ପାଟନା: ଗୁରୁତ୍ବପୂର୍ଣ୍ଣ ପରୀକ୍ଷାଗୁଡ଼ିକରେ ହେଉଥିବା ଅନିୟମିତତା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ଆଜି ବିହାର ବିଧାନସଭାରେ ପେପର୍‌ ଲିକ୍‌ ବିରୋଧୀ ବିଲ୍‌ ଗୃହୀତ ହୋଇଛି। ବାଚନିକ ଭୋଟ୍‌ରେ ଏହି ବିଲ୍‌ ଗୃହୀତ ହୋଇଛି। ବହୁ ପ୍ରତିକ୍ଷୀତ ବିହାର ସାର୍ବଜନୀନ ପରୀକ୍ଷା ଅନିୟମିତତା ନିବାରଣ ବିଲ୍, ୨୦୨୪ ଗୃହୀତ ହୋଇଥିବା ବେଳେ ଗୁରୁତ୍ବପୂର୍ଣ୍ଣ ପରୀକ୍ଷାଗୁଡ଼ିକରେ ଅନିୟମିତତା ରୋକିବା ପାଇଁ ଏଥିରେ ବିଶେଷ ପ୍ରାବଧାନ ରହିଛି। ପ୍ରଶ୍ନ ପତ୍ର ଲିକ୍‌ ଘଟଣାରେ ଯେଉଁମାନେ ସମ୍ପୃକ୍ତ ସେମାନଙ୍କ ବିରୋଧରେ ଏହି ବିଲ୍‌ରେ ଅତି କଠୋର ଦଣ୍ଡ ବ୍ୟବସ୍ଥା ରହିଛି। ଏଥିରେ ୩ରୁ ୪ ବର୍ଷ ଜେଲ୍‌ ଦଣ୍ଡ ସହ ୫ରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ବି ହୋଇପାରେ। ପରୀକ୍ଷା ସଂକ୍ରାନ୍ତ କେଳେଙ୍କାରୀରେ ଯଦି ‌କୌଣସି ସରକାରୀ କିମ୍ବା ଘରୋଇ ସଂସ୍ଥାର ସେବାଦାତା ସାମିଲ ହୁଅନ୍ତି ତେବେ ୧ କୋଟି ଟଙ୍କାର ଜରିମାନା ସହ ଚାକିରିରୁ ୪ ବର୍ଷ ପାଇଁ ଛଟେଇ କରାଯିବ। ପରୀକ୍ଷା ପରିଚାଳନାର ସମ୍ପୂର୍ଣ୍ଣ ଖର୍ଚ୍ଚ ସେମାନଙ୍କଠାରୁ ଆଦାୟ କରାଯିବ। ଉଲ୍ଲେଖଯୋଗ୍ୟ, ନିଟ୍‌-ୟୁଜି ପେପର ଲିକ୍‌ ଘଟଣାକୁ ନେଇ ଏବେ ବିବାଦ ଲାଗି ରହିଥିବାବେଳେ ନୀତୀଶ କୁମାରଙ୍କ ନେତୃତ୍ବାଧୀନ ସରକାର ଆଜି ପେପର୍‌ ଲିକ୍‌ ବିରୋଧୀ ବିଲ୍ ଗୃହୀତ କରିଛନ୍ତି।