ନୂଆଦିଲ୍ଲୀ: ଛତିଶଗଡ଼ ଓ ମିଜୋରାମରେ ପରବର୍ତ୍ତୀ ସରକାର ଚୟନ ପାଇଁ ଆଜି ମତଦାନ ହୋଇଛି। ୨୦୨୪ ସାଧାରଣ ନିର୍ବାଚନର କିଛି ମାସ ପୂର୍ବରୁ ୫ଟି ରାଜ୍ୟର ବିଧାନସଭା ନିର୍ବାଚନକୁ ସେମିଫାଇନାଲ୍ ଭାବେ ଦେଖାଯାଉଛି। ଛତିଶଗଡ଼ରେ ଆଜି ପ୍ରଥମ ପର୍ଯ୍ୟାୟରେ ୨୦ଟି ଆସନ ପାଇଁ ମତଦାନ ହୋଇଥିବା ବେଳେ ମିଜୋରାମରେ ସମସ୍ତ ୪୦ ଆସନ ପାଇଁ ଭୋଟ୍‌ ଗ୍ରହଣ ହୋଇଛି।

Advertisment

ମିଜୋରାମରେ ଆଜି ୭୭.୦୪ ପ୍ରତିଶତ ଭୋଟର୍‌ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି ଏବଂ ଛତିଶଗଡ଼ରେ ୭୧ ପ୍ରତିଶତ ମତଦାନ ହୋଇଛି। ୨୦୧୮ରେ ଛତିଶଗଡ଼ରେ ୭୭ ପ୍ରତିଶତ ଓ ମିଜୋରାମରେ ୮୧ ପ୍ରତିଶତ ମତଦାନ ହୋଇଥିଲା। ଆଜି ସକାଳେ ଛତିଶଗଡ଼ର ସୁକୁମାର ତୋଣ୍ଡାମାର୍କା ଅଞ୍ଚଳରେ ମାଓବାଦୀଙ୍କ ଆଇଇଡି ବିସ୍ଫୋରଣରେ ନିର୍ବାଚନ ଡ୍ୟୁଟିରେ ଥିବା ଜଣେ ସିଆରପିଏଫ୍ କୋବ୍ରା ଯବାନ ଆହତ ହୋଇଛନ୍ତି। ସେହିଭଳି ମିନପାରେ ମାଓବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ଏବଂ ଏଥିରେ ଦୁଇ ଜଣ ଯବାନ ଆହତ ହୋଇଥିବା ରିପୋର୍ଟ ମିଳିଛି। ଘଟଣାସ୍ଥଳରୁ ପୁଲିସ ଏକେ-୪୭ ବନ୍ଧୁକ ଜବତ କରିଛି ଏବଂ ଏହି ଗୁଳି ବିନିମୟରେ କେତେକ ମାଓବାଦୀ ମଧ୍ୟ ନିହତ ହୋଇଥିବା ମିଜୋରାମରେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ କାମ କରୁନଥିବାରୁ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା ଭୋଟ୍ ଦେଇପାରିନଥିଲେ ଏବଂ ପରେ ମେସିନ୍‌ ସୁଧୁରିବା ପରେ ଭୋଟ୍ ଦେଇଥିଲେ।

ଛତିଶଗଡର ୯୦ଟି ଆସନ ମଧ୍ୟରୁ ଆଜି ମତଦାନ ହୋଇଥିବା ୨୦ ଆସନରୁ ୧୨ଟି ଆସନ ମାଓବାଦ-ପ୍ରଭାବିତ ବସ୍ତର ଅଞ୍ଚଳରେ ଥିବାରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଏହି ଜୋନରେ ପ୍ରାୟ ୬୦ ହଜାର ସୁରକ୍ଷାକର୍ମୀଙ୍କୁ ନିୟୋଜିତ ଥିଲେ। ୨୦୧୮ରେ କଂଗ୍ରେସ ଉକ୍ତ ୨୦ଟି ଆସନରୁ ୧୭ଟିରେ ବିଜୟୀ ହୋଇଥିବା ବେଳେ ବିଜେପି ୨ଟି ଆସନରେ ବିଜୟୀ ହୋଇଥିଲା। ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବିଜେପିର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ, ଭାବନା ବୋରା, ଲତା ଉସେଣ୍ଡି ଏବଂ ଗୌତମ ଉଇକେ ପ୍ରମୁଖ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହୋଇଛି। ସେହିପରି କଂଗ୍ରେସର ମହମ୍ମଦ ଆକବର, ସାବିତ୍ରୀ ମନୋଜ ମାଣ୍ଡବୀ, ପୂର୍ବତନ ରାଜ୍ୟ ସଭାପତି ମୋହନ ମାର୍କମ, ବିକ୍ରମ ମାଣ୍ଡବୀ ଓ କୱାସି ଲଖମା ମଧ୍ୟ ଏହି ଦୌଡ଼ରେ ରହିଛନ୍ତି। ୨୦୧୩ରେ ଏକ ମାଓବାଦୀ ଆକ୍ରମଣରେ କଂଗ୍ରେସର ସମଗ୍ର ନେତୃତ୍ୱ ନିପାତ ହେବା ପରେ ଦଳର ରାଜ୍ୟ ୟୁନିଟକୁ ପୁନର୍ଜୀବିତ କରିବାର ଶ୍ରେୟ ପାଇଥିବା ଭୂପେଶ ବାଘେଲଙ୍କ ଉପରେ ଶାସକ କଂଗ୍ରେସ ଭରସା ରଖିଛି। ବିଜେପି ନିଜର ପାରମ୍ପରିକ ଫର୍ମୁଲାରେ ଅଟଳ ରହି ଶୀର୍ଷ ପଦ ପାଇଁ କୌଣସି ଚେହେରାକୁ ପ୍ରଦର୍ଶିତ କରିନାହିଁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଛବି ସହିତ ନିଜର ପ୍ରଚାରକୁ ଜୋରଦାର କରିଛି।

ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିବା ପରେ କଂଗ୍ରେସର ପ୍ରଚାର ଅଧାରୁ ପ୍ରଭାବିତ ହୋଇଥିଲା। ବର୍ତ୍ତମାନ ବେଆଇନ ମହାଦେବ ଅନଲାଇନ୍ ବେଟିଂ ଆପ୍‌ ଉପରେ ତଦନ୍ତରୁ ଜଣାପଡିଛି ଯେ ଏହାର ପ୍ରମୋଟରମାନେ ଭୂପେଶ ବାଘେଲଙ୍କୁ ପାଖାପାଖି ୫୦୮ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଏହାର ଜବାବରେ ବାଘେଲ କହିଛନ୍ତି ଯେ ବିଜେପି ତାଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଅସ୍ତ୍ର କରିଛି। ଏହି ଅଭିଯୋଗ ତାଙ୍କ ଦଳର ସମ୍ଭାବନାକୁ ପ୍ରଭାବିତ କରିବ ନାହିଁ ବୋଲି ସେ କହିଛନ୍ତି। ମିଜୋରାମରେ ୨୦୧୮ରେ ବିଜେପି ସହ ମେଣ୍ଟ କରି କ୍ଷମତାକୁ ଆସିଥିବା ମିଜୋ ନ୍ୟାସନାଲ ଫ୍ରଣ୍ଟ କଂଗ୍ରେସର ମୁଖ୍ୟମନ୍ତ୍ରୀ ଲାଲ ଥାନହାୱଲାଙ୍କ ୧୦ ବର୍ଷର ଶାସନର ଅନ୍ତ ଘଟାଇ ପୁଣି ଥରେ କ୍ଷମତାକୁ ଆସିବାକୁ ଆଶା ରଖିଛି।