ନୂଆଦିଲ୍ଲୀ, : ଦିଲ୍ଲୀ ପୁଲିସ ସୋମବାର ଦିନ ଦେଶର ସବୁଠୁ ବଡ଼ ‌କାର୍‌ ଚୋରକୁ ଗିରଫ କରିଛି। ଦୀର୍ଘ ୨୭ ବର୍ଷରେ ୫ ହଜାରରୁ ଅଧିକ କାର୍‌ ଚୋରି କରିଥିବା ଚୋରକୁ ଦିଲ୍ଲୀ ପୁଲିସ ସ୍ବତନ୍ତ୍ର ପୁଲିସ ଶାଖା ଦ୍ବାରା ଗିରଫ କରାଯାଇଛି। ଉକ୍ତ ବ୍ୟକ୍ତିର ନାମ ଅନୀଲ ଚୌହାନ। ବୟସ ୫୨। ତା’ ଜୀବନଶୈଳୀ ଅତି ବିଳାସପୂର୍ଣ୍ଣ। ଦିଲ୍ଲୀ, ମୁମ୍ବାଇ ଏବଂ ଉତ୍ତର ପୂର୍ବରେ ତା’ର କୋଟି କୋଟି ଟଙ୍କାର ସମ୍ପତ୍ତି ଅଛି। ଅନୀଲ ଏବେ ଅସ୍ତ୍ର ଚୋରାଚାଲାଣ କରୁଛି।

Advertisment

ଦିଲ୍ଲୀର ଖାନପୁର ଅଞ୍ଚଳରେ ରହିବା ସମୟରେ ଅନୀଲ ପ୍ରଥମେ ୧୯୯୫ରେ ଅଟୋ ଚଳାଇବା ଆରମ୍ଭ କରିଥିଲା। ସେହି ସମୟରେ ସେ ମାରୁତି ୮୦୦ କାର୍‌ ଚୋରି କରୁଥିଲା ଏବଂ ଏକ କୁଖ୍ୟାତ କାର୍‌ ଚୋରରେ ପରିଣତ ହୋଇଥିଲା। ଅନୀଲ ଦେଶର ବିଭିନ୍ନ ସ୍ଥାନରୁ କାର୍‌ ଚୋରି କରି ଏହାକୁ ନେପାଳ, ଜମ୍ମୁ କାଶ୍ମୀର ଏବଂ ଉତ୍ତର ପୂର୍ବ ରାଜ୍ୟରେ ବିକ୍ରି କରୁଥିଲା। ‌ଚୋ‌ରି କରିବା ସମୟରେ ସେ କିଛି ଟ୍ୟାକ୍ସି ଡ୍ରାଇଭରଙ୍କୁ ହତ୍ୟା ମଧ୍ୟ କରିଛି। ଶେଷରେ ସେ ଆସାମ ଯାଇ ସେଠାରେ ରହିଥିଲା। ଅନୀଲ ପୂର୍ବରୁ ମଧ୍ୟ ଅନେକ ଥର ଗିରଫ ହୋଇଛି। ତା’ ବିରୋଧରେ ୧୮୦ ମାମଲା ରହିଛି। ୨୦୧୫ରେ କଂଗ୍ରେସ ବିଧାୟକଙ୍କ ସହ ଥରେ ତାକୁ ଗିରଫ କରାଯାଇଥିଲା। ଏହାପରେ ସେ ୫ ବର୍ଷ ଜେଲ୍‌ରେ ଥିଲା। ଅନୀଲର ୩ ପତ୍ନୀ ଏବଂ ୭ ପିଲା ଅଛନ୍ତି। ଆସାମରେ ସେ ଜଣେ ସରକାରୀ କଣ୍ଟ୍ରାକ୍ଟର ଏବଂ ସ୍ଥାନୀୟ ନେତାଙ୍କ ସହ ଯୋଗାଯୋଗରେ ରହୁଥିଲା। ପୁଲିସ ତା’ ନିକଟରୁ ୬ଟି ପିସ୍ତଲ ଏବଂ ୭ଟି କାଟ୍ରିଜ ଜବତ କରିଛି। ତା ବିରୋଧରେ ମନି ଲଣ୍ଡରିଂ ମାମଲା ରୁଜୁ ହୋଇଛି।