ବିହାର ବିଧାନସଭାରେ ମାଡ଼ପିଟ, ଗୃହ ଲଜ୍ଜିତ: ବାଚସ୍ପତି

ପାଟନା : ବିହାର ବିଧାନସଭାରେ ଆଜି ହଙ୍ଗାମା ଓ ମାଡ଼ପିଟ ହୋଇଛି। ବେଆ‌ଇନ ମଦ ବ୍ୟବସାୟରେ ରାଜସ୍ବ ମନ୍ତ୍ରୀ ରାମ ସୁରତ ରାୟଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ପ୍ରସଙ୍ଗକୁ ଆଜି ବିରୋଧୀ ଦଳ ନେତାମାନେ ଗୃହରେ ଉଠାଇଥିଲେ। ଆର୍‌ଜେଡି ନେତା ତେଜସ୍ବୀ ଯାଦବଙ୍କ ସମେତ ଅନ୍ୟ ବିରୋଧୀ ନେତାମାନେ ରାୟଙ୍କ ଇସ୍ତଫା ଦାବି କରିଥିଲେ। ମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣିବା ପରେ ବିରୋଧୀ ଦଳ ନେତା ତେଜସ୍ବୀ ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ଏକ ମୁଲତବୀ ପ୍ରସ୍ତାବ ଆଣିବାକୁ ବାଚସ୍ପତି ବିଜୟ କୁମାର ସିହ୍ନାଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ବାଚସ୍ପତି ମନା କରିଦେବାରୁ ଏହାକୁ ନେଇ ପ୍ରବଳ ହଟ୍ଟଗୋଳ ହୋଇଥିଲା ଏବଂ ଶାସକ ଓ ବିରୋଧୀ ଦଳର କିଛି ସଦସ୍ୟଙ୍କ ମଧ୍ୟରେ ମାର୍‌ପିଟ୍‌ ହୋଇଥିଲା।

ତେଜସ୍ବୀ ଯାଦବ ମନ୍ତ୍ରୀ ରାୟଙ୍କ ବିରୋଧରେ ଅଭିଯୋଗ ଆଣିବା ବେଳେ ଉପମୁଖ୍ୟମନ୍ତ୍ରୀ ତାର କିଶୋର ପ୍ରସାଦ ଏହାର ବିରୋଧ କରିଥିଲେ। ଏହାପରେ ତେଜସ୍ବୀ ଏବଂ ତାର କିଶୋରଙ୍କ ମଧ୍ୟ‌ରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ତେଜସ୍ବୀଙ୍କ ନିର୍ଦ୍ଦେଶକ୍ରମେ ଗୃହରେ ଥିବା ସମସ୍ତ ଆର୍‌ଜେଡି ସଦସ୍ୟ ଗୃହର ମଧ୍ୟଭାଗକୁ ଆସି ଏନ୍‌ଡିଏ ସରକାର ଏବଂ ବାଚସ୍ପତି ବିଜୟ ସିହ୍ନାଙ୍କ ବିରୋଧରେ ସ୍ଲୋଗାନ୍‌ ଦେଇଥିଲେ। ‌ଏହି ସମୟରେ ଆର୍‌ଜେଡି ବିଧାୟକ ତେଜପ୍ରତାପ ଅଙ୍ଗୁଳି ଦେଖାଇ ଶାସକ ଦଳ ସଦସ୍ୟଙ୍କୁ ଧମକ ଦେବାପରେ ପରିସ୍ଥିତି ଅଣାୟତ୍ତ ହୋଇପଡ଼ିଥିଲା ଏବଂ ବିଧାୟକମାନେ ପରସ୍ପରକୁ ଆକ୍ରମଣ କରିଥିବା ଦେଖିବାକୁ ମିଳିଥିଲା। ବାଚସ୍ପତି କହିଛନ୍ତି, ଏଭଳି ଘଟଣା ପାଇଁ ଗୃହ ଲଜ୍ଜିତ।

ସମ୍ବନ୍ଧିତ ଖବର