ବିହାର ବିଧାନସଭା ନିର୍ବାଚନ: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମଇଦାନରେ ୩୦% ଅପରାଧିକ ପୃଷ୍ଠଭୂମି ଥିବା ପ୍ରାର୍ଥୀ

ପାଟନା: ଚଳିତ ବିହାର ବିଧାନସଭା ନିର୍ବାଚନରେ ସମସ୍ତ ରାଜନୈତିକ ଦଳ ‘ବାହୁବଳୀ’ ବା ଅପରାଧିକ ପୃଷ୍ଠଭୂମି ରହିଥିବା ପ୍ରାର୍ଥୀଙ୍କୁ ଦଳୀୟ ପ୍ରାର୍ଥୀ କରିବା ପାଇଁ ଅଗ୍ରାଧିକାର ଦେଇଛନ୍ତି।
ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ମଇଦାନକୁ ଓହ୍ଲାଇଥିବା ୧,୦୬୬ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୩୧୯ ଜଣଙ୍କର ଅପରାଧିକ ରେକର୍ଡ ରହିଥିବା ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ୨୪୩ ସଦସ୍ୟ ବିଶିଷ୍ଟ ବିହାର ବିଧାନସଭା ପାଇଁ ଆସନ୍ତା ଅକ୍ଟୋବର ୨୮ ତାରିଖ ଠାରୁ ତିନିଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠତ ହେବାକୁ ଯାଉଛି।
ପ୍ରଥମ ପର୍ଯ୍ୟାୟରେ ୧୬ଟି ଜିଲ୍ଲା ଅନ୍ତର୍ଗତ ୭୧ଟି ନିର୍ବାଚନ ମଣ୍ଡଳୀରେ ମତଦାନ ଅନୁଷ୍ଠିତ ହେବ। ୧୦ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଥିବା ଗୟା ଜିଲ୍ଲାରେ ସର୍ବାଧିକ ୪୯ ଜଣ ପ୍ରାର୍ଥୀ ରହିଛନ୍ତି। ଏହାପରେ ଭୋଜପୁର, ଯେଉଁଠାରେ ୩୯ ଜଣ ପ୍ରାର୍ଥୀ ନିଜ ବିରୋଧରେ ଅପରାଧିକ ମାମଲା ରହିଥିବା ଘୋଷଣା କରିଛନ୍ତି। ସେହିପରି ରୋହତରେ ୩୭ ଏବଂ ବକ୍ସରରେ ୨୩ ଅପରାଧିକ ପୃଷ୍ଠଭୂମି ଥିବା ପ୍ରାର୍ଥୀ ନିର୍ବାଚନୀ ମଇଦାନରେ ନିଜ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି।
ତେବେ, ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନରେ କେତେ ସଂଖ୍ୟକ ‘ବାହୁବଳୀ’ ନେତା ମଇଦାନକୁ ଓହ୍ଲାଉଛନ୍ତି, ତାହା ଏଯାବତ୍‌ ସ୍ପଷ୍ଟ ହୋଇନାହିଁ। ଦ୍ୱିତୀୟ ପର୍ଯ୍ୟାୟରେ ୯୪ ନିର୍ବାଚନ ମଣ୍ଡଳୀ ପାଇଁ ନଭେମ୍ବର ୩ ଓ ତୃତୀୟ ପର୍ଯ୍ୟାୟରେ ୭୮ଟି ନିର୍ବାଚନ ମଣ୍ଡଳୀ ପାଇଁ ନଭେମ୍ବର ୭ରେ ମତଦାନ ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର