ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି କେବଳ ମେ ୧୮ ତାରିଖ ପର୍ଯ୍ୟନ୍ତ କାଏମ ରହିବ। ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଇଶାକ ଦାର୍ ଗୁରୁବାର ଏହି ବୟାନ ଦେଇ ହଇଚଇ ସୃଷ୍ଟି କରିଛନ୍ତି। ନ୍ୟୁଜ୍ ଏଜେନ୍ସି ଏଏଫ୍ପି ଏହି ସୂଚନା ଦେବା ପରେ ଏହାକୁ ନେଇ ଉଭୟ ଦେଶ ମଧ୍ୟରେ ପୁଣି ଉତ୍ତେଜନା ବଢ଼ିବା ଆଶଙ୍କା କରାଯାଉଛି। ପାକିସ୍ତାନର ବୈଦେଶିକ ମନ୍ତ୍ରୀଙ୍କ ଏହି ବୟାନ ପରେ ଭାରତ-ପାକ୍ ବିବାଦକୁ ନେଇ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି। ଭାରତ ଓ ପାକିସ୍ତାନ ମଧ୍ୟରେ ସାମରିକ ସଂଘର୍ଷ ପୁଣି ଆରମ୍ଭ ହେବାକୁ ଯାଉଛି କି ବୋଲି ପ୍ରଶ୍ନ ଉଠୁଛି। ମେ’ ୧୮ ପରେ ପୁଣି ଥରେ ପାକିସ୍ତାନ ପକ୍ଷରୁ ଡ୍ରୋନ୍ ଓ କ୍ଷେପଣାସ୍ତ୍ର ଆକ୍ରମଣ ହେଲେ ଏହା ପୁଣି ଯୁଦ୍ଧ ଭଳି ସ୍ଥିତି ସୃଷ୍ଟି କରିବ ବୋଲି ଆଶଙ୍କା କରାଯାଉଛି। ପାକିସ୍ତାନର ବୈଦେଶିକ ମନ୍ତ୍ରୀ ହଠାତ ଅସ୍ତ୍ରବିରତିର ସମୟସୀମା ସଂପର୍କରେ ଗଣମାଧ୍ୟମକୁ ବୟାନ ଦେବା ପଛରେ ପାକ୍ର କିଛି ଜଟିଳ ରଣନୀତି ରହିଥିବା କୁହାଯାଉଛି। ତେବେ ଦାର୍ କହିଛନ୍ତି ଯେ ଭାରତ ଓ ପାକିସ୍ତାନ ମଧ୍ୟରେ ଏବେ ବିଶ୍ବାସ ସୃଷ୍ଟିକାରୀ ପ୍ରୟାସ ମଧ୍ୟ ଜାରି ରହିଛି। ମେ ୧୦ରେ ସାମରିକ ଅପରେସନ୍ ମହାନିର୍ଦ୍ଦେଶକ (ଡିଜିଏମ୍ଓ) ସ୍ତରରେ ବୁଝାମଣା ହେବା ସମୟରେ ମେ ୧୮ ପର୍ଯ୍ୟନ୍ତ ଏହା ଜାରି ରଖିବାକୁ ଆଲୋଚନା ହୋଇଥିଲା ବୋଲି ଦାର୍ ଗଣମାଧ୍ୟମକୁ କହିଛନ୍ତି।
ସୂଚନାଯୋଗ୍ୟ, ଗତ ସପ୍ତାହରେ ଅସ୍ତ୍ରବିରତି ଆଲୋଚନା ପରେ ଏହାର ସମୟସୀମା ନେଇ କୌଣସି ସୂଚନା ମିଳିନଥିଲା। ଭାରତ-ପାକ୍ ଡିଜିଏମଓଙ୍କ ମଧ୍ୟରେ ହୋଇଥିବା ବୁଝାମଣା ଆଧାରରେ ବିଶ୍ୱାସ ସୃଷ୍ଟିକାରୀ ପଦକ୍ଷେପ ଜାରି ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା। ଭାରତର ସାମରିକ ଅପରେସନ୍ ମହାନିର୍ଦ୍ଦେଶକ ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ ଏବଂ ତାଙ୍କ ପାକିସ୍ତାନୀ ପ୍ରତିପକ୍ଷ ମେଜର ଜେନେରାଲ କାଶିଫ ଅବଦୁଲ୍ଲା କହିଥିଲେ ଯେ ଏହି ପ୍ରକ୍ରିୟା ଜାରି ରଖିବାକୁ ନିୟମିତ ବ୍ୟବଧାନରେ ପଦକ୍ଷେପ ଗ୍ରହଣ କରାଯିବ। ତେଣୁ ମେ ୧୮ କିମ୍ବା ପରେ ପୁଣି ଥରେ ଡିଜିଏମ୍ଓସ୍ତରରେ ଆଲୋଚନା ହୋଇପାରେ ବୋଲି କୁହାଯାଉଛି।