସନ୍‌ରେ ଅନ୍ୟ ଜଣଙ୍କର ଫଟୋ ଥିବା ଦେଖି ପ୍ରଥମେ ଅମରାବତୀର ପୋଷ୍ଟ୍‍ମାଷ୍ଟର୍‌ ଅଭିଯୋଗ କରିବା ପରେ ଚିଫ୍‌ ପୋଷ୍ଟ୍‍ମାଷ୍ଟର୍‌ ଜେନେରାଲ୍‌ ଭିଜିଲାନ୍‌ସ୍‌ ଇନ୍‌କ୍ୱାରି ପାଇଁ ଆଦେଶ ଦେଇଥିଲେ।
ଭିଜିଲାନ୍‌ସ୍‌ ରିପୋର୍ଟରେ ଉଲ୍ଲେଖ ଅଛି ଯେ ମହାରାଷ୍ଟ୍ରରେ ନିଯୁକ୍ତ ୧୯୪ ଜଣ ପୋଷ୍ଟ୍‌ମ୍ୟାନ୍‌ଙ୍କ ମଧ୍ୟରୁ ୨୫ ଜଣ ମରାଠୀ ଭାଷାରେ ଉତ୍ତମ ନମ୍ବର ରଖିଥିଲେ, କିନ୍ତୁ ସେମାନେ ଭାଷା ଜାଣନ୍ତି ନାହିଁ ଏବଂ ୭୦ ଜଣ ପ୍ରାର୍ଥୀଙ୍କର ଏକା ପ୍ରକାର ଇମେଲ୍‌ଆଇଡି ଥିବାର ଜଣାପଡ଼ିଥିଲା।
କେତେକ ନିର୍ବାଚିତ ପ୍ରାର୍ଥୀ ପରୀକ୍ଷା ଦେଇ ନାହାନ୍ତି, କେତେକ ପରୀକ୍ଷା ଖାତରେ ଦସ୍ତଖତ କରି ନାହାନ୍ତି କିଂବା ସେମାନଙ୍କ ଦସ୍ତଖତ ଅନ୍‌ଲାଇନ୍‌ ଆପ୍ଲିକେସନ୍‌ ଦସ୍ତଖତ ସହ ମେଳ ଖାଉନାହିଁ, କେତେକଙ୍କର ଠିକଣା ଥିଲା ଏକା ପ୍ରକାରର, କିଛି ପ୍ରାର୍ଥୀଙ୍କର ମୋବାଇଲ୍‌ ଫୋନ୍‌ ନମ୍ବର ଥିଲା ସମାନ।

ନିର୍ବାଚିତ ୨୪ ଜଣ ପୋଷ୍ଟ୍‍ମ୍ୟାନ୍‌ଙ୍କ ମଧ୍ୟରୁ ୧୨ଜଣଙ୍କର ଏକା ପ୍ରକାରର ଫୋନ୍‌ ନମ୍ବର। ମହାରାଷ୍ଟ୍ର ଛଡ଼ା ହରିୟାନା, ବିହାର, ରାଜସ୍ଥାନ ଏବଂ ଉତ୍ତର ପ୍ରଦେଶରୁ ଚୟନ କରାଯାଇଥିବା ପ୍ରାର୍ଥୀମାନଙ୍କୁ ସ୍ଥାନୀୟ ଅଞ୍ଚଳର ଠିକଣା ଦିଆଯାଇଥିଲା।

ସମ୍ବନ୍ଧିତ ଖବର