ମୁମ୍ବାଇ : ବଲିଉଡ୍ ସୁପରଷ୍ଟାର ବିଗ୍ ‘ବି’ ଅମିତାଭ ବଚ୍ଚନ (୭୭) କରୋନାରେ ସଂକ୍ରମିତ ହୋଇଥିବା ଖବରର ସର୍ବଶେଷ ସୂଚନା ଅନୁଯାୟୀ ଉଭୟ ଅମିତାଭ ବଚ୍ଚନ ଏବଂ ଅଭିଷେକ ବଚ୍ଚନ ରବିବାର ଦିନ ମୁମ୍ବାଇର ନାନାବତୀ ହସ୍ପିଟାଲରେ ସ୍ବାବ୍ ପରୀକ୍ଷା କରାଯିବ। ପୂର୍ବ ପରୀକ୍ଷାଟି ଏକ ଘରୋଇ ଲ୍ୟାବ ଦ୍ୱାରା କରାଯାଇଥିଲା | ଏଣୁ ଆଉ ଥରେ ସ୍ବାବ୍ ପରୀକ୍ଷା କରାଯାଇ ଅଧିକ ଚିକିତ୍ସା କରାଯିବ ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି।
ସଦ୍ୟତମ ସୂଚନା ଅନୁଯାୟୀ ଅମିତାଭ ବଚ୍ଚନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ତାଙ୍କଠାରେ ହାଲୁକା କରୋନା ଲକ୍ଷଣ ଥିବା ହସ୍ପିଟାଲ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏଣେ ଆଜି ପୂର୍ବାହ୍ନ ୧୦ଟା ବେଳେ ଅମିତାଭ ବଚ୍ଚନଙ୍କ ବାସଭବନକୁ ବିଏମସି ପକ୍ଷରୁ ସାନିଟାଇଜ୍ କରାଯିବ ବୋଲି ସୂଚନା ମିଳିଛି। ତା’ଛଡ଼ା ତାଙ୍କ ଘର ପାଖ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିବା ଜଣାଯାଇଛି।
ସୂଚନାଯୋଗ୍ୟ, ଅମିତାଭ ବଚ୍ଚନଙ୍କୁ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି। ଏ ନେଇ ନିଜେ ଶ୍ରୀ ବଚ୍ଚନ ଟ୍ବିଟ୍ କରି ସୂଚନା ଦେଇଥିଲେ। ଏହି ଖବର ଜଣାପଡ଼ିବା ପରେ ସମଗ୍ର ବଲିଉଡ୍ରେ ଆଲୋଡ଼ନ ସୃଷ୍ଟି ହୋଇଥିବା ବେଳେ ସାରା ଦେଶରେ ଅମିତାଭଙ୍କ କୋଟି କୋଟି ପ୍ରଶଂସକ ତାଙ୍କର ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି। ତେବେ ଅମିତାଭଙ୍କ ପରିବାରର ଅନ୍ୟ ସଦସ୍ୟା ପତ୍ନୀ ଜୟା, ବୋହୂ ଐଶ୍ବର୍ଯ୍ୟା ଓ ନାତୁଣୀ ଆରାଧ୍ୟାଙ୍କ ସ୍ବାବ୍ ନମୁନା ନେଗେଟିଭ୍ ଆସିଥିବା ଜଣାପଡ଼ିଛି।