ନୂଆଦିଲ୍ଲୀ: ନିର୍ବାଚନ କମିସନର ଆଜି ବିହାର ବିଧାନସଭା ନିର୍ବାଚନ ପାଇଁ ବିଗୁଲ୍ ବଜାଇଛନ୍ତି। ୨୪୩ ଆସନ ବିଶିଷ୍ଟ ବିଧାନସଭା ପାଇଁ ଦୁଇଟି ପର୍ଯ୍ୟାୟରେ ମତଦାନ ହେବ। ପ୍ରଥମ ପର୍ଯ୍ୟାୟ ମତଦାନ ନଭେମ୍ବର ୬ରେ ଏବଂ ଦ୍ବିତୀୟ ପର୍ଯ୍ୟାୟ ନଭେମ୍ବର ୧୧ରେ କରାଯିବ। ଏହାର ୩ ଦିନ ପରେ ନଭେମ୍ବର ୧୪ରେ ଭୋଟ ଗଣତି ହେବ। ଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ କମିସନର (ସିଇସି) ଜ୍ଞାନେଶ କୁମାର ଆଜି ବିହାର ବିଧାନସଭା ସମେତ ଦେଶର ୭ରାଜ୍ୟର ୮ଟି ବିଧାନସଭା ପାଇଁ ହେବାକୁ ଥିବା ନିର୍ବାଚନ ତାରିଖ ଓ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି। ଜ୍ଞାନେଶ କୁମାର କହିଛନ୍ତି, ବିହାରରେ ପ୍ରଥମ ପର୍ଯ୍ୟାୟରେ ବନ୍ୟାପ୍ରବଣ ଏବଂ ଗ୍ରାମୀଣ ଅଞ୍ଚଳ ସମେତ କେନ୍ଦ୍ରୀୟ ବିହାରର ୧୨୧ ନିର୍ବାଚନମଣ୍ଡଳୀରେ ଭୋଟ ଗ୍ରହଣ ହେବ ଏବଂ ନଭେମ୍ବର ୧୧ରେ ଦ୍ବିତୀୟ ପର୍ଯ୍ୟାୟରେ ସୀମାନ୍ତ ଅଞ୍ଚଳର ୧୨୨ ନିର୍ବାଚନମଣ୍ଡଳୀରେ ଭୋଟ ଗ୍ରହଣ ହେବ। ନିର୍ବାଚନ ତାରିଖ ଘୋଷଣା କରିବା ସହ ସିଇସି ଭୋଟରମାନଙ୍କୁ ସୁନିଶ୍ଚିତ କରି କହିଛନ୍ତି ଯେ ଆମେ ଆଇନଶୃଙ୍ଖଳା ବଜାୟ ରଖି ସ୍ୱଚ୍ଛ ନିର୍ବାଚନ ପରିଚାଳନା ସୁନିଶ୍ଚିତ କରୁଛୁ। ବିହାରରେ ମୋଟ୍ ଭୋଟରଙ୍କ ସଂଖ୍ୟା ୭.୪୩ କୋଟି ରହିଛି। ଏମାନଙ୍କ ମଧ୍ୟରୁ ୩.୯୨ କୋଟି ପୁରୁଷ ଭୋଟର ହୋଇଥିବାବେଳେ ୩.୫ କୋଟି ହେଉଛନ୍ତି ମହିଳା ଭୋଟର। ଚଳିତ ଥର ୧୪ ଲକ୍ଷ ନାଗରିକ ପ୍ରଥମ ଥର ପାଇଁ ଭୋଟ ଦେବେ। ଏଥିସହିତ ୪ ଲକ୍ଷ ବରିଷ୍ଠ ନାଗରିକ ଭୋଟର ଅଛନ୍ତି ବୋଲି ସିଇସି କହିଛନ୍ତି। ସେହିପରି ରାଜ୍ୟରେ ୧୪,୦୦୦ରୁ ଅଧିକ ଭୋଟରଙ୍କ ବୟସ ୧୦୦ ବର୍ଷରୁ ଅଧିକ। ରାଜ୍ୟରେ ୯୦,୭୧୨ ଭୋଟିଂ ବୁଥ୍ ସ୍ଥାପନ ହେବ ଏବଂ ଏଥିମଧ୍ୟରୁ ୧୦୪୪ ବୁଥ୍ ମହିଳାଙ୍କ ଦ୍ବାରା ପରିଚାଳିତ ହେବ ବୋଲି ସିଇସି କହିଛନ୍ତି। ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ଜରିଆରେ ବିହାର ଭୋଟର ତାଲିକାରୁ ୬୯ ଲକ୍ଷ ନାଁକୁ ବାଦ୍ ଦିଆଯାଇଛି ବୋଲି ନିର୍ବାଚନ କମିସନ କହିଛନ୍ତି।
ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ପାଇଁ ଅକ୍ଟୋବର ୧୦ ତାରିଖ ଏବଂ ଦ୍ବିତୀୟ ପର୍ଯ୍ୟାୟ ଭୋଟ ପାଇଁ ଅକ୍ଟୋବର ୧୩ ତାରିଖରେ ଗେଜେଟ୍ ବିଜ୍ଞପ୍ତି ଜାରି ହେବ। ପ୍ରଥମ ପର୍ଯ୍ୟାୟ ପାଇଁ ଅକ୍ଟୋବର ୧୭ ହେଉଛି ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ଏବଂ ଦ୍ବିତୀୟ ପର୍ଯ୍ୟାୟ ପାଇଁ ଅକ୍ଟୋବର ୨୦ ହେଉଛି ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ। ଅକ୍ଟୋବର ୧୮ରେ ପ୍ରଥମ ପର୍ଯ୍ୟାୟ ଏବଂ ଅକ୍ଟୋବର ୨୧ରେ ଦ୍ବିତୀୟ ପର୍ଯ୍ୟାୟ ପାଇଁ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ। ଅକ୍ଟୋବର ୨୦ରେ ପ୍ରଥମ ପର୍ଯ୍ୟାୟ ଏବଂ ଅକ୍ଟୋବର ୨୩ରେ ଦ୍ବିତୀୟ ପର୍ଯ୍ୟାୟ ପାଇଁ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି।
ଉଲ୍ଲେଖଯୋଗ୍ୟ ଯେ ନଭେମ୍ବର ୨୨ ତାରିଖରେ ବିହାର ବିଧାନସଭାର କାର୍ଯ୍ୟକାଳ ଶେଷ ହେଉଛି। ବିଭିନ୍ନ ରାଜନୈତିକ ଦଳର ଅନୁରୋଧକୁ ଗ୍ରହଣ କରି ନିର୍ବାଚନ କମିସନ ବିହାରର ସବୁଠାରୁ ଲୋକପ୍ରିୟ ପର୍ବ ଛଟ୍ ପୂଜା ସମାପ୍ତ ହେବା ପରେ ମତଦାନ ତାରିଖ ରଖିଛନ୍ତି। କାରଣ ଛଟ୍ ପୂଜା ପାଇଁ ରାଜ୍ୟ ବାହାରୁ ଅନେକ ଲୋକ ନିଜ ଘରକୁ ଆସିଥିବାରୁ ଏହି ସମୟରେ ମତଦାନ ହାର ମଧ୍ୟ ଅଧିକ ରହିବ ବୋଲି ଆକଳନ କରାଯାଉଛି। ଚଳିତ ନିର୍ବାଚନରେ ଯେଉଁମାନଙ୍କର ନାମ ଭୋଟର ତାଲିକାରେ ନୂଆକରି ଯୋଡ଼ାଯାଇଛି ସେମାନଙ୍କୁ ନୂଆ ଭୋଟର କାର୍ଡ ମିଳିବ। ଭୋଟରଙ୍କୁ ଧମକ ଓ ହିଂସା ପ୍ରତି ଶୂନ୍ୟ ସହନଶୀଳ ନୀତି ଅବଲମ୍ବନ କରାଯିବ ବୋଲି ନିର୍ବାଚନ କମିସନ କହିଛନ୍ତି। ତେବେ ଏସ୍ଆଇଆର୍ (ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ)କୁ ନେଇ ବିହାରରେ ବିବାଦ ଦେଖା ଦେଇଥିବା ବେଳେ ନିର୍ବାଚନ କମିସନ୍ କହିଛନ୍ତି, ସୋସିଆଲ୍ ମିଡିଆରେ ଅନେକ ମିଥ୍ୟା ଖବର ପ୍ରସାରିତ ହେଉଛି। ସିଇସି କହିଛନ୍ତି ସମସ୍ତ ନକଲି ଖବରଗୁଡ଼ିକୁ ପ୍ରଭାବଶାଳୀ ଢଙ୍ଗରେ ମୁକାବିଲା କରାଯିବ। ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାର କହିଛନ୍ତି ଯେ ବିହାରରେ ବିଧାନସଭା ନିର୍ବାଚନ ଭାରତୀୟ ନିର୍ବାଚନ ଇତିହାସରେ ସବୁଠାରୁ ସ୍ୱଚ୍ଛ, ସୁରକ୍ଷିତ ଏବଂ ସହଜ ନିର୍ବାଚନ ହେବ। ଭୋଟର ତାଲିକା ସ୍ବଚ୍ଛ କରିବା ପାଇଁ ବିହାର ଦେଶକୁ ବାଟ ଦେଖାଇବ ବୋଲି ସିଇସି କହିଛନ୍ତି। ଇସି ମଧ୍ୟ ଇଭିଏମ୍ ମେସିନ୍ରେ ସଂସ୍କାର ଆଣିଛନ୍ତି। ଇଭିଏମ୍ରେ ଏବେ ପ୍ରାର୍ଥୀଙ୍କର ରଙ୍ଗିନ ଫଟୋ ରହିବ। ସିଇସି କହିଛନ୍ତି, ନାମ ଏବଂ କ୍ରମିକ ନମ୍ବର ମଧ୍ୟ ବୋଲ୍ଡ ଲେଟର୍ ବା ମୋଟା ଅକ୍ଷରରେ ଛପା ହେବ। ବିହାର ବିଧାନସଭା ନିର୍ବାଚନ ପାଇଁ ମୋଟ୍ ୨୪୩ ପର୍ଯ୍ୟବେକ୍ଷକ ନିଯୁକ୍ତ ହେବେ। ଏହି ପର୍ଯ୍ୟବେକ୍ଷକମାନେ ନିର୍ବାଚନ ସଂସ୍ଥାର ଆଖି ଏବଂ କାନ ଭାବେ କାମ କରିବେ ବୋଲି ସିଇସି କହିଛନ୍ତି। ଏଥିସହ ୩୮ ପୁଲିସ ପର୍ଯ୍ୟବେକ୍ଷକ ଏବଂ ୬୭ ବ୍ୟୟ ପର୍ଯ୍ୟବେକ୍ଷକ ନିଯୁକ୍ତ ହେବେ।