ବିହାରରେ ବଜ୍ରପାତ: ୧୭ ମୃତ, ୪ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ଅର୍ଥରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର

ପାଟନା: ରବିବାର ଦିନ ବିଜୁଳି ଓ ବଜ୍ରପାତ ଯୋଗୁଁ ବିହାରରେ ମୃତ୍ୟୁବରଣ କରିଥିବା ୧୭ଜଣଙ୍କ ପାଇଁ ଶୋକବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସେମାନଙ୍କ ପରିବାର ଲାଗି ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ଅର୍ଥରାଶି ଘୋଷଣା କରିଛନ୍ତି।

ଗତରାତିରେ ଟୁଇଟ୍‌ କରି ମୁଖ୍ୟମନ୍ତ୍ରୀ କୁମାର କହିଛନ୍ତି, ବଜ୍ର ଓ ବିଜୁଳି ଯୋଗୁଁ ଭାଗଲପୁରରେ ୬ଜଣ, ବୈଶାଳୀରେ ୩ଜଣ, ଖଗରିଆରେ ୨ଜଣ, କଟିହାରରେ ୧ଜଣ, ସହର୍ସାରେ ୧ଜଣ, ମାଧେପୁରରେ ୧ଜଣ, ବାଙ୍କାରେ ୨ଜଣ ଏବଂ ମୁଙ୍ଗେର୍‌ରେ ୧ଜଣଙ୍କର ମୃତ୍ୟୁ ଘଟିଛି। ପ୍ରଭାବିତ ପରିବାରବର୍ଗଙ୍କ ପ୍ରତି ମୋର ଗଭୀର ସମବେଦନା। ସମସ୍ତ ମୃତବ୍ୟକ୍ତିଙ୍କ ନିକଟତମ ଆତ୍ମୀୟଙ୍କୁ ତୁରନ୍ତ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯିବ।

Image Courtesy of Zee News

ଏହାଛଡ଼ା, ଜନସାଧାରଣଙ୍କୁ ନିବେଦନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି‌‌ ‌ଯେ, ସେମାନେ ମନ୍ଦ ପାଗ ପ୍ରତି ଅଧିକ ସତର୍କତା ଅବଲମ୍ବନ କରନ୍ତୁ ଏବଂ ବଜ୍ରପାତରୁ ବର୍ତ୍ତିବା ଲାଗି ବିପର୍ଯ୍ୟୟ ପରିଚାଳନା ବିଭାଗ ଜାରି କରିଥିବା ପ୍ରସ୍ତାବ ସବୁ ମାନନ୍ତୁ। ଖରାପ ପାଗରେ ଘରେ ନିରାପଦରେ ରୁହନ୍ତୁ।

ତେଣେ, ଭାରତୀୟ ପାଣିପାଗ ବିଭାଗ କହିଛି ଯେ, ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଆହୁରି ଅଧିକ ଅଗ୍ରସର ହୋଇ ଗୁଜରାଟର ଆଉ କିଛି ଅଞ୍ଚଳ, ମଧ୍ୟପ୍ରଦେଶ, ବିଦର୍ଭର ବାକି ଅଞ୍ଚଳ, ଛତିଶଗଡ଼ର ଆହୁରି କିଛି ଅଞ୍ଚଳ, ଗାଙ୍ଗେୟ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଏବଂ ବିହାରରେ ପ୍ରବେଶ କରୁଛି।

ସମ୍ବନ୍ଧିତ ଖବର