ନୂଆଦିଲ୍ଲୀ : ବିହାରରେ ଗତ ୧୭ ଦିନ ମଧ୍ୟରେ ୧୨ଟି ପୋଲ ଭୁଶୁଡ଼ି ପଡ଼ିଛି। ବାରମ୍ବାର ରାଜ୍ୟରେ ଗୋଟିଏ ପରେ ଗୋଟିଏ ପୋଲ ଭୁଶୁଡ଼ିବା ଘଟଣା ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇଛି। ଏଥିପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟରେ ସମସ୍ତ ପୁରୁଣା ପୋଲଗୁଡ଼ିକର ସ୍ଥିତି ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆବଶ୍ୟକସ୍ଥଳେ ତୁରନ୍ତ ମରାମତି କାର୍ଯ୍ୟ କରିବାପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଇତିମଧ୍ୟରେ ଗତ ୧୫-୧୭ ଦିନ ମଧ୍ୟରେ ଯେଉଁ ପୋଲ ଭୁଶୁଡ଼ିଛି ସେଥିପାଇଁ ଇଞ୍ଜିନିୟରଙ୍କ ଅବହେଳା ଓ ବେପରୁଆ କାମକୁ ଦାୟୀ କରାଯାଇଛି।
ଏହି କାରଣ ପାଇଁ ରାଜ୍ୟରେ ଜଳ ସମ୍ପଦ ବିଭାଗର ୧୧ ଜଣ ଇଞ୍ଜିନିୟରଙ୍କୁ ନିଲମ୍ବନ କରାଯାଇଛି। ବିହାର ବିକାଶ ସଚିବ ଚୈତନ୍ୟ ପ୍ରସାଦ ସାମ୍ବାଦିକମାନଙ୍କୁ କହିଛନ୍ତି, ରାଜ୍ୟ ସରକାର ଉକ୍ତ ପ୍ରସଙ୍ଗକୁ ଅତ୍ୟନ୍ତ ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି। ବିହାରର ସାରଣରେ ଗୁରୁବାର ଏକ ପୋଲ ଭୁଶୁଡ଼ିଥିଲା। ୨୪ ଘଣ୍ଟା ମଧ୍ୟରେ ଏହା ସାରଣରେ ତୃତୀୟ ଘଟଣା। ଉଲ୍ଲେଖଯୋଗ୍ୟ ସିୱାନ, ସାରଣ, ମଧୁବନୀ, ଆରାରିଆ, ପୂର୍ବ ଚମ୍ପାରଣ ଏବଂ କିଶାନଗଞ୍ଜ ଜିଲ୍ଲାରେ ଏହିସବୁ ପୋଲ ଭୁଶୁଡ଼ି ପଡ଼ିଛି।