ଦୁବାଇ: ୨୦୩୦ ସୁଦ୍ଧା ବିଶ୍ୱର ଅକ୍ଷୟ ଶକ୍ତିକୁ ତିନି ଗୁଣ କରିବାକୁ ଶନିବାର ସିଓପି-୨୮ ଜଳବାୟୁ ଶିଖର ସମ୍ମିଳନୀରେ ୧୧୦ରୁ ଅଧିକ ଦେଶର ସମର୍ଥନ ମିଳିବାକୁ ଯାଉଛି ଏବଂ ଜାତିସଂଘର ପରିବେଶ ସମ୍ମିଳନୀ ଶେଷ ସୁଦ୍ଧା ଏହି ଚୁକ୍ତିକୁ ବିଶ୍ୱସ୍ତରୀୟ କରିବାକୁ ପ୍ରୟାସ ଚାଲିଛି। ୟୁରୋପୀୟ ସଂଘ, ଯୁକ୍ତରାଷ୍ଟ୍ର ଆମେରିକା ଏବଂ ସିଓପି-୨୮ ଆୟୋଜକ ସଂଯୁକ୍ତ ଆରବ ଏମିରେଟ୍ସ ଏହି ପ୍ରସ୍ତାବକୁ ସମର୍ଥନ କରୁଛନ୍ତି, ଯାହା କି ଏହି ଦଶନ୍ଧିରେ ଜଳବାୟୁ ପରିବର୍ତ୍ତନକୁ ରୋକିବା ପାଇଁ ବିଶ୍ବତାପନ ହ୍ରାସର ଏକ ମାଧ୍ୟମ ହୋଇପାରେ। ୟୁରୋପୀୟ ଆୟୋଗର ଅଧ୍ୟକ୍ଷ ଉର୍ସୁଲା ବନ୍ ଡେର୍ ଲେୟେନ୍ ଗୁରୁବାର ସିଓପି-୨୮ ଶିଖର ସମ୍ମିଳନୀରେ ଅକ୍ଷୟ ଶକ୍ତି ସମ୍ପର୍କରେ କହିଛନ୍ତି ଯେ, ୧୧୦ରୁ ଅଧିକ ଦେଶ ଏଥିରେ ସାମିଲ ହୋଇସାରିଛନ୍ତି। ଚୂଡ଼ାନ୍ତ ସିଓପି ନିଷ୍ପତ୍ତିରେ ଏହି ଲକ୍ଷ୍ୟଗୁଡ଼ିକୁ ଅନ୍ତର୍ଭୁକ୍ତ କରିବାକୁ ମୁଁ ଏବେ ଆମ ସମସ୍ତଙ୍କୁ ଆହ୍ୱାନ କରୁଛି।

Advertisment

ଏହି ଲକ୍ଷ୍ୟ ହାସଲ କରିବା ପାଇଁ ଆବଶ୍ୟକ ବିପୁଳ ପୁଞ୍ଜିନିବେଶକୁ ସରକାର ଓ କମ୍ପାନିମାନେ ସମର୍ଥନ କରିବେ କି ନାହିଁ ତାହା ଏକ ଖୋଲା ପ୍ରଶ୍ନ। ବର୍ଷ ବର୍ଷ ଧରି ବିଶ୍ୱରେ ସୌର ଓ ପବନ ଭଳି ଅକ୍ଷୟ ଶକ୍ତିର ଉପଯୋଗ ବୃଦ୍ଧି ପାଉଥିବା ବେଳେ ବଢୁଥିବା ଖର୍ଚ୍ଚ, ଶ୍ରମ ପ୍ରତିବନ୍ଧକ ଏବଂ ଯୋଗାଣ ଶୃଙ୍ଖଳା ସମସ୍ୟା ଯୋଗୁଁ ଗତ କିଛି ମାସ ମଧ୍ୟରେ ଅନେକ ପ୍ରକଳ୍ପ ବିଳମ୍ବିତ ଏବଂ ବାତିଲ ହେବାକୁ ବାଧ୍ୟ ହୋଇଛି, ଯାହା ଫଳରେ ଅର୍ଷ୍ଟେଡ୍ ଏବଂ ବିପି ଭଳି ବିକାଶକାରୀଙ୍କୁ କୋଟି କୋଟି ଡଲାର କ୍ଷତି ସହିବାକୁ ପଡୁଛି। ଏହି ଚୁକ୍ତିକୁ ଜାତିସଂଘ ଜଳବାୟୁ ଶିଖର ସମ୍ମିଳନୀର ଚୂଡ଼ାନ୍ତ ନିଷ୍ପତ୍ତିରେ ସାମିଲ କରିବା ପାଇଁ ଉପସ୍ଥିତ ପ୍ରାୟ ୨୦୦ ଦେଶ ମଧ୍ୟରେ ସହମତି ଆବଶ୍ୟକ। ଯଦିଓ ଚୀନ୍ ଏବଂ ଭାରତ ୨୦୩୦ ସୁଦ୍ଧା ବିଶ୍ୱର ଅକ୍ଷୟ ଶକ୍ତି ଉତ୍ପାଦନକୁ ୩ ଗୁଣା ବୃଦ୍ଧି ପାଇଁ ସଙ୍କେତ ଦେଇଛନ୍ତି, କିନ୍ତୁ ଏହା ସାମଗ୍ରିକ ପ୍ରତିଶ୍ରୁତିକୁ ସମର୍ଥନ କରିବ ବୋଲି ନିଶ୍ଚିତ କରିନାହିଁ - ଯେଉଁଥିରେ ଜୀବାଶ୍ମ ଇନ୍ଧନ ବ୍ୟବହାର ହ୍ରାସ ସହିତ ସ୍ୱଚ୍ଛ ଶକ୍ତିର ବୃଦ୍ଧି ଆବଶ୍ୟକ। ଦକ୍ଷିଣ ଆଫ୍ରିକା, ଭିଏତନାମ, ଅଷ୍ଟ୍ରେଲିଆ, ଜାପାନ, କାନାଡା, ଚିଲି ଏବଂ ବାର୍ବାଡୋସ ଏଥିରେ ସାମିଲ ଅଛନ୍ତି। ଶନିବାର ସିଓପି-୨୮ରେ ଅକ୍ଷୟ ଶକ୍ତି ସମ୍ବନ୍ଧୀୟ ଅନ୍ୟାନ୍ୟ ଘୋଷଣା ମଧ୍ୟରେ ମିଥେନ ନିର୍ଗମନର ମୁକାବିଲା ପାଇଁ ନୂତନ ପଦକ୍ଷେପ ଏବଂ ପାଣ୍ଠି ବ୍ୟବସ୍ଥା, କୋଇଲା ବ୍ୟବହାର ହ୍ରାସ ଏବଂ ଆଣବିକ ଶକ୍ତିକୁ ପ୍ରୋତ୍ସାହନ ଅନ୍ତର୍ଭୁକ୍ତ।