ବିହାର ବିଧାନସଭା‌ ନିର୍ବାଚନ: ତେଜସ୍ବୀ ଆର୍‌ଜେଡିର ପସନ୍ଦ, କିନ୍ତୁ ମେଣ୍ଟ କୌଣସି ନିଷ୍ପତ୍ତି ନେଇନି: କଂଗ୍ରେସ

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବାପରେ ବିହାର ରାଜନୀତି ସରଗରମ ହୋଇଉଠିଛି। ବିହାରରେ ବିଜେପି-ଜେଡିୟୁ ମେଣ୍ଟ ସରକାରକୁ ମାତ୍‌ ଦେବାପାଇଁ କଂଗ୍ରେସ କେଉଁ ପ୍ରକାର ରଣନୀତି ଅବଲମ୍ବନ କରିବ ତା’ ଉପରେ ନଜର ରହିଛି। ତେବେ ବିରୋଧୀ ମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀକୁ ନେଇ ଏବେ ବିଚାରବିମର୍ଶ ଆରମ୍ଭ ହୋଇଯାଇଛି। କଂଗ୍ରେସ କହୁଛି, ଆରଜେଡି (ରାଷ୍ଟ୍ରୀୟ ଜନତା ଦଳ) ଯଦି ‌‌ତେଜସ୍ବୀ ଯାଦବଙ୍କୁ ଏହାର ନେତା ବ‌ାଛେ ତେବେ କୌଣସି ଆପତ୍ତି ନାହିଁ କିନ୍ତୁ ଏଯାବତ୍‌ ମହାଗଠବନ୍ଧନ ପକ୍ଷରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନେଇ କୌଣସି ସହମତି ପ୍ରକାଶ ପାଇନି। ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ଶକ୍ତିସିଂହ ଗୋହିଲ କହିଛନ୍ତି, ଖୁବ୍‌ ଶୀଘ୍ର ମହାମେଣ୍ଟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବାଛିବାପାଇଁ ଏକ ଚୂଡ଼ାନ୍ତ ନିଷ୍ପତ୍ତି ନେ‌ବେ। କିନ୍ତୁ ଏହି ପ୍ରସଙ୍ଗରେ ସବୁ ଦଳର ପରାମର୍ଶକୁ ବିଚାରକୁ ନିଆଯିବ ବୋଲି ସେ କହିଛନ୍ତି।

ପ୍ରତି ଦଳ ପକ୍ଷରୁ ଜଣେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଦେବାର ଅଧିକାର ରହିଛି। ଏଥିରେ କଂଗ୍ରେସର କୌଣସି ଆପତ୍ତି ନାହିଁ। କିନ୍ତୁ ସବୁ ‌ଦଳ ଏକାଠି ବସି ଏଦିଗରେ ସମୁହ ନିଷ୍ପତ୍ତି ନେବେ। ମହାମେଣ୍ଟର ଯେଉଁଥିରେ ଉପକାର ହେବ ସେଦିଗରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଗତକାଲି ଉପେନ୍ଦ୍ର କୁଶୱାହା କହିଥିଲେ, ତେଜସ୍ବୀ ମହାମେଣ୍ଟର ନେତା ନହେଲେ ହିଁ ତାଙ୍କ ଦଳ ଆର୍‌ଏଲଏସ୍‌ପି ( ରାଷ୍ଟ୍ରୀୟ ଲୋକ ସମତା ପାର୍ଟି) ମହାମେଣ୍ଟରେ ରହିବ। କୁଶୱାହା କହିଥିଲେ, ଆରଜେଡି ନେତୃତ୍ବାଧୀନ ମହାମେଣ୍ଟରେ ସେ ତେଜସ୍ବୀଙ୍କ ନେତୃତ୍ବକୁ ଗ୍ରହଣ କରିବେନି। ଅନ୍ୟପକ୍ଷେ ଗୋହିଲ କହିଛନ୍ତି, ବିଜେପି-ଜେଡିୟୁ ମେଣ୍ଟକୁ ହରାଇବାକୁ ହେଲେ ଆମକୁ ଏକାଠି କାମ କରିବାକୁ ପଡ଼ିବ।

ସମ୍ବନ୍ଧିତ ଖବର