‘ଆତ୍ମନିର୍ଭର ଭାରତ’କୁ ବଡ଼ ସଫଳତା: ମଡ୍ୟୁଲାର ବ୍ରିଜ୍ କିଣିବାକୁ ଏଲ୍‌ଆଣ୍ଡ୍‌ଟି ସହିତ ପ୍ରତିରକ୍ଷା ମନ୍ତ୍ରଣାଳୟ ଚୁକ୍ତି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତ ଗଠନ ଲକ୍ଷ୍ୟରେ ଭାରତୀୟ ପ୍ରତିରକ୍ଷା କ୍ଷେତ୍ରରେ ଅସ୍ତ୍ରଶସ୍ତ୍ର ଓ ଉପକରଣକୁ ଅଧିକରୁ ଅଧିକ ଦେଶୀ କାରିଗରୀ ଜ୍ଞାନକୌଶଳରେ ନିର୍ମାଣ କରିବାକୁ ଆରମ୍ଭ ହୋଇଥିବା ପ୍ରୟାସକୁ ଆଉ ଏକ ବଡ ସଫଳତା ମିଳିଛି। ଲାର୍ସନ ଓ ଟୁବ୍ରୋ (ଏଲ୍‌ଆଣ୍ଡ୍‌ଟି) ଘରୋଇ କମ୍ପାନିଠାରୁ ୪୧ ସେଟ୍ ଦେଶୀ କାରିଗରୀ ଜ୍ଞାନକୌଶଳରେ ନିର୍ମିତ ମଡ୍ୟୁଲାର ବ୍ରିଜ୍ (ସେତୁ) କିଣିବା ପ୍ରସ୍ତାବକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁମୋଦନ କରିବା ପରେ ଏଥିପାଇଁ ସମ୍ପୃକ୍ତ କମ୍ପାନି ସହିତ ଏକ ବୁଝମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏଲ୍‌ଆଣ୍ଡ୍‌ଟି ପ୍ରତିରକ୍ଷା ବାହିନୀକୁ ୨୫୮୫ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ଏହି ବ୍ରିଜ୍ ଯୋଗାଇଦେବ। ଏହାକୁ ଭାରତୀୟ ପ୍ରତିରକ୍ଷା ବାହିନୀର ଇଞ୍ଜିନିୟରିଂ ବିଭାଗ ବ୍ୟବହାର କରିବ। ପ୍ରତିକୂଳ ପରିସ୍ଥିତିରେ ସେତୁ ନିର୍ମାଣ ପାଇଁ ମଡ୍ୟୁଲାର ସେତୁକୁ ବ୍ୟବହାର କରାଯାଏ। ସେନାର ଇଞ୍ଜିନିୟିରିଂ କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିବାକୁ ସମର୍ଥ ଏହି ବ୍ରିଜ୍‌ଗୁଡିକର ଡିଜାଇନ ଓ ବିକାଶକାମ ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ସଂସ୍ଥା ଡିଆର୍‌ଡିଓ ପକ୍ଷରୁ କରାଯାଇଛି। ଏହାକୁ ଲାର୍ସନ ଓ ଟୁବ୍ରୋ ଡିଆର୍‌ଡିଓର ମନୋନୀତ ଉତ୍ପାଦନକାରୀ ସଂସ୍ଥା ଭାବେ ଉତ୍ପାଦନ କରିବ।

ଏହି ମଡ୍ୟୁଲାର ବ୍ରିଜ୍ ପାଇଁ ଆଜି ପ୍ରତିରକ୍ଷା ମନ୍ତ୍ରଣାଳୟ ଓ ଏଲ୍‌ଆଣ୍ଡ୍‌ଟି ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ପ୍ରତ୍ୟେକ ସେଟ୍ ମଡ୍ୟୁଲାର ବ୍ରିଜ୍ ସାତଟି ବାହକ ଯାନକୁ ନେଇ ଗଠିତ। ଏହା ଏକ ଅତ୍ୟାଧୁନିକ ସେତୁ ନିର୍ମାଣ ଉପକରଣ ଏବଂ ଏହାକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସହଜରେ ନେଇ ହେବ। ଏବେ ଭାରତୀୟ ସେନା ଯେଉଁ ମଣିଷ-ଚାଳିତ ମିଡିୟମ ଗାର୍ଡର ବ୍ରିଜ୍ ତିଆରି କରୁଛି ମଡ୍ୟୁଲାର ବ୍ରିଜ୍ ତାହାର ସ୍ଥାନ ନେବ। ମିଡିୟମ ଗାର୍ଡର ବ୍ରିଜ୍ ଟେକ୍ନୋଲୋଜି ତୁଳନାରେ ମଡ୍ୟୁଲାର ବ୍ରିଜ୍‌ର ସୁବିଧା ସୁଯୋଗ ଯଥେଷ୍ଟ ଅଧିକ।

ସମ୍ବନ୍ଧିତ ଖବର