ବକ୍ସର: ହାଇଦ୍ରାବାଦରେ ଜଣେ ଡାକ୍ତରାଣୀଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରି ଜାଳିଦେବା ଘଟଣା ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ଏବେ ଏଭଳି ଆଉ ଏକ ପୈଶାଚିକ କାଣ୍ଡ ବିହାରରେ ଲୋକଲୋଚନକୁ ଆସିଛି। ବକ୍ସର ଜିଲ୍ଲାର ଇଟାଡ଼ି ଥାନା ଅଂଚଳର କୁକୁଧା ଗ୍ରାମରେ ଥିବା ଏକ ପେଟ୍ରୋଲ ପମ୍ପ୍ ନିକଟରୁ ଆଜି ଜଣେ ଯୁବତୀଙ୍କ ଗୁଳିବିଦ୍ଧ ଅର୍ଦ୍ଧଦଗ୍ଧ ଶବକୁ ପୁଲିସ ଜବତ କରିଛି। ଯୁବତୀଙ୍କୁ ଦୁଷ୍କର୍ମ ପରେ ଗୁଳି କରି ହତ୍ୟା କରାଯାଇଛି ଏବଂ ପ୍ରମାଣ ନଷ୍ଟ କରିବା ପାଇଁ ଅପରାଧୀମାନେ ଶବକୁ ପୋଟ୍ରୋଲ ପକାଇ ଜାଳି ଦେଇଥିବା ପୁଲିସ ସନ୍ଦେହ କରୁଛି। ପୁଲିସ ଅର୍ଦ୍ଧଦଗ୍ଧ ଶବକୁ ବ୍ୟବଚ୍ଛେଦ ପାଇଁ ସଦର ହସ୍ପିଟାଲକୁ ପଠାଇଛି। ଏଯାଏ ପୀଡ଼ିତା ଯୁବତୀଙ୍କ ପରିଚୟ ମିଳି ନ ଥିଲେ ହେଁ ସମଗ୍ର ବିହାରରେ ଏହାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି।
ଆଜି ଗ୍ରାମର କୃଷକମାନେ ଜମିକୁ ଯାଇଥିବା ବେଳେ ଯୁବତୀଙ୍କ ଅର୍ଦ୍ଧଦଗ୍ଧ ଶବ ଦେଖି ତୁରନ୍ତ ପୁଲିସକୁ ଖବର ଦେଇଥିଲେ। ପୁଲିସ ଶବ ନିକଟରୁ ଖୋକା ମଧ୍ୟ ଜବତ କରିଛି। ତେଣୁ ଯୁବତୀକୁ ହତ୍ୟା କରିବା ପରେ ଘଟଣାସ୍ଥଳରେ ହିଁ ପେଟ୍ରୋଲ ପକାଇ ଜାଳି ଦିଆଯାଇଥିବା ପୁଲିସ ସନ୍ଦେହ କରୁଛି। ଆଖପାଖ ଅଂଚଳରେ ଲୋକଙ୍କୁ ପଚରାଉଚରା ଜାରି ରହିଥିଲେ ମଧ୍ୟ ଆଜି ସନ୍ଧ୍ୟା ସୁଦ୍ଧା ମୃତ ଯୁବତୀଙ୍କ ପରିଚୟ ମିଳିନାହିଁ। ଅନ୍ୟପକ୍ଷରେ ଯୁବତୀ ଜଣକ ‘ଅନର୍ କିଲିଂ’ର ଶିକାର ହୋଇଥିବା ଏବଂ ତାଙ୍କୁ ହତ୍ୟା ପରେ ପ୍ରମାଣ ନଷ୍ଟ କରିବାକୁ ଏଭଳି କରାଯାଇଥିବା ମଧ୍ୟ ଆଶଙ୍କା କରାଯାଉଛି । ତେବେ ଯୁବତୀଙ୍କୁ ଦୁଷ୍କର୍ମ ହୋଇଛି କି ନାହିଁ ତାହା ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ସ୍ପଷ୍ଟ ହେବ ବୋଲି ତଦନ୍ତକାରୀ ପୁଲିସ ଅଧିକାରୀ କହିଛନ୍ତି। ବକ୍ସର କାଣ୍ଡକୁ ନେଇ ଆଜି ବିହାର ରାଜନୀତି ମଧ୍ୟ ସରଗରମ ହୋଇଛି। ବିହାର ବିରୋଧୀ ଦଳ ନେତା ତେଜସ୍ବୀ ଯାଦବ କହିଛନ୍ତି ବିହାରରେ ଏବେ ରାକ୍ଷସ ରାଜ ଚାଲିଛି। ନୀତୀଶ କୁମାର ଏବେ ବିହାର ଚଳାଇବାକୁ ଅକ୍ଷମ ବୋଲି କହି ତୀବ୍ର ସମାଲୋଚନା କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/ad56g4adg564ad56g4ad56g4ad56g4ad5g4ad5g4ad6g5.jpg)