ଦୁନିଆର ସବୁଠାରୁ ବଡ ଚିଡିଆଖାନା ନିର୍ମାଣ କରିବେ ମୁକେଶ ଅମ୍ବାନୀ, କେଉଁ ସ୍ଥାନରେ କରିବେ ଜାଣନ୍ତୁ?

ନୂଆଦିଲ୍ଲୀ: ଏସିଆର ସବୁଠାରୁ ଧନୀ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (RIL) ଗୁଜୁରାଟର ଜାମନଗରରେ ଏକ ପ୍ରାଣୀ ଉଦ୍ୟାନ ନିର୍ମାଣ କରିବ। ଏହା ବିଶ୍ୱର ସବୁଠୁ ବଡ ପ୍ରାଣୀ ଉଦ୍ୟାନ ହେବ ବୋଲି ଦାବି କରାଯାଉଛି। କମ୍ପାନୀର ଜଣେ ଅଧିକାରୀ ଶନିବାର ଦିନ ଏବାବଦରେ କହିଛନ୍ତି | ସେ କହିଛନ୍ତି ଯେ ଏହି ପ୍ରାଣୀ ଉଦ୍ୟାନରେ ଭାରତ ତଥା ବିଶ୍ୱର ବିଭିନ୍ନ ପ୍ରକାରର ପଶୁ, ପକ୍ଷୀ ଏବଂ ସାପ ରହିବେ। ଦୁନିଆର ସବୁଠୁ ବଡ ପ୍ରାଣୀ ଉଦ୍ୟାନର ନିର୍ମାଣ ପଛରେ ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କ ସ୍ୱପ୍ନ ରହିଛି | ମୁକେଶଙ୍କ ସାନ ପୁଅ ବିଶ୍ୱର ସବୁଠାରୁ ବଡ ଚିଡିଆଖାନା ନିର୍ମାଣ କରିବାକୁ ସ୍ବପ୍ନ ଦେଖିଥିବାରୁ ମୁକେଶ ଏବେ ଏହା ପୂରଣ କରିବାକୁ ଯାଉଛନ୍ତି |

ଜାମନଗରରର ମୋତି ଖାୱାଡି ଠାରେ ରିଲାଏନ୍ସ କମ୍ପାନୀର ରିଫାଇନାରୀ ପ୍ରକଳ୍ପ ନିକଟରେ ପ୍ରାୟ ୨୮୦ ଏକର ଜମିରେ ଏହି ଚିଡିଆଖାନା ନିର୍ମାଣ ହେବ। ବଡ କଥା ହେଉଛି ଯେ ରିଲାଏନ୍ସ୍ର ରିଫାଇନିଂ ପ୍ରୋଜେକ୍ଟ ମଧ୍ୟ ଦୁନିଆର ସବୁଠୁ ବଡ କମ୍ପ୍ଲେକ୍ସ ଭାବେ ରେକର୍ଡ କରିଥିବାବେଳେ ଯଦି କାମ ଠିକଠାକ ଚାଲେ, ତେବେ ପ୍ରାଣୀ ଉଦ୍ୟାନ ଆସନ୍ତା ବର୍ଷ ସାଧାରଣ ଲୋକଙ୍କ ପାଇଁ ଖୋଲାଯିବ। ତେବେ କରୋନା ମହାମାରୀ ଯୋଗୁଁ ଏହି ପ୍ରକଳ୍ପ ବହୁ ବିଳମ୍ବ ହୋଇସାରିଛି।

ରିଲାଏନ୍ସ ପକ୍ଷରୁ କୁହାଯାଇଛି ଯେ ଏହି ଚିଡିଆଖାନା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କଠାରୁ ଆନୁସଙ୍ଗିକ ଅନୁମୋଦନ ନିଆଯାଇଛି। ଏହି ଚିଡ଼ିଆଖାନାରେ ବାରକିଙ୍ଗ ହରିଣ, ବିରଳ ପତଳା ମାଙ୍କଡ଼, ଅଳସୁଆ ଭାଲୁ, ମାଛ ଶିକାର କରୁଥିବା ବିଲେଇ, କୋମୋଡୋ ଡ୍ରାଗନ୍, ପ୍ରମୁଖ ଦୁର୍ଲଭ ଜୀବଜନ୍ତୁଙ୍କୁ ରଖାଯିବ |

ସମ୍ବନ୍ଧିତ ଖବର