ବିହାର ବିଧାନସଭା ନିର୍ବାଚନ: ଚିରାଗ କହିଲେ ବିଜେପି-ଏଲ୍‌ଜେପି ଫାଟ ପାଇଁ ନୀତୀଶ ଷଡ଼ଯନ୍ତ୍ର କରିଛନ୍ତି

‘ବିଜେପି ନେତା ବୁଝି ବିଚାରି ଶବ୍ଦ ପ୍ରୟୋଗ କରନ୍ତୁ’

ପାଟନା: ବିହାରରେ ନିର୍ବାଚନୀ ପ୍ରଚାର ଏବେ ଜୋର୍‌ଦାର ହୋଇଥିବା ବେଳେ ନେତାମାନେ ପରସ୍ପର ବିରୋଧରେ ଆକ୍ଷେପ ପ୍ରତିଆକ୍ଷେପ ଜାରି ରଖିଛନ୍ତି। ଏଲ୍‌ଜେପି ସଭାପତି ଚିରାଗ ପାଶ୍ବାନ ନିଜକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ହନୁମାନ’ ବୋଲି କହିବା ପରେ ତାଙ୍କୁ ବିଜେପି ନେତାମାନେ କଡ଼ା ସମାଲୋଚନା କରିଛନ୍ତି। ଏଥିରେ ପ୍ରତିକ୍ରିୟା ରଖି ଚିରାଗ୍‌ କହିଛନ୍ତି, ବିଜେପି ନେତାମାନେ ବୁଝି ବିଚାରି ଶବ୍ଦ ପ୍ରୟୋଗ କରିବା ଉଚିତ। କେବଳ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ସନ୍ତୁଷ୍ଟ କରିବା ପାଇଁ ମୋ ବିରୋଧରେ ଅପଶବ୍ଦ ପ୍ରୟୋଗ କଲେ ବିହାରବାସୀ କ୍ଷମା ଦେବେନାହିଁ। ବିଜେପି ଏବଂ ଏଲ୍‌ଜେପି ମଧ୍ୟରେ ଫାଟ ସୃଷ୍ଟି ପାଇଁ ନୀତୀଶ ଅହରହ ଷଡ଼ଯନ୍ତ୍ର କରିଛନ୍ତି ଏବଂ ତାହା ଏବେ ପଦ‌ାରେ ପଡ଼ିଯାଇଛି ବୋଲି ଚିରାଗ୍‌ କହିଛନ୍ତି।

ବିଜେପି ନେତାମାନେ ଏବେ ମତେ ଟାର୍ଗେଟ୍‌ କରିବା ମଧ୍ୟ ନୀତୀଶଙ୍କ ଷଡ଼ଯନ୍ତ୍ରର ଅଂଶବିଶେଷ, ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ମତେ ସମାଲୋଚନା କଲେ ମୁଁ ଆଶ୍ଚର୍ଯ୍ୟ ହେବନାହିଁ ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ସମାଲୋଚନା କରି ଚିରାଗ କହିଛନ୍ତି ଯେ ନୀତୀଶ ବିହାରୀଙ୍କୁ କେବଳ ଠକି ଚାଲିଛନ୍ତି ଏବଂ ବିକାଶ ପାଇଁ ତାଙ୍କର ଯୋଜନା ବାଟବଣା ହୋଇଯାଇଛି। ବିହାରର ପ୍ରକୃତ ବିକାଶ ପାଇଁ ତାଙ୍କ ପାଖରେ ଏବେ କିଛି ଏଜେଣ୍ଡା ନାହିଁ ଏବଂ ସେ ଯୁବକମାନଙ୍କ ବିରୋଧୀ ବୋଲି ଚିରାଗ୍‌ କହିଛନ୍ତି।

ସମ୍ବନ୍ଧିତ ଖବର