ନୂଆଦିଲ୍ଲୀ: ପଞ୍ଜାବ ଏବଂ ହରିୟାଣା ମଧ୍ୟରେ ଥିବା ଶମ୍ଭୁ ସୀମାକୁ ବନ୍ଦ ରଖିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଛନ୍ତି ଯେ କୃଷକମାନେ ଜେସିବି ସହ ବିରୋଧ କରିବାକୁ ଆସିପାରିବେ ନାହିଁ। କୋର୍ଟ କହିଛନ୍ତି ବର୍ତ୍ତମାନ ଏକ କମିଟି ଗଠନ କରାଯିବ ଯାହା ଉଭୟ କୃଷକ ଏବଂ ସରକାରଙ୍କ ପକ୍ଷର ଶୁଣାଣି କରିବେ।

Advertisment

ବୁଧବାର ଶମ୍ଭୁ ସୀମାରେ ଥିବା ବ୍ୟାରିକେଡ୍ ସମ୍ପର୍କରେ ଶୁଣାଣି ସମୟରେ ସୁପ୍ରିମକୋର୍ଟ ଅନେକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି କିଛି ବୁଦ୍ଧିଜୀବିଙ୍କ କମିଟି ଗଠନ କରାଯିବ ଯେଉଁମାନେ ଏହି ସମସ୍ୟାର ସମାଧାନ ମିଳିବ। ସୁପ୍ରିମକୋର୍ଟ କହିଛନ୍ତି ପଞ୍ଜାବ ଏବଂ ହରିୟାଣା ଏହି କମିଟି ପାଇଁ ନାମ ସୁପାରିଶ କରିପାରିବେ।

ସେ ପର୍ଯ୍ୟନ୍ତ ଶମ୍ଭୁ ସୀମା ବନ୍ଦ ରଖିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଏହା ପରେ ହିଁ ପଞ୍ଜାବ ଏବଂ ହରିୟାଣା ନିଜ ମଧ୍ୟରେ କଥାବାର୍ତ୍ତା କରିବେ ଏବଂ ବ୍ୟାରିକେଡ୍ ହଟାଇବା ପାଇଁ କାର୍ଯ୍ୟ କରିବେ। ସେସବୁକୁ ପର୍ଯ୍ୟାୟକ୍ରମେ ହଟାଇ ଦିଆଯିବ। ସେପର୍ଯ୍ୟନ୍ତ ଉଭୟ ରାଜ୍ୟ ସ୍ଥିତି ବଜାୟ ରଖିବା ଉଚିତ୍। ସୁପ୍ରିମକୋର୍ଟରେ କୃଷକ ଏବଂ ବ୍ୟାରିକେଡ୍ ମାମଲାର ଶୁଣାଣି ସମୟରେ ପ୍ରଦର୍ଶନ ଶୈଳୀ ଉପରେ ମଧ୍ୟ ମନ୍ତବ୍ୟ ଦିଆଯାଇଥିଲା।

ସରକାରଙ୍କ ପକ୍ଷରୁ ହାଜର ହୋଇଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ବିରୋଧୀମାନେ ସଶସ୍ତ୍ର ଯାନ ଆଣିବାକୁ ଚାହୁଁଛନ୍ତି। ଏହା ଉପରେ ସୁପ୍ରିମକୋର୍ଟ କହିଛନ୍ତି କୃଷକମାନେ ଏହିପରି ବିରୋଧ କରିପାରିବେ ନାହିଁ। ସରକାର ଏବଂ ଚାଷୀଙ୍କ ମଧ୍ୟରେ ବିଶ୍ୱାସର ଅଭାବ ଥିବା ସୁପ୍ରିମକୋର୍ଟ କହିଥିଲେ। ଏହି କାରଣରୁ ସୁପ୍ରିମକୋର୍ଟ ପଞ୍ଜାବର ପକ୍ଷରୁ ମଧ୍ୟ ଶୁଣାଣି କରିଛନ୍ତି। କୋର୍ଟ କହିଛନ୍ତି ସୀମା ବନ୍ଦ ଯୋଗୁ ପଞ୍ଜାବ ଆର୍ଥିକ କ୍ଷତି ସହୁଛି।

ସୂଚନାଯୋଗ୍ୟ, ପଞ୍ଜାବ ଏବଂ ହରିୟାଣା ମଧ୍ୟରେ ଥିବା ଶମ୍ଭୁ ସୀମା ଗତ ଫେବୃଆରୀରୁ ବନ୍ଦ ରହିଛି। କୃଷକମାନେ ଏଠାରେ ଛାଉଣି କରି ଦିଲ୍ଲୀ ଆସି ବିରୋଧ କରିବାକୁ ଚାହୁଁଛନ୍ତି। ନିକଟରେ ସେମାନେ ଦିଲ୍ଲୀ ଆସି ୧୫ ଅଗଷ୍ଟରେ ବିରୋଧ କରିବାକୁ ଘୋଷଣା କରିଛନ୍ତି। ନିକଟରେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଏହି ମାମଲାର ଶୁଣାଣି ବେଳେ ହରିୟାଣାକୁ ବ୍ୟାରିକେଡ୍ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିଷ୍ପତ୍ତି ବିରୋଧରେ ହରିୟାଣା ସରକାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟଙ୍କ ନିଷ୍ପତ୍ତି ସତ୍ତ୍ୱେ ସୀମା ଖୋଲିବା ଉପରେ ସୁପ୍ରିମକୋର୍ଟ ରୋକ ଲଗାଇଛନ୍ତି। ଏହା ଦ୍ବାରା କୃଷକମାନଙ୍କୁ ବଡ଼ ଝଟ୍‌କା ଲାଗିଛି।