କଂଗ୍ରେସକୁ ବଡ଼ ଝଟ୍‌କା: ଜିତିନ ପ୍ରସାଦ ବିଜେପିରେ ମିଶିଲେ

ବିଜେପି ଏକମାତ୍ର ଜାତୀୟ ଦଳ: ଜିତିନ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଜିତିନ ପ୍ରସାଦ ଆଜି କଂଗ୍ରେସ ଛାଡ଼ି ବିଜେପିରେ ମିଶିଛନ୍ତି। ଊତ୍ତର ପ୍ରଦେଶର ବ୍ରାହ୍ମଣ ସଂପ୍ରଦାୟ ମଧ୍ୟରେ ତାଙ୍କର ପ୍ରବଳ ଦବ୍‌ଦବା ରହିଛି। ତେବେ ଆସନ୍ତାବର୍ଷ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ଜିତିନ ବିଜେପିରେ ମିଶିବା କଂଗ୍ରେସ ପାଇଁ ବଡ଼ ଝଟ୍‌କା ହୋଇଛି। କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲଙ୍କ ଉପସ୍ଥିତିରେ ସେ ବିଜେପି ମୁଖ୍ୟାଳୟରେ ଦଳରେ ସାମିଲ ହୋଇଛନ୍ତି। ବିଜେପିରେ ଯୋଗଦେବା ପରେ ସେ ଉଭୟ ଦଳ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ପ୍ରଶଂସା କରିଛନ୍ତି। ବିଜେପି ଏକମାତ୍ର ଜାତୀୟ ଦଳ ବୋଲି ସେ କହିଛନ୍ତି। ଜିତିନ ରାହୁଲ ଗାନ୍ଧିଙ୍କର ଅତ୍ୟନ୍ତ ଘନିଷ୍ଠ ଥିଲେ। ତେବେ ଦଳରେ ପରିବର୍ତ୍ତନ ପାଇଁ ଯେଉଁ ୨୩ ଜଣ ନେତା ସୋନିଆଙ୍କ ପାଖକୁ ଚିଠି ଲେଖିଥିଲେ ସେମାନଙ୍କ ଭିତରେ ସେ ଥିଲେ। ନିକଟରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଦଳ ତାଙ୍କୁ ଦାୟିତ୍ବ ଦେଇଥିଲା। କିନ୍ତୁ ସେଠାରେ ମେଣ୍ଟକୁ ନେଇ ସେ କେତେକ ପ୍ରଶ୍ନ ଉଠାଇଥିଲେ। ଉପା-୧ ଏବଂ ଉପା-୨ ସରକାରରେ ସେ ମନ୍ତ୍ରୀ ଥିଲେ। ତାଙ୍କ ବାପା ଜିତେନ୍ଦ୍ର ପ୍ରସାଦ ମଧ୍ୟ କଂଗ୍ରେସର ଜଣେ ପ୍ରଭାବଶାଳୀ ନେତା ଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି ଏବଂ ପି ଭି ନରସିଂହରାଓଙ୍କ ରାଜନୈତିକ ଉପଦେଷ୍ଟା ଭାବେ ଜିତେନ୍ଦ୍ର କାର୍ଯ୍ୟ କରିଥିଲେ।

ଜିତିନଙ୍କୁ ସ୍ବାଗତ କଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ

ଭୋପାଳ: କଂଗ୍ରେସ ନେତା ଜିତିନ ପ୍ରସାଦ ଆଜି ବିଜେପିରେ ସାମିଲ ହେବା କଂଗ୍ରେସ ପାଇଁ ବଡ଼ ଝଟ୍‌କା ହୋଇଛି। ରାହୁଲ ଗାନ୍ଧିଙ୍କ ସହିତ ଘନିଷ୍ଠ ଥିବା ଜିତିନ ଆଜି ବିଜେପିରେ ମିଶିବା ପରେ ତାଙ୍କୁ ଜୋର୍‌ଦାର ସ୍ବାଗତ କରାଯାଇଛି। ବର୍ଷକ ତଳେ ବିଜେପିରେ ସାମିଲ ହୋଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ଜିତିଙ୍କୁ ଦଳରେ ସ୍ବାଗତ କରିବା ସହ ସେ ଉଚିତ ନିଷ୍ପତ୍ତି ନେଇଛନ୍ତି ବୋଲି କହିଛନ୍ତି। ଜିତିନ ‌ମୋର ଛୋଟ ଭାଇ ଭଳି ବୋଲି ସିନ୍ଧିଆ କହିଛନ୍ତି। ମାର୍ଚ ୨୦୨୦ରେ ସିନ୍ଧିଆ କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିଲେ ଏବଂ ଆଗକୁ କେନ୍ଦ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣରେ ତାଙ୍କୁ ମୋଦୀ କ୍ୟାବିନେଟ୍‌ରେ ସ୍ଥାନ ମିଳିବ ବୋଲି ଚର୍ଚ୍ଚା ହେଉଛି। ଏ ବାବଦରେ ସେ କହିଛନ୍ତି ଯେ ମୁଁ ମୋର ପିତା ଏବଂ ଦାଦାଙ୍କ ପଦାଙ୍କ ଅନୁସରଣ କରି ଆଗକୁ ବଢ଼ୁଛି।

ସମ୍ବନ୍ଧିତ ଖବର