ନୂଆଦିଲ୍ଲୀ: ସୋନିଆ ଗାନ୍ଧିଙ୍କ ଜ୍ବାଇଁ ରବର୍ଟ ଭଦ୍ରା ଓ ତାଙ୍କ ମାଆ ମରିନ ଭଦ୍ରାଙ୍କ ଅଡ଼ୁଆ ବଢ଼ିବା ଦେଖିବାକୁ ମିଳିଛି। ଜମି କିଣା-ବିକା ସହ ଜଡ଼ିତ ତାଙ୍କ ନାମରେ ଥିବା ମନିଲଣ୍ଡରିଂ ମାମଲା ବନ୍ଦ କରିବାକୁ ରାଜସ୍ଥାନ ହାଇକୋର୍ଟ ମନା କରିଦେଇଛନ୍ତି। ବିକାନେରର କୋଲାୟତରେ ରବର୍ଟ ଭଦ୍ରାଙ୍କ କମ୍ପାନି ସ୍କାଇଲାଇଟ୍ ହସ୍ପିଟାଲିଟି ଏଲ୍‌ଏଲ୍‌ପି ପାଇଁ ଜମି କିଣା-ବିକା ମାମଲାର ଯାଞ୍ଚ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) କରୁଛି।

Advertisment

ରବର୍ଟ ଭଦ୍ରା ଓ ତାଙ୍କ ମାଆ ଏହି ମାମଲାକୁ ରଦ୍ଦ କରିବା ଓ ତାଙ୍କୁ ଗିରଫଦାରିରୁ ରକ୍ଷା କରିବା ପାଇଁ ହାଇକୋର୍ଟରେ ଏକ ପିଟିସନ ଦାଏର କରିଥିଲେ। ରାଜସ୍ଥାନ ହାଇକୋର୍ଟର ଜଷ୍ଟିସ୍ ପୁଷ୍ପେନ୍ଦ୍ର ସିଂହ ଭାଟିଙ୍କ ଏକକ ଖଣ୍ଡପୀଠ ଏହି ଆବେଦନକୁ ଖାରଜ କରିଦେଇଛନ୍ତି। ତେବେ କୋର୍ଟ ତାଙ୍କ ଗିରଫଦାରି ଉପରେ ୧୫ ଦିନର ରୋକ ଲଗାଇ ଏକ ସାମୟିକ ଆଶ୍ବସ୍ତି ଦେଇଛନ୍ତି। ବୁଧବାର କୋର୍ଟ ଏହି ମାମଲାର ଶୁଣାଣି କରିବା ପରେ ରାୟ ସଂରକ୍ଷିତ ରଖିଥିଲେ।