ବିହାର ବିଧାନସଭା ନିର୍ବାଚନ: ଟିକଟ ଦୌଡ଼ରେ ପୂର୍ବତନ ପୁଲିସ ମୁଖ୍ୟଙ୍କୁ ହରାଇଲେ କନେଷ୍ଟବଳ

ପାଟନା: ପୂର୍ବତନ ବିହାର ପୁଲିସ ମୁଖ୍ୟ ଗୁପ୍ତେଶ୍ବର ପାଣ୍ଡେ ରାଜନୀତିକୁ ଆସିବା ପାଇଁ ଗତ ମାସରେ ତାଙ୍କ ଚାକିରି ଛାଡ଼ି ଦେଇଥିଲେ। ସେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ବାଧୀନ ଜେଡିୟୁରେ ଯୋଗ ଦେଇଥିଲେ। ଗୃହ ଜିଲ୍ଲା ବକ୍ସାର୍‌ରୁ ସେ ଜେଡିୟୁ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବାକୁ ଇଚ୍ଛା କରୁଥିବା ମଧ୍ୟ ସ୍ପଷ୍ଟ କରିଥିଲେ। କିନ୍ତୁ ତାଙ୍କୁ ନିର୍ବାଚନ ଲଢ଼ିବାପାଇଁ ଟିକଟ ମିଳିନି। ତେବେ ବକ୍ସାର୍‌ ଆସନରୁ ନିର୍ବାଚନ ଲଢ଼ିବାପାଇଁ ଚୟନ ହୋଇଥିବା ବ୍ୟକ୍ତି ହେଉଛନ୍ତି ଜଣେ ପୂର୍ବତନ ବିହାର ପୁଲିସ କନେଷ୍ଟବଳ । ତାଙ୍କ ନାମ ପର୍ଶୁରାମ ଚତୁର୍ବେଦୀ। ସେ ଟିକଟ ଦୌଡ଼ରେ ପୂର୍ବ ବିହାର ପୁଲିସ ମୁଖ୍ୟଙ୍କୁ ହରାଇ ଦେଇଛନ୍ତି। ଚତୁର୍ବେଦୀ କହିଛନ୍ତି, ଡିଜିପି ‌ହେଉଛନ୍ତି ତାଙ୍କ ବଡ଼ ଭାଇ। ସମ୍ମାନରେ ସେ ତାଙ୍କ ପାଦ ଛୁଅଁନ୍ତି। ତାଙ୍କ ପାଇଁ କେବଳ ତାଙ୍କର ସମ୍ମାନ ହିଁ ଅଛି। ଚତୁର୍ବେଦୀ କହିଛନ୍ତି, ବିହାର ପୁଲିସରେ ଥିବା ସମୟରେ ସେ ସିଆଇଡି ସମେତ ବିଭିନ୍ନ ବିଭାଗରେ କାମ କରିଥିଲେ। ଯେଉଁଠି ବି ସେ କାମ କରିଛନ୍ତି, ସବୁଠି ତାଙ୍କୁ ସମ୍ମାନ ମିଳିଛି। ଏହି ଅଭିଜ୍ଞତା ତାଙ୍କୁ ରାଜନୀତିରେ ଖୁବ୍‌ ସହଯୋଗ କରିଛି ବୋଲି ସେ କହିଛନ୍ତି। ଏବେ ପାଣ୍ଡେଙ୍କ ରାଜନୈତିକ ଭବିଷ୍ୟତ କ’ଣ ହେବ ସେ ନେଇ ନାନା କଳ୍ପନାଜଳ୍ପନା ଚାଲିଛି।

ସମ୍ବନ୍ଧିତ ଖବର