ନୂଆଦିଲ୍ଲୀ: ଦିଲ୍ଲୀର ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ନିକଟରେ ୧୦ ନଭେମ୍ବରରେ ହୋଇଥିବା ବିସ୍ଫୋରଣର ତଦନ୍ତରୁ ଅତି ଭୟାନକ ତଥ୍ୟ ସାମନାକୁ ଆସିଛି। ପୁଲିସ ସୂତ୍ର ଅନୁସାରେ, ୨୦୨୫ ଜାନୁଆରିରୁ ଏହି ଆତଙ୍କବାଦୀ ଷଡ୍‌ଯନ୍ତ୍ର ରଚାଯାଉଥିଲା, ଯାହା ୨୦୦୮ର ‘ମୁମ୍ବାଇ ୨୬/୧୧’ ଆକ୍ରମଣଠାରୁ ମଧ୍ୟ ବଡ଼ ବିସ୍ଫୋରଣ ଘଟାଇବାକୁ ଯୋଜନା କରିଥିଲା। ଏହି ‘ହ୍ୱାଇଟ୍-କଲାର ଆତଙ୍କବାଦୀ ମଡ୍ୟୁଲ’ ଦିଲ୍ଲୀ, ଗୁରୁଗ୍ରାମ ଓ ଫରିଦାବାଦକୁ ଟାର୍ଗେଟ୍‌ କରିବାକୁ ଯୋଜନା କରିଥିଲା। ଦିଲ୍ଲୀରେ ଇଣ୍ଡିଆ ଗେଟ୍, ରେଲୱେ ଷ୍ଟେସନ, ଲାଲକିଲ୍ଲା, ଗୌରୀ ଶଙ୍କର ମନ୍ଦିର, କନ୍‌ଷ୍ଟିଟ୍ୟୁସନ କ୍ଲବ ଏବଂ ପ୍ରମୁଖ ସପିଂ ମଲ୍‌ଗୁଡ଼ିକୁ ଟାର୍ଗେଟ୍‌ କରିବାକୁ ଆତଙ୍କବାଦୀଙ୍କ ଯୋଜନା ଥିଲା।
ଷଡ଼ଯନ୍ତ୍ରର ଉଦ୍ଦେଶ୍ୟ ଥିଲା ଏକାସାଙ୍ଗରେ ଏକାଧିକ ସ୍ଥାନରେ ଆକ୍ରମଣ କରି ଅଧିକରୁ ଅଧିକ ଧନଜୀବନର କ୍ଷୟକ୍ଷତି ଘଟାଇବା ଓ ଧାର୍ମିକ ସ୍ଥାନରେ ଆକ୍ରମଣ ଦ୍ୱାରା ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିବା। ତଦନ୍ତକାରୀମାନେ ଜଣାଇଛନ୍ତି ଯେ ଆତଙ୍କୀ ଡାକ୍ତର ମଡ୍ୟୁଲ ୨୦୦ରୁ ଅଧିକ ଶକ୍ତିଶାଳୀ ଆଇଇଡି (ଇମ୍ପ୍ରୋଭାଇଜ୍‌ଡ ଏକ୍ସପ୍ଲୋସିଭ ଡିଭାଇସ) ତିଆରି କରିଥିଲା, ଯାହାକୁ ସମନ୍ୱିତ ଭାବେ ବିସ୍ଫୋରଣ ଘଟାଇବାକୁ ଯୋଜନା ଥିଲା।   ଲାଲକିଲ୍ଲା ନିକଟରେ ହୋଇଥିବା ବିସ୍ଫୋରଣ କେବଳ  ଏହାର ପ୍ରାରମ୍ଭ ମାତ୍ର ଥିଲା ବୋଲି କୁହାଯାଇଛି।

Advertisment

ଏହି  ଆତଙ୍କୀ  ମଡ୍ୟୁଲର କେନ୍ଦ୍ରରେ ଥିଲେ ଜମ୍ମୁ-କାଶ୍ମୀରର ପୁଲୱାମା, ସୋପିଆନ ଓ ଅନନ୍ତନାଗ  ଏବଂ ଫରିଦାବାଦ ଅଲ୍‌ ଫଲାହ ବିଶ୍ବବିଦ୍ୟାଳୟର ଏକ ଡାକ୍ତର ଗୋଷ୍ଠୀ । ସେମାନେ ନିଜର ବୃତ୍ତିଗତ ପରିଚୟକୁ ଆଡ଼ କରି ଏନ୍‌ସିଆର୍‌ରେ ନେଟୱର୍କ ଗଢ଼ିଥିଲେ। ଡାକ୍ତର  ହୋଇଥିବାରୁ ସେମାନଙ୍କ ଯାତ୍ରା ଉପରେ କୌଣସି ସନ୍ଦେହ ହୋଇନଥିଲା। ରେକି ସମୟରେ ଲାଲକିଲ୍ଲା, ଇଣ୍ଡିଆ ଗେଟ୍ ଓ ରେଲୱେ ଷ୍ଟେସନଗୁଡ଼ିକର ଜନଗହଳି, ସୁରକ୍ଷା ବ୍ୟବସ୍ଥା ଏବଂ ପ୍ରବେଶ-ପ୍ରସ୍ଥାନ ପଏଣ୍ଟଗୁଡ଼ିକର ସର୍ଭେ କରାଯାଇଥିଲା।   ଡା. ମୁଜାମ୍ମିଲ ଗନାଇ ଓ ଡା. ମହମ୍ମଦ ଉମର ନବୀ ଭଳି ଆତଙ୍କୀଙ୍କ ମୋବାଇଲ ଡାଟା ଓ ସିସିଟିଭି ଫୁଟେଜ ଅନୁଧ୍ୟାନରୁ ସେମାନେ ଏକାଧିକ ରେକି  କରିଥିବା ନିଶ୍ଚିତ ହୋଇଛି। ଉଭୟେ ବାରମ୍ବାର ଉକ୍ତ ଅଂଚଳକୁ ଯାଇ ସ୍ଥିତି ଅନୁଧ୍ୟାନ କରୁଥିବା ସଂପର୍କରେ ବଳିଷ୍ଠ ପ୍ରମାଣ ହାସଲ ହୋଇଛି।
ପୁଲିସ   ଅଲ-ଫଲାହ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ସହ ଜଡ଼ିତ ବଡ଼ ଜିହାଦୀ ନେଟ୍‌ୱର୍କକୁ ଖୋଜି ପାଇଛି, ଯେଉଁଠାରୁ ସନ୍ଦିଗ୍ଧ ଗାଡ଼ି ଓ ସାମଗ୍ରୀ ସ୍ଥାନାନ୍ତରିତ ହୋଇଥିଲା। ତେବେ  ବିଶ୍ୱବିଦ୍ୟାଳୟ ଏହାକୁ ଅସ୍ୱୀକାର କରିଛି। ମଡ୍ୟୁଲକୁ ହାୱଲା ମାର୍ଗରେ ଅର୍ଥ ଯୋଗାଣ ହେଉଥିଲା, ଏବଂ ବାହାରେ ଥିବା ହ୍ୟାଣ୍ଡଲରଙ୍କ ଭୂମିକା ସଂପର୍କରେ ଏବେ ଖେଳତାଡ଼ ଚାଲିଛି। ଏନ୍‌ଆଇଏ ମାମଲା ହାତକୁ ନେଇଥିବା ବେଳେ ପାକିସ୍ତାନରୁ ପରିଚାଳିତ ଜୈସ୍‌ ଓ  ଲସ୍କର-ଏ-ତୋଇବା (ଏଲ୍‌ଇଟି) ସହ ଏହି ମଡ୍ୟୁଲର ସିଧାସଳଖ ସଂପର୍କ ଠାବ ହୋଇଛି।
ଏଜେନ୍ସିଗୁଡ଼ିକର ସତର୍କତା ଯୋଗୁଁ ଆଗୁଆ ଅନେକ ଗିରଫଦାରୀ ହୋଇଥିବାରୁ ଦିଲ୍ଲୀ ଏକାଧିକ ଗଣସଂହାରରୁ ବର୍ତ୍ତି ଯାଇଛି। ଜିହାଦୀ ଡାକ୍ତର ମଡ୍ୟୁଲର ୨୯୦୦ କିଲୋ ଆମୋନିୟମ ନାଇଟ୍ରେଟ ଭିତ୍ତିକ ବିସ୍ଫୋରକ ଜବତ ହୋଇଛି।  

ମୌଲବୀ ଇର୍‌ଫାନ ମାଷ୍ଟରମାଇଣ୍ଡ୍‌

ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରୁ ମୌଲବୀ ଇର୍‌ଫାନଙ୍କ ନେତୃତ୍ୱରେ ଏବଂ ଜୈସ୍‌ର ପ୍ରତ୍ୟକ୍ଷ ସହଯୋଗରେ ଅଲ୍‌ ଫଲାହ ବିଶ୍ବବିଦ୍ୟାଲୟରୁ ଏହି ଜଟିଳ ଆତଙ୍କୀ ମଡ୍ୟୁଲ ପରିଚାଳିତ ହେଉଥିବା ତଦନ୍ତରୁ ଜଣାପଡ଼ିଛି।  ଏହି ମଡ୍ୟୁଲ ଦୀପାବଳି ଓ ସାଧାରଣତନ୍ତ୍ର ଦିବସରେ ‌ଦିଲ୍ଲୀକୁ ଦୋହଲାଇ ଦେବାପାଇଁ ଆକ୍ରମଣ ଯୋଜନା କରିଥିଲା, ଯେଉଁଥିରେ ଜିହାଦୀ ଡାକ୍ତରମାନେ ରେକି ଓ ଲଜିଷ୍ଟିକ୍ସ ପାଇଁ ସବୁ ବ୍ୟବସ୍ଥା କରିଥିଲେ। ମୋବାଇଲ ଡାଟା ଓ ସିସିଟିଭି ଫୁଟେଜରୁ ଜାନୁଆରିରେ  ଲାଲକିଲ୍ଲାରେ ଅଭିଯୁକ୍ତଙ୍କ ଏକାଧିକ ରେକି ନେଇ ପ୍ରମାଣ ହାସଲ ହୋଇଛି। ଏହି ଜିହାଦୀ ଗୋଷ୍ଠୀକୁ ହୱାଲା ମାଧ୍ୟମରେ ଅର୍ଥ ଯୋଗାଣର ସୂତ୍ର ଠାବ କରିବାକୁ ଖୋଳତାଡ଼ ଜାରି ରହିଛି। ଏନଆଇଏ ସୂତ୍ର ଅନୁସାରେ, ମୌଲଭୀ ଇର୍‌ଫାନ ଗୁପ୍ତ ଆପ୍ ମାଧ୍ୟମରେ ଡାକ୍ତରମାନଙ୍କୁ ଗଣସଂହାର ପାଇଁ ପ୍ରସ୍ତୁତ କରିଥିଲା, ଯାହା ଭାରତକୁ ଅସ୍ଥିର କରିବା ଦିଗରେ ଏକ ଜଘନ୍ୟ ପ୍ରୟାସ ଥିଲା।

Untitled-2

ହରିୟାଣାରୁ ଠାବ ହେଲା ଆତଙ୍କୀଙ୍କ ଲାଲ୍‌ ଇକୋସ୍ପୋର୍ଟ 

ଦିଲ୍ଲୀ, ହରିୟାଣା ଏବଂ ଉତ୍ତରପ୍ରଦେଶରେ ପୁଲିସ ଟିମ୍‌ ଏକ ଲାଲ୍‌ ରଙ୍ଗର ଫୋର୍ଡ ଇକୋ ସ୍ପୋର୍ଟ କାର୍‌ ପାଇଁ  ବଡ଼ ଧରଣର ସର୍ଚ୍ଚ ଅପରେସନ୍‌ ଚଳାଇଥିଲେ। ଏହାକୁ ଆକ୍ରମଣପାଇଁ ବ୍ୟବହାର କରାଯାଇଥିବା ସନ୍ଦେହ କରାଯାଉଥିଲା।  ଏହି ଗାଡ଼ିର ପଂଜୀକରଣ ନମ୍ବର ହେଉଛି ଡିଏଲ୧୦ସିକେ୦୪୫୮। ଏହା ଆତ୍ମଘାତୀ ଆକ୍ରମଣକାରୀ ମହମ୍ମଦ ଉମର ଉନ୍‌ ନବି  ନାମରେ ପଂଜୀକରଣ କରାଯାଇଛି। ସେ ହେଉଛି ଗାଡ଼ିର ଦ୍ବିତୀୟ ମାଲିକ।  ତଦନ୍ତକାରୀଙ୍କ ଅନୁଯାୟୀ ଗାଡ଼ିଟି ୨୦୧୭ ନଭେମ୍ବର ୨୨ରେ ଦିଲ୍ଲୀର ରାଜୌରୀ ଗାର୍ଡେନ ଆର୍‌ଟିଓରେ ପଂଜୀକରଣ ହୋଇଥିଲା। ଉତ୍ତରପୂର୍ବ ଦିଲ୍ଲୀରେ ଏକ ନକଲି ଠିକଣା ବ୍ୟବହାର କରି ଏହି ପଂଜୀକରଣ କରାଯାଇଥିଲା।  ପୁଲିସ ପରେ ଏହି ଠିକଣାରେ ଚଢ଼ଉ କରିଥିଲା। କିନ୍ତୁ କାର୍‌ଟି ମିଳିନଥିଲା। କାରଟିକୁ ଖୋଜିବାପାଇଁ ଦିଲ୍ଲୀ ପୁଲିସର ୫ଟି ଟିମ୍‌ ମୁତୟନ ହୋଇଥିଲେ।  ପଡ଼ୋଶୀ ଉତ୍ତରପ୍ରଦେଶ ଏବଂ ହରିୟାଣା ପୁଲିସ ମଧ୍ୟ ଏହି ଲାଲ ଇକୋସ୍ପୋର୍ଟ ପାଇଁ ହାଇ ଆଲର୍ଟ ଜାରି କରିଥିଲେ। ଶେଷରେ ବହୁ ତନାଘନା  ପରେ ଗାଡ଼ିଟି ହରିୟାଣାର ଖଣ୍ଡୱାଲି ଗ୍ରାମ ନିକଟରୁ ମିଳିଛି। 

ଗୁଇନ୍ଦା ସଂସ୍ଥା ଅନୁଯାୟୀ ଇକୋସ୍ପୋର୍ଟରେ ଅଧିକ ଗୁରୁତ୍ବପୂର୍ଣ୍ଣ ପ୍ରମାଣ ଏବଂ  ସମ୍ଭାବ୍ୟ ବିସ୍ଫୋରକ ମଧ୍ୟ ଥାଇପାରେ।  କର୍ତ୍ତୃପକ୍ଷମାନେ ବିଶ୍ବାସ କରୁଛନ୍ତି ଯେ ସନ୍ଦିଗ୍ଧମାନେ ଧଳା ହୁଣ୍ଡାଇ ଆଇ୨୦ ବାଦ୍‌ ଏହି ଲାଲ୍‌ ଇକୋସ୍ପୋର୍ଟକୁ ଏକ ଦ୍ବିତୀୟ ଗାଡ଼ି ଭାବେ  ବ୍ୟବହାର କରୁଥିଲେ।  ସୂଚନାନୁଯାୟୀ, ଡାକ୍ତର ଉମର ହୁଣ୍ଡାଇ ଆଇ ୨୦ ଚଳାଉଥିବା ବେଳେ  ବିସ୍ଫୋରଣ ହୋଇଥିଲା।  ଏହା ଏକ ଟେରର୍‌ ଲଜିଷ୍ଟିକ୍ସ ନେଟ୍‌ୱର୍କର ଅଂଶବିଶେଷ ଯେଉଁଥିରେ ଅନେକ ଡାକ୍ତରଙ୍କ ସମେତ ୯ରୁ ୧୦ ଜଣ ସଦସ୍ୟ ଥିଲେ।  ତଦନ୍ତକାରୀ କହିଛନ୍ତି ଯେ ଡାକ୍ତର ଉମର ଡାକ୍ତର ମୁଜାମ୍ମିଲ ଓ  ଡାକ୍ତର ଶାହୀନ ସହ ମିଶି ଆକ୍ରମଣ ଯୋଜନା କରିଥିଲା। ଶାହୀନ ଓ ମୁଜାମ୍ମିଲ ଫରିଦାବାଦରୁ ଗତ ସୋମବାର ଦିନ ୨୯୦୦ କିଲୋ ବିସ୍ଫୋରକ ସହ ଧରା ପଡ଼ିଥିଲେ ଏବଂ ଗିରଫ ହୋଇଥିଲେ। ସେମାନଙ୍କ ଗିରଫ ପ‌ରେ ଡାକ୍ତର ଉମର ଏହି ବିସ୍ଫୋରଣ ଏକାକୀ କରିଥିଲା। ଇତିମଧ୍ୟରେ ଆତଙ୍କୀ ଗୋଷ୍ଠୀ ପକ୍ଷରୁ ଅଧିକ ଆକ୍ରମଣ ଆଶଙ୍କାର  ଦିଲ୍ଲୀର ସମସ୍ତ  ବର୍ଡର ଚେକପଏଣ୍ଟ୍‌ରେ ହାଇ ଆଲର୍ଟ ଜାରି କରାଯାଇଛି।  

Untitled-3