ବିହାର ବିଧାନସଭା ନିର୍ବାଚନ: ଦାଗୀ ନେତାଙ୍କ ଡିମାଣ୍ଡ୍‌ ଅଧିକ, ୬୦ ପ୍ରତିଶତ ବିଧାୟକଙ୍କ ବିରୋଧରେ ଅପରାଧିକ ମାମଲା

ପାଟନା: ଆଉ ମାତ୍ର ୩ ସପ୍ତାହ ପରେ ବିହାର ବିଧାନସଭା ନିର୍ବାଚନ ଥିବାବେଳେ ରାଜନୈତିକ ଦଳଗୁଡ଼ିକ ନିର୍ବାଚନ ଜିଣିବାପାଇଁ ତଥାକଥିତ ଟାଣୁଆ ପ୍ରାର୍ଥୀଙ୍କୁ ଚୟନ କରୁଛନ୍ତି। ଅପରାଧ ପୃଷ୍ଠଭୂମିର ନେତାଙ୍କୁ ବିଭିନ୍ନ ରାଜନୈତିକ ଦଳ ପ୍ରାର୍ଥୀ କରିଛନ୍ତି। ଗତ ୩ଟି ବିଧାନସଭା ନିର୍ବାଚନର ତଥ୍ୟରୁ ଜଣାପଡ଼ିଛି ଯେ, ପ୍ରାୟ ସବୁ ଦଳ ନିର୍ବାଚନ ଜିତିବାପାଇଁ ଦାଗୀ ନେତାଙ୍କ ଉପରେ ନିର୍ଭର କରିଛନ୍ତି। ବିହାରରେ ହିଁ ସବୁଠୁ ଅଧିକ ଦାଗୀ ନେତା ଅଛନ୍ତି। ୨୦୧୫ ବିଧାନସଭା ନିର୍ବାଚନରେ ରାଜ୍ୟରୁ ଯେଉଁ ବିଧାୟକ ଓ ସାଂସଦମାନେ ନିର୍ବାଚିତ ହୋଇଥିଲେ ସେମାନଙ୍କ ମଧ୍ୟରୁ ୫୭ ପ୍ରତିଶତଙ୍କ ବିରୋଧରେ ଅପରାଧିକ ମାମଲା ଥିବା ଘୋଷଣା କରିଥିଲେ। ଏଡିଆର (ଆସୋସିଏସନ୍‌ ଫର ଡିମୋକ୍ରାଟିକ୍‌ ରିଫର୍ମ୍‌ସ) ଏବଂ ବିଇଡବ୍ଲ୍ୟୁ (ବିହାର ଇଲେକ୍ସନ୍‌ ୱାଚ୍‌’ ପକ୍ଷରୁ ପ୍ରକ‌ାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ୨୦୧୫ ରାଜ୍ୟ ବିଧାନସଭା ନିର୍ବାଚନରେ ଅପରାଧିକ ମାମଲା ଥିବା ପ୍ରାର୍ଥୀମା‌ନେ ୨୪୩ ଆସନରୁ ୪୩ ପ୍ରତିଶତ ଆସନରେ ନିର୍ବାଚନ ଲଢ଼ିଥିଲେ। ୨୦୦୫ ଏବଂ ୨୦୧୦ରେ ନୀତୀଶ ଅପରାଧ ଏବଂ ଦୁର୍ନୀତି ହଟାଇବା ପ୍ରତିଶ୍ରୁତି ଦେଇ ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦୧୫ରେ ଡନ୍‌ରୁ ରାଜନେତା ପାଲଟିଥିବା ଅନନ୍ତ ସିଂହ ଜଣେ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ। ମୋକାମାର ବର୍ତ୍ତମାନର ସାଂସଦ ସିଂହ ଏବେ ୟୁଏପିଏ ଅଧୀନ‌ରେ ବିହାରର ବେଉର୍‌ ଜେଲ୍‌ରେ ଅଛନ୍ତି। କିନ୍ତୁ ସିଂହ ଗତ ବୁଧବାର ଜେଲ୍‌ରୁ ଆସି ଆର୍‌ଜେଡି ଟିକଟ୍‌ରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏଡିଆର ରିପୋର୍ଟ ଅନୁଯାୟୀ ସିଂହଙ୍କ ବିରୋଧରେ ୩୮ଟି ସଂଗୀନ ଅପରାଧିକ ମାମଲା ରହିଛି।

୨୦୧୫ରେ ୮୧ ଆର୍‌ଜେଡି ବିଧାୟକଙ୍କ ମଧ୍ୟରୁ ୪୬ ବିଧାୟକ (୬୪) ପ୍ରତିଶତଙ୍କ ବିରୋଧରେ ଅପରାଧିକ ମାମଲା ଥିଲା। ଏହାପଛକୁ ବିଜେପିର ୫୩ ବିଧାୟକଙ୍କ ମଧ୍ୟରୁ ୩୬ ଜଣଙ୍କ ବିରୋଧରେ ଅପରାଧିକ ମାମଲା ଥିବାବେଳେ ଜେଡିୟୁରେ ୩୪ ଜଣ ଦାଗୀ ନେତା ଅଛନ୍ତି। ମୋଟ୍‌ ଉପରେ ପ୍ରା‌ୟ ୬୦ ପ୍ରତିଶତ ବିହାର ବିଧାୟକଙ୍କ ବିରୋଧରେ ଅପରାଧିକ ମାମଲା ରହିଛି।

ସମ୍ବନ୍ଧିତ ଖବର