ମୁଙ୍ଗେର: ବିହାରର ମୁଙ୍ଗେରରୁ ଆସିଛି ଏକ ଅଭାବନୀୟ ଖବର। ବୋରୱେଲ ଭିତରକୁ ଖସିପଡ଼ିଛି ଜଣେ ଶିଶୁକନ୍ୟା । ୨୨୫ ଫୁଟ ଗଭୀର ଏକ ବୋରୱେଲ ଭିତରକୁ ଖସି ପଡିଛି ୩ ବର୍ଷର ଏକ ଶିଶୁକନ୍ୟା । ମିଳିଥିବା ସୂଚନା ଅନୁସାରେ, ଝିଅଟି ବୋରୱେଲ ଭିତରେ ୪୮ ଫୁଟ ତଳକୁ ଖସି ଅଟକି ରହିଛି । ଝିଅଟିକୁ ଉଦ୍ଧାର ଲାଗି ଅପରେସନ୍ ଜାରି ରହିଛି । ମଙ୍ଗଳବାର ଅପରାହ୍ନ ୪ଟା ବେଳେ ଝିଅଟି ବୋରୱେଲ ଭିତରକୁ ଖସି ପଡିଥିଲା । ତେଣୁ ଉଦ୍ଧାର କାର୍ଯ୍ୟକୁ ପାଖାପାଖି ୧୯ ଘଣ୍ଟା ବିତି ସାରିଛି । ଭାଗଲପୁରରୁ ଏସଡିଆରଏଫ ଟିମ୍ ଆସି ଉଦ୍ଧାର କାର୍ଯ୍ୟରେ ସହାୟତା କରୁଛନ୍ତି । ଝିଅଟିର ନିଃଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ଆଶଙ୍କା କରି ବୋରୱେଲ ଭିତରକୁ ପାଇପ୍ ସାହାଯ୍ୟରେ ଅକ୍ସିଜେନ୍ ଯୋଗାଣ କରାଯାଉଛି । ଏହା ସହ ସିସିଟିଭି କ୍ୟାମେରା ସାହାଯ୍ୟରେ ଝିଅଟିର ଗତିବିଧିକୁ ଅନୁଧ୍ୟାନ କରାଯାଉଛି । ଝିଅଟି କାନ୍ଦୁଥିବା କଥା ସେଠରେ ଥିବା ଉଦ୍ଧାରକାରୀ ଓ ଅଧିକାରୀମାନେ କହିଛନ୍ତି। ୩୨ ଫୁଟ୍ ଯାଏଁ ଖନନ ପରେ ବୋରୱେଲ ମଧ୍ୟରେ ଏକ ଇଂରାଜୀ ‘ଏଲ୍’ ଆକୃତିର ଲୁହାଛଡ଼ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ, ଝିଅଟିକୁ ଉଦ୍ଧାର କରିବାକୁ ଆଉ ୪ ଘଣ୍ଟା ଲାଗିପାରେ ବୋଲି ଷ୍ଟେଟ୍ ଡିଜାଷ୍ଟର୍ ରେସ୍ପନ୍ସ୍ ଫଣ୍ଡ୍ର ଅଧିକାରୀ ସଞ୍ଜୀବ କୁମାର କହିଛନ୍ତି। ଉଦ୍ଧାରକାରୀମାନେ ଏବେ ଆଉ ୭ ଫୁଟ୍ ସମାନ୍ତରାଳ ଗର୍ତ୍ତ ଖନନ କରିବା ଆବଶ୍ୟକ ହୋଇଥିବା ବେଳେ ଝିଅଟି ଆଉ ବେଶୀ ତଳକୁ ଖସି ନ ପଡ଼ିବାକୁ ଛଡ଼ ଖଞ୍ଜା ସରିଲାଣି। ସିସିଟିଭି କ୍ୟାମେରାରେ ଝିଅଟିର ଗତିବିଧି ଉପରେ ଦୃଷ୍ଟି ରଖାଯାଇଛି । ତାକୁ ଗ୍ଲୁକୋଜ୍ ମିଶା ପାଣି ଦେବା ପାଇଁ ଉଦ୍ୟମ କରାଯାଉଛି ବୋଲି ଜିଲ୍ଲା ମାଜିଷ୍ଟ୍ରେଟ୍ ଆନନ୍ଦ ଶର୍ମା କହିଛନ୍ତି।
ବୋରୱେଲ ଖୋଳାଯାଇ ଠିକ ଭାବେ ତାର ମୁହଁ ବନ୍ଦ କରା ଯାଉ ନ ଥିବାରୁ ବାରମ୍ବାର ଏଭଳି ଘଟଣା ଘଟୁଛି। ବିଶେଷ କରି ଶିଶୁମାନେ ଏହା ଭିତରକୁ ଗଳି ପଡ଼ୁଛନ୍ତି।