ବିହାର ବିଧାନସଭା ନିର୍ବାଚନ: ତେଜସ୍ବୀଙ୍କ ନେତୃତ୍ବରେ ବିରୋଧୀ ମେଣ୍ଟ ନିର୍ବାଚନ ଲଢ଼ିବ

ଆର୍‌ଜେଡି ୧୪୪ ଆସନ, କଂଗ୍ରେସ ୭୦ ଆସନରେ ଲଢ଼ିବ

ପାଟନା: ବିହାରରେ ବିଜେପି-ଜେଡିୟୁ ମେଣ୍ଟ ବିରୋଧରେ ଲଢ଼ିବା ପାଇଁ ବିରୋଧୀ ମହାମେଣ୍ଟ ଆଜି ରଣନୀତି ଚୂଡ଼ାନ୍ତ କରିଛନ୍ତି। ଆରଜେଡି ନେତା ତେଜସ୍ବୀ ଯାଦବଙ୍କ ନେତୃତ୍ବରେ ନିର୍ବାଚନ ଲଢ଼ିବାକୁ ବିରୋଧୀ ମେଣ୍ଟରେ ସହମତି ପ୍ରକାଶ ପାଇଛି। ଚଳିତ ବିଧାନସଭା ନିର୍ବାଚନରେ ଆର୍‌ଜେଡି ୧୪୪ ଆସନରେ ନିର୍ବାଚନ ଲଢ଼ିବ ଏବଂ କଂଗ୍ରେସ ୭୦ ଆସନରେ ଲଢ଼ିବ ବୋଲି ଆଜି ତେଜସ୍ବୀ ଘୋଷଣା କରିଛନ୍ତି। ଏହା ସହିତ ସିପିଏମ୍‌କୁ ୪ ଆସନ, ସିପିଆଇକୁ ୬ ଆସନ ଏବଂ ସିପିଆଇଏମ୍‌ଏଲ୍‌କୁ ୧୯ ଆସନ ଦିଆଯାଇଥିବା ସେ କହିଛନ୍ତି। ବିହାରରେ ମୋଟ ୨୪୩ ଆସନ ରହିଛି ଏବଂ ଏଥିରୁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା ୭୧ ଆସନରେ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି। ବିହାରରେ ମାୟାବତୀଙ୍କ ବିଏସ୍‌ପିକୁ ଆଜି ବଡ଼ ଝଟ୍‌କା ଲାଗିଛି। ଏହାର ରାଜ୍ୟ ଶାଖା ସଭାପତି ଭରତ ବିନ୍ଦ୍‌ ଦଳ ଛାଡ଼ି ଆର୍‌ଜେଡିରେ ସାମିଲ ହୋଇଯାଇଛନ୍ତି।

ସମ୍ବନ୍ଧିତ ଖବର